ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣା କରିବାର ମାତ୍ର ୩ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ପାକ୍‌ ସେନା ଏହାର ଘୋର ଉଲ୍ଲଂଘନ କରି ଜଟିଳ ସ୍ଥିତି ସୃଷ୍ଟି କରିଛି। ପାକିସ୍ତାନର ଏଭଳି ଆଭିମୁଖ୍ୟକୁ ଭାରତ କଡ଼ା ସମାଲୋଚନା କରିଛି ଏବଂ ଅସ୍ତ୍ରବିରତି ବୁଝାମଣାର ଏଭଳି ଉଲ୍ଲଂଘନ ପାଇଁ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ବିଦେଶ ସଚିବ ବିକ୍ରମ ମିସ୍ରି ଚେତାଇ ଦେଇଛନ୍ତି। ପାକିସ୍ତାନ ପଟୁ ଯେ କୌଣସି ଆକ୍ରମଣ ଓ ଉଲ୍ଲଂଘନର କଡ଼ା ଜବାବ ଦେବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି। ଯୁଦ୍ଧ ଉତ୍ତେଜନା ହ୍ରାସ ଦିଗରେ ହୋଇଥିବା ମିଳିତ ପ୍ରୟାସକୁ ପାକିସ୍ତାନର ପଦକ୍ଷେପ ଭଣ୍ଡୁର କରିଥିବାରୁ ଭାରତ  ଏହାକୁ ଗମ୍ଭୀରତାର ସହ ନେଇଛି।  ସୁରକ୍ଷାକୁ ନେଇ କୌଣସି ସାଲିସ ହେବନାହିଁ ଏବଂ ଅସ୍ତ୍ରବିରତି ଉଲ୍ଲଂଘନର ଅତି କଠୋର ଜବାବ ମିଳିବ ବୋଲି ମିସ୍ରି ସ୍ପଷ୍ଟ କରିଛନ୍ତି। ପାକ୍‌ ସେନା ଟାର୍ଗେଟ୍‌ କରୁଥିବା ସୀମାବର୍ତ୍ତୀ ରାଜ୍ୟଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଜମ୍ମୁ-କାଶ୍ମୀର, ରାଜସ୍ଥାନ, ଗୁଜରାଟ ଓ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ଡ୍ରୋନ୍‌ ଆକ୍ରମଣ ହୋଇଛି। ପାକିସ୍ତାନ ଅନ୍ତର୍ଜାତୀୟ ସୀମା‌ ଏବଂ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିଗୋଳା ବର୍ଷା ଜାରି ରଖିଛି।   ଏହା ପରେ ସରକାର ବିଏସ୍‌ଏଫ୍‌ (ସୀମା ସୁରକ୍ଷା ବାହିନୀ)କୁ ପୂର୍ଣ୍ଣ କ୍ଷମତାର ସହ ମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅସ୍ତ୍ରବିରତି ଉଲ୍ଲଂଘନର ମାତ୍ର କିଛି ଘଣ୍ଟା ମଧ୍ୟରେ ଶ୍ରୀନଗରରେ ପାକିସ୍ତାନ ଡ୍ରୋନ୍‌ ଆକ୍ରମଣ ଉଦ୍ୟମ କରିଥିଲା। ତେବେ ପାକିସ୍ତାନୀ ଡ୍ରୋନ୍‌କୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଖସାଇ ଦେଇଛି। ଶ୍ରୀନଗରରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ସେହିପରି କାଶ୍ମୀରର ବାରମୂଳା ଏବଂ ରାଜସ୍ଥାନର 
ପୋଖରାନରେ ମଧ୍ୟ ପାକିସ୍ତାନ ଡ୍ରୋନ୍‌ ଆକ୍ରମଣ ଉଦ୍ୟମ କରିଥିବାବେଳେ ଭାରତ ଏହାକୁ ପଣ୍ଡ କରିଛି। ପାକିସ୍ତାନ ସେନା ଅଖନୁର, ରାଜୌରୀ ଏବଂ ଆର୍‌ଏସ୍‌ ପୁରା ସେକ୍ଟରର ଅନ୍ତର୍ଜାତୀୟ ସୀମା ନିକଟରେ ପ୍ରବଳ ଗୋଳାମାଡ଼ କରିଛି। ବୈଷ୍ଣୋଦେବୀ ମନ୍ଦିର ଉପରେ ଆକ୍ରମଣ ଆଶଙ୍କା ଥିବାରୁ  ଜମ୍ମୁର କଟରାରେ ବ୍ଲାକ୍‌ଆଉଟ୍‌ ଘୋଷିତ ହୋଇଛି।

ମୁହଁତୋଡ଼ ଜବାବ ନିର୍ଦ୍ଦେଶ, ପୂର୍ଣ୍ଣ କ୍ଷମତା ଉପଯୋଗ ପାଇଁ ସେନାକୁ କୁହାଗଲା

ବାରମୂଳାରେ ଏକ ଡ୍ରୋନ୍‌ ଖସାଯାଇଛି ଏବଂ ଏକ ସନ୍ଦିଗ୍ଧ ୟୁଏଭି (ମାନବବିହୀନ ଉଡ଼ନ୍ତା ଯାନ) ଚିହ୍ନଟ ହୋଇଛି।  ବାରମୂଳା ଏବଂ ଶ୍ରୀନଗରରେ ପୁଣିଥରେ ବ୍ଲ‌ାକ୍‌ଆଉଟ୍‌ ଜାରି ହୋଇଛି।  ରାଜୌରୀରେ ମଧ୍ୟ ଡ୍ରୋନ୍‌ ଠାବ ହୋଇଛି ଏବଂ ସାମ୍ବା ଜିଲ୍ଲାରେ ଏୟାର ରେଡ୍‌ ସାଇରନ୍‌ ବାଜିଛି। ରାଜସ୍ଥାନର ପୋଖରାନରେ ପାକିସ୍ତାନ ‌ଡ୍ରୋନ୍‌ ଆକ୍ରମଣ ଉଦ୍ୟମ କରିଥିବା ବେଳେ  ପଞ୍ଜାବର ପଠାନ‌କୋଟ,  ଗୁରୁଦାସପୁର, ଫଜିଲକା, ହୋସିଆରପୁର, ଫିରୋଜପୁରରେ ପୁଣି ବ୍ଲାକ୍‌ଆଉଟ୍‌ ଜାରି ହୋଇଛି। ପଞ୍ଜାବର ଭଟିଣ୍ଡାରେ ଏୟାର ରେଡ୍‌ ଆଲର୍ଟ ଜାରି ହୋଇଛି। ଗୁଜରାଟର କଚ୍ଛରେ ମଧ୍ୟ ଡ୍ରୋନ୍‌ ଆକ୍ରମଣ ହୋଇଥିବା ଖବର ମିଳିଛି। ଆଜି ସକାଳେ ପାକିସ୍ତାନ ପଟୁ ଜମ୍ମୁରେ ପ୍ରବଳ ଗୋଳାମାଡ଼ ଯୋଗୁଁ ରାଜୌରୀ ସେକ୍ଟରରେ ବିସ୍ଫୋରକ ସ୍ଥିତି ଦେଖିବାକୁ ମିଳିଥିଲା। ଏଡିସି (ଅତିରିକ୍ତ ଜିଲ୍ଲା ବିକାଶ କମିସନର) ରାଜ୍‌ କୁମାର ଥାପାଙ୍କ ଗୋଳାମାଡ଼ରେ ମୃତ୍ୟୁ ହୋଇଯାଇଛି। ଥାପାଙ୍କ ବାସଭବନରେ ଏକ ମୋର୍ଟାର୍‌ ମାଡ଼ ହେବା ଫଳ‌ରେ ଥାପା ଏବଂ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ହସ୍ପିଟାଲ୍‌ରେ ଥାପାଙ୍କର ମୃତ୍ୟୁ ହୋଇଯାଇଛି।

ଅନ୍ୟ ୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।  ଅନ୍ୟପକ୍ଷେ ରାଜୌରୀ ଶିଳ୍ପାଞ୍ଚଳରେ ପାକିସ୍ତାନର ମୋର୍ଟାର ମାଡ଼ ଯୋଗୁଁ  ଆଜି ସକାଳେ ବିହାରର ଜଣେ ୨ ବର୍ଷୀୟା ଶିଶୁ ଆଏଶା ନୁର୍‌ ଏବଂ ୩୫ ବର୍ଷୀୟ ମହମ୍ମଦ ସୋହିବଙ୍କ ମୃତ୍ୟୁ ହୋଇଛି।  ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଛନ୍ତି।  ପୁଞ୍ଚ ମେଣ୍ଢରରେ ରସିଦା. ବି (୬୨)ଙ୍କର ଆଜି ସକାଳେ ପାକ୍‌ ଗୋଳାମାଡ଼ରେ ମୃତ୍ୟୁ ହୋଇଛି। ବିଦୁପର ଜାଟ୍ଟା ଗ୍ରାମରେ ଅଶୋକ କୁମାର ନାମକ ଜଣେ ବ୍ୟକ୍ତିଙ୍କର ଗୁଳିମାଡ଼ ଯୋଗୁଁ ମୃତ୍ୟୁ ହୋଇଛି। ସେହିପରି ଆରଏସ୍‌ ପୁରା ଅଞ୍ଚଳରେ ପାକିସ୍ତାନର ମୋର୍ଟାରମାଡ଼ ଯୋଗୁଁ  ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଛନ୍ତି ଏବଂ ୭ ଜଣ  ଯବାନ ଆହତ ହୋଇଛନ୍ତି । ସହିଦ ଯବାନଙ୍କ ନାଁ ମହମ୍ମଦ ଇମ୍‌ତେୟାଜ। ଅନ୍ୟପକ୍ଷରେ  ଉଧମପୁର ଏୟାର୍‌ବେସ୍‌ରେ ଭାରତୀୟ ବାୟୁସେନା (ଆଇଏଏଫ୍)ର ସହକାରୀ ମେଡିକାଲ ସର୍ଜେଣ୍ଟ ସୁରେନ୍ଦ୍ର କୁମାର (୩୬) ଆଜି ସକାଳେ ପାକିସ୍ତାନର ଏୟାର୍‌ ଷ୍ଟ୍ରାଇକ୍‌ରେ ସହିଦ ହୋଇଛନ୍ତି। ସେ ରାଜସ୍ଥାନର ଝୁନଝୁନୁର ମନ୍ଦାୱାର ବାସିନ୍ଦା। ସୁରେନ୍ଦ୍ର କୁମାର   ଉଧମପୁର ଏୟାର୍‌ବେସ୍‌ରେ ବାୟୁସେନାର ୩୯ତମ ଶାଖାରେ ଅବସ୍ଥାପିତ ଥିଲେ। ପୂର୍ବରୁ ସେ ଲକ୍ଷ୍ନୌରେ ଅବସ୍ଥାପିତ ଥିଲେ ଏବଂ ଦୁଇ ମାସ ତଳେ ତାଙ୍କୁ ଉଧମପୁର ବଦଳି କରାଯାଇଥିଲା।

ପାକ୍‌ର ଦାବି ଚୀନ ଆମ ସହ ଅଛି

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣାର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନ ଏହାକୁ ଉଲ୍ଲଂଘନ କରିଛି। ଏପଟେ ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ୍‌ ଦାର୍‌ ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହିତ ଯୋଗାଯୋଗରେ ଥିବା କହିଛନ୍ତି। ପାକିସ୍ତାନ ସହିତ ଚୀନ ଦୃଢ଼ ଭାବେ ରହିଥିବା ନେଇ ୱାଙ୍ଗ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପାକ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ ଏହା କୁହାଯାଇଛି। ଦୁଇ ନେତା ପରସ୍ପର ମଧ୍ୟରେ ନିବିଡ଼ ଯୋଗାଯୋଗ 
ଉପରେ ଗୁରୁତ୍ବ ଦେଇଥିଲେ।

ଚୀନ ବିଦେଶ ମନ୍ତ୍ରୀଙ୍କ ସହ କଥା ହେଲେ ଡୋଭଲ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଆଜି ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ କଥା ହୋଇଛନ୍ତି। ଡୋଭଲ ଚୀନ ବିଦେଶ ମନ୍ତ୍ରୀଙ୍କୁ ଏହା ଜଣାଇ ଦେଇଛନ୍ତି ଯେ ଯୁଦ୍ଧ ଭାରତର ପସନ୍ଦ ନୁହେଁ ଏବଂ କୌଣସି ପକ୍ଷର ସ୍ବାର୍ଥ ଏହାଦ୍ବାରା ସାଧନ ହୁଏ ନାହିଁ। ଡୋଭଲ ୱିଙ୍ଗଙ୍କୁ ପହଲଗାମ‌ରେ ଆତଙ୍କବାଦୀ ଆକ୍ରମଣରେ ହୋଇଥିବା କ୍ଷତି ସଂପର୍କରେ ଅବଗତ କରିଥିଲେ। ଏଥିପାଇଁ ଭାରତକୁ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ବିଷୟରେ କହିଥିଲେ। ଚୀନ ପକ୍ଷରୁ ବିଦେଶ ମନ୍ତ୍ରୀ ୱାଙ୍ଗ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ସମସ୍ତ ପ୍ରକାର ଆତଙ୍କବାଦକୁ ବିରୋଧ କରିଥିଲେ। ବର୍ତ୍ତମାନର ଜଟିଳ ଓ ଅସ୍ଥିର ଅନ୍ତର୍ଜାତୀୟ ପରିସ୍ଥିତିରେ ଏସିଆରେ ଶାନ୍ତିର ଆବଶ୍ୟକତା ରହିଛି। ଭାରତ ଓ ପାକିସ୍ତାନ ପଡ଼ୋଶୀ ଦେଶ ଏବଂ ସେମାନଙ୍କୁ ଅଲଗା କରାଯାଇ ପାରିବ ନାହିଁ। ଏହି ଦୁଇ ଦେଶ ଚୀନର ପଡ଼ୋଶୀ। ଯୁଦ୍ଧ ଭାରତର ପସନ୍ଦ ନୁହେଁ ବୋଲି ଡୋଭଲଙ୍କ ବୟାନକୁ ୱାଙ୍ଗ ପ୍ରଶଂସା କରିଥିଲେ। ଆଲୋଚନା ମାଧ୍ୟମରେ ଏକ ସବୁଦିନିଆ ଅସ୍ତ୍ରବିରତି ପାଇଁ ଚୀନ ସମର୍ଥନ କରିବ ବୋଲି ୱାଙ୍ଗ କହିଛନ୍ତି।