କୁପୱାଡ଼ା: ଜମ୍ମୁ କାଶ୍ମୀରର ଲିପା ଉପତ୍ୟକାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନା ପୋଷ୍ଟ୍‌ ଉପରେ ଗୁଳିବର୍ଷା କରିଛି। ଗତରାତିରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣରେ ପାକିସ୍ତାନ  ସେନା ଛୋଟ ଅସ୍ତ୍ର ଓ ମୋର୍ଟାର ସେଲ୍ ବ୍ୟବହାର କରିଥିଲା। ଭାରତୀୟ ସେନା ତୁରନ୍ତ ଏହାର କଡ଼ା ଜବାବ ଦେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଗୁଳିଗୋଳା ମାଡ଼ରେ କୌଣସି ହତାହତ ଖବର ମିଳିନାହିଁ।

Advertisment

ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଅବସ୍ଥିତ ଏହି  ଅଞ୍ଚଳ ଅତୀତରେ ବାରମ୍ବାର ପାକ୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପରିଚିତ।  ଏବେ ସେଠାରେ ଅସ୍ତ୍ରବିରତି ଉଲ୍ଲଂଘନ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ‘ଅପରେସନ୍ ସିନ୍ଦୂର’ ଓ ପାକିସ୍ତାନର ‘ଅପରେସନ୍ ବୁନିୟାନୁମ ମରସୁସ୍’ ପରେ ଏହି ଅସ୍ତ୍ରବିରତି ହୋଇଥିଲା।   ପାକିସ୍ତାନ ପୁଣି ଥରେ ସୀମାରେ ଆକ୍ରମଣକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାରୁ ଭାରତୀୟ ସେନା ହାଇଆଲର୍ଟରେ ରହିଛି।  ପାକିସ୍ତାନର କେତେକ ଗଣମାଧ୍ୟମ ଦାବି କରିଛନ୍ତି ଯେ ଭାରତୀୟ ପୋଷ୍ଟରେ ବଡ଼ କ୍ଷୟକ୍ଷତି ହୋଇଛି ଏବଂ ୬-୭ ଜଣ ଭାରତୀୟ ସୈନିକ ସହିଦ ହୋଇଛନ୍ତି। ତେବେ ଏହା ପାକ୍‌ ପ୍ରାୟୋଜିତ ଏକ ମିଛ ଖବର ବୋଲି ଜଣାପଡ଼ିଛି। ଦୁଇ ଦେଶର ଡିଜିଏମ୍‌ଓ (ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରି ଅପରେସନ୍ସ) ପକ୍ଷରୁ ଏ ବାବଦରେ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ।