ଚେନ୍ନାଇ: ପାକିସ୍ତାନ ନିଜ ଲୋକଙ୍କୁ ମିଥ୍ୟା ଓ ବିଭ୍ରାନ୍ତି ଦ୍ବାରା କେଉଁ ସ୍ତରକୁ ନେଇପାରେ ଆଜି ତାହାର ଏକ ଉଦାହରଣ ଦେଇଛନ୍ତି ଭାରତର ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ସାମ୍ପ୍ରତିକ ଭାରତ-ପାକ୍‌ ସଂଘର୍ଷ ସମୟରେ ଭାରତ ବିରୋଧରେ ପାକିସ୍ତାନର ବିଜୟ ଦାବିକୁ ଜେନେରାଲ ଦ୍ବିବେଦୀ ଉପହାସ କରିବା ସହ ପାକିସ୍ତାନ ସେନା ଓ ସରକାରର ମିଥ୍ୟା ଆଖ୍ୟାନରେ  ସେଠାରେ ଲୋକେ କିଭଳି ଖୁସି ଦେଖାଉଛନ୍ତି ତାହା ଉପରେ ମତ ରଖିଛନ୍ତି। ସେନାମୁଖ୍ୟ କହିଛନ୍ତି, ବିଜୟ ମନରେ ରହିଥାଏ। ତେଣୁ ଦେଶ ଭିତରେ ନିରପେକ୍ଷ ଜନସଂଖ୍ୟାକୁ ମିଥ୍ୟା ଆଖ୍ୟାନରେ  ପ୍ରଭାବିତ କରିବା ପାଇଁ ପାକ୍‌ ସରକାର ଓ ସେନା ସବୁଶକ୍ତି ଖଟାଇଛନ୍ତି ଏବଂ  ଭାରତ ସହିତ ସୀମିତ ସଂଘର୍ଷ ସମୟରେ ସେମାନେ ବିଜୟ କଥା ତୁହାକୁ ତୁହା ପ୍ରଚାର କରି ପାକିସ୍ତାନୀଙ୍କୁ ମିଛ ଆଶ୍ବସ୍ତି ଦେଇଛନ୍ତି।
ସେନାମୁଖ୍ୟ କହିଛନ୍ତି, ‘ମିଛ କାହାଣୀକୁ ନେଇ ପାକିସ୍ତାନ ସରକାର ଓ ସେନା ଏଭଳି ସ୍ତରକୁ ଚାଲିଯାଇଛି, ଯେଉଁଠି ସାଧାରଣ ଜନତା ଏହାକୁ ସତ ବୋଲି ଧରିନେଇଛନ୍ତି। ଯଦି କୌଣସି ପାକିସ୍ତାନୀଙ୍କୁ ଆପଣ ହାରିଛନ୍ତି ନା ଜିତିଛନ୍ତି ବୋଲି ପଚାରିବେ, ତେବେ ସେ କହିବେ- ଆମ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ହୋଇଛନ୍ତି, ତେଣୁ ଆମେ ନିଶ୍ଚୟ ଜିତିଛୁ। ଭାରତ ବିରୋଧରେ ବିଜୟ ପାଇଁ ହିଁ ସେ ଫିଲ୍ଡ ମାର୍ଶାଲ ହୋଇଛନ୍ତି ବୋଲି ସେଠାରେ ସରକାର ଲୋକଙ୍କୁ ଧାରଣା ଦେଇଛନ୍ତି।   
ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନା ପାକିସ୍ତାନର ରଣନୀତିକୁ ସବୁ ଦିଗରୁ ପଣ୍ଡ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିନଥିଲା ବୋଲି ସେନାମୁଖ୍ୟ ଦ୍ବିବେଦୀ କହିଛନ୍ତି। ଅପରେସନ ସମୟରେ ସୋସିଆଲ ମିଡିଆ ଓ ଅନ୍ୟ ପ୍ଲାଟଫର୍ମକୁ ବ୍ୟବହାର କରି ସେନା ଜନସାଧାରଣଙ୍କ ନିକଟରେ ନିଜର ବାର୍ତ୍ତା ପହଞ୍ଚାଇଥିଲା । ରଣନୈତିକ ବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ସେଥିପାଇଁ ଆମେ ପ୍ରଥମେ ସ୍ପଷ୍ଟ ବାର୍ତ୍ତା ଦେଇଥିଲୁ ଏବଂ ଆମ ବାର୍ତ୍ତାକୁ ପୂରା ବିଶ୍ବ ପରଖିବା ପରେ ଅତ୍ୟନ୍ତ ପ୍ରଭାବଶାଳୀ ବିଜୟକୁ ସମସ୍ତେ ସ୍ବୀକାର  କରିଥିଲେ। ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନାର ଦୁଇ ଜଣ ମହିଳା ଅଧିକାରୀଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଆମ ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲା ବୋଲି ସେନାମୁଖ୍ୟ କହିଛନ୍ତି। 
ଜେନେରାଲ ଦ୍ୱିବେଦୀ ଆଜି ଚେନ୍ନାଇ ଆଇଆଇଟି-ଏମ୍ ଅଧ୍ୟାପକ ଓ  ଛାତ୍ରଛାତ୍ରୀଙ୍କୁ  ଜଣାଇଥିଲେ ଯେ  ଶତ୍ରୁର ପ୍ରତ୍ୟେକଟି ପରବର୍ତ୍ତୀ ପଦକ୍ଷେପକୁ ଅନୁଶୀଳନ କରି ଯେଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା ତାହା ଆମର ଶ୍ରେଷ୍ଠ ରଣନୀତିକୁ ପ୍ରତିପାଦିତ କରିଛି।  ଆମେ କ’ଣ କରିବାକୁ ଯାଉଛୁ ତାହା ଶତ୍ରୁ ଜାଣିବା ପୂର୍ବରୁ  ବହୁତ କିଛି ଘଟୁଥିଲା ଏବଂ ଏହା ଆମ ସୁଚିନ୍ତିତ ରଣନୀତିର ପରିଚାୟକ ବୋଲି ସେନାମୁଖ୍ୟ କହିଛନ୍ତି। ଅପରେସନ ସିନ୍ଦୂର ସମୟରେ ବାୟୁସେନାକୁ ମଧ୍ୟ ସମସ୍ତ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ମୁକ୍ତ ସୁଯୋଗ  ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ମିଳିଥିଲା ଏବଂ ଏହା ଅତୁଳନୀୟ ଥିଲା ବୋଲି ସେନାମୁଖ୍ୟ କହିଛନ୍ତି। ଏଭଳି ଆତ୍ମବିଶ୍ୱାସ, ରାଜନୈତିକ ପ୍ରୋତ୍ସାହନ ଓ ରାଜନୈତିକ ସ୍ପଷ୍ଟତା ଆମେ ପ୍ରଥମ ଥର ପାଇଁ ଦେଖିଥିଲୁ ବୋଲି ସେ  କହିଛନ୍ତି। ସୂଚନାଯୋଗ୍ୟ, ଅପରେସନ ସିନ୍ଦୂର ହେଉଛି ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତର ସବୁଠାରୁ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ।  ଦଶନ୍ଧି ମଧ୍ୟରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଦେଶ ଦୁଃଖ ଓ କ୍ରୋଧରେ ଛଟପଟ ହେଉଥିବା ବେଳେ ସେନା ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରର ୯ଟି ଆତଙ୍କୀ ଟାର୍ଗେଟକୁ ଧ୍ବଂସ କରି କଡ଼ା ଜବାବ ଦେଇଥିଲା। ମେ ୭ ତାରିଖ ସକାଳେ ଆକାଶମାର୍ଗରୁ ହୋଇଥିବା ଆକ୍ରମଣରେ ଏହି ଆତଙ୍କବାଦୀ ଶିବିରରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ।