ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ସ୍ତରୀୟ ଆଲୋଚନାରେ ଯୋଗ ନଦେବା ପାଇଁ ପାକିସ୍ତାନର ନିଷ୍ପତ୍ତିକୁ ଭାରତ ଶୁକ୍ରବାର ନିନ୍ଦା କରିଛି। ଭାରତ କହିଛି ଯେ ଇସଲାମାବାଦର ଏହି ପଦକ୍ଷେପ ‘ଦୁର୍ଭାଗ୍ୟଜନକ, କିନ୍ତୁ ଆଶ୍ଚର୍ଯ୍ୟଜନକ ନୁହେଁ’। ଏହି ବୈଠକରେ ଯୋଗ ନଦେବା ପାଇଁ ପାକିସ୍ତାନର ନିଷ୍ପତ୍ତି ଇସଲାମାବାଦର ‘ଆଫଗାନିସ୍ତାନକୁ ଏହାର ରକ୍ଷକ ଭାବରେ ଦେଖିବାର ମାନସିକତାକୁ ପ୍ରତିଫଳିତ କରୁଛି’।
ଉଲ୍ଲେଖଯୋଗ୍ୟ, ଭାରତ ଆସନ୍ତା ନଭେମ୍ବର ୧୦ରେ ଆଫଗାନିସ୍ତାନ ପ୍ରସଙ୍ଗରେ ନୂଆଦିଲ୍ଲୀରେ ଏନଏସଏ ସ୍ତରୀୟ ଆଞ୍ଚଳିକ ସମ୍ମିଳନୀ ଆୟୋଜନ କରିବ। ଭାରତର ଏନଏସଏ ଅଜିତ ଡୋଭାଲ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ପାକିସ୍ତାନ ପୂର୍ବରୁ ନିଶ୍ଚିତ କରିଥିଲା ଯେ ଏହା ଭାରତର ନିମନ୍ତ୍ରଣକୁ ଗ୍ରହଣ କରିଛି କିନ୍ତୁ ଏହି ବୈଠକରେ ଯୋଗ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ମଧ୍ୟ ଏସୀୟ ଦେଶ ତଥା ରୁଷ ଏବଂ ଇରାନ ଏହି ବୈଠକରେ ଅଂଶଗ୍ରହଣକୁ ନିଶ୍ଚିତ କରିଛନ୍ତି। ଏହି ବୈଠକ ପାଇଁ ଭାରତ ଚୀନ୍ ଏବଂ ପାକିସ୍ତାନକୁ ମଧ୍ୟ ନିମନ୍ତ୍ରଣ ଜଣାଇଥିଲା।
ଆସନ୍ତା ସପ୍ତାହରେ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଆଫଗାନିସ୍ତାନର ସାଂପ୍ରତିକ ପରିସ୍ଥିତି ଏବଂ ପରସ୍ପର ସହିତ ପରାମର୍ଶ ଏବଂ ସମନ୍ଵୟ ବିଷୟରେ ଆଲୋଚନା ହେବ।