ପାକିସ୍ତାନର ଦୋମୁହାଁ ନୀତି, କଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ

ସିରିୟା ଆକ୍ରମଣ ନେଇ ତୁର୍କୀକୁ ସମର୍ଥନ

ନୂଆଦିଲ୍ଲୀ: ପାକିସ୍ତାନର ଦୋମୁହାଁ ନୀତି ଏବେ ପଦାରେ ପଡ଼ିଛି। କଶ୍ମୀରରେ ଆତଙ୍କବାଦକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଧାରା ୩୭୦ ‌ଉଚ୍ଛେଦ କରାଯାଇଛି। ଏହାକୁ ପାକିସ୍ତାନ ବିରୋଧ କରିବା ସହ ଭାରତରେ ଲଗାତାର ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ସହ ହିଂସା ସୃଷ୍ଟି କରୁଛି। ତେବେ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ବାହାନାରେ ସିରିୟାରେ କୁର୍ଦମାନଙ୍କ ଉପରେ ତୁର୍କୀ ଆକ୍ରମଣ ଜାରି ରଖିବାକୁ ପାକିସ୍ତାନ ସମର୍ଥନ କରିଛି। ତୁର୍କୀ ସିରିୟାର ସୀମାନ୍ତ ସହରକୁ କବ୍‌ଜା କରି ନେଇଛି। ଆତଙ୍କବାଦ ବିରୋଧରେ ତୁର୍କୀ ସିରିଆ ଉପରେ କରିଥିବା ଆକ୍ରମଣ ଘଟଣାରେ ପାକିସ୍ତାନ ତୁର୍କୀକୁ ସମର୍ଥନ ଜଣାଇଛି। କୁର୍ଦ ସେନା ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତୁର୍କୀର ରାଷ୍ଟ୍ରପତିଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ପାକିସ୍ତାନ ସରକାରଙ୍କ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି। ପାକିସ୍ତାନ ଉଲ୍ଲେଖ କରିଛି, ସିରିୟାରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ତୁର୍କୀର ୪୦ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି। ଆତଙ୍କବାଦର ଦମନ ପାଇଁ ତୁର୍କୀ ସିରିଆ ଉପରେ ଆକ୍ରମଣ କରି ଠିକ୍‌ କରିଛି ବୋଲି ପାକିସ୍ତାନ କହିଛି। ମାତ୍ର, ପାକିସ୍ତାନ ସମର୍ଥନରେ ଜମ୍ମୁ-କଶ୍ମୀରରେ ଘଟୁଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ କାହିଁକି ଦୋମୁହାଁ ନୀତି ଆପଣାଉଛି ବୋଲି ଭାରତ ପ୍ରଶ୍ନ କରିଛି। ଜମ୍ମୁ-କଶ୍ମୀରରୁ ଆତଙ୍କବାଦ ରୋକିବା ପାଇଁ ଭାରତ ସରକାର ନେଇଥିବା ପଦକ୍ଷେପକୁ ପାକିସ୍ତା‌ନ ପ୍ରଶଂସା କରିବା ବଦଳରେ ବିରୋଧ କରୁଛି। ଏହା ପାକିସ୍ତାନର ଦୋମୁହାଁ ନୀତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର