ପାକ୍ ଅର୍ଥନୈତିକ ସଂକଟ: ଆଉ ଏକ ସେନା ବିଦ୍ରୋହର ସୂଚନା

ଇସଲାମାବାଦ: ପାକିସ୍ତାନର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ସହ କଥାବାର୍ତ୍ତା ବିଫଳ ହେବା ପରେ ପାକିସ୍ତାନ ସେନା ଏହାର ବରିଷ୍ଠ କମାଣ୍ଡରମାନଙ୍କୁ ନେଇ ଏକ ବୈଠକ କରିଥିଲା। ବିଫଳ ଅର୍ଥନୀତି ଓ ରାଜନୈତିକ ସଂକଟ ଦେଶରେ ଚରମ ପରିସ୍ଥିତି ସୃଷ୍ଟି କରିଛି। ଉକ୍ତ ସେନା କମାଣ୍ଡରଙ୍କ ବୈଠକ ପରେ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସରକାର ଉପରେ ଆଉ ଏକ ସାମରିକ ହସ୍ତକ୍ଷେପର ସମ୍ଭାବନା ଦେଖାଦେଇଛି। ସେନା ହସ୍ତକ୍ଷେପ ଦ୍ବାରା ସରିଫ ସରକାରର ପତନ ଘଟିପାରେ ବୋଲି କୁହାଯାଉଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ସମର୍ଥକ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ଭିତରେ ଏକ ‘ସାମରିକ-ନେତୃତ୍ବାଧୀନ ସମାଧାନ’ ଆଡ଼କୁ ଦେଶ ମୁହାଁଉଥିବା ଜଣାପଡ଼ିଛି। ପାକିସ୍ତାନରେ ଦେଖାଦେଇଥିବା ଆର୍ଥିକ ସଂକଟ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ଏବେ ଦେଖା ଦେଇଛି ଅଭୂତପୂର୍ବ ହିଂସା। ରାଜନୈତିକ ହିଂସା ସହ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି। ଗତ ଜାନୁଆରି ମାସରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ତା’ପରେ କରାଚୀ ଓ ବଲୁଚିସ୍ତାନରେ କ୍ରମାଗତ ଆତଙ୍କବାଦୀ ଆକ୍ରମଣ ଘଟିଚାଲିଛି। ସରକାର ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଛନ୍ତି। ୨୦୨୧ ତୁଳନାରେ ୨୦୨୨ରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ୨୭ ପ୍ରତିଶତ ବୃଦ୍ଧି ପାଇଥିବା ପାକିସ୍ତାନ ଇନ୍‌‌ଷ୍ଟିଚ୍ୟୁଟ୍ ଅଫ୍ ପିସ୍ ଷ୍ଟଡିଜ୍ (ପିଆଇପିଏସ୍) ପକ୍ଷରୁ କୁହାଯାଇଛି।

ଗତ ୭୫ ବର୍ଷର ସ୍ବାଧୀନତା ଭିତରେ ପାକିସ୍ତାନ ସେନା ନିର୍ବାଚିତ ସରକାରଠାରୁ ତିନିଥର କ୍ଷମତା ଛିନ୍ନ କରିନେଇଛି ଏବଂ ପ୍ରାୟ ୪ ଦଶନ୍ଧି ଧରି ଏହି ଦେଶ ସିଧାସଳଖ ସେନା ଶାସନାଧୀନ ରହିଆସିଛି। ଏବେ ପୁଣିଥରେ ସେଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର