ପାକିସ୍ତାନ ଅର୍ଥନୀତି ଭୁଶୁଡ଼ିବ

ନୂଆଦିଲ୍ଲୀ : ଶ୍ରୀଲଙ୍କା ପରେ ପାକିସ୍ତାନ ଅର୍ଥନୀତିର ସ୍ଥିତି ବି ଭଲନାହିଁ। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସାଂଘାତିକଭାବେ ହ୍ରାସ ପାଇଛି। ଦରଦାମ ଅଣାୟତ୍ତ ଥିବାବେଳେ ଦେଶର ଋଣ ପରିମାଣ ୨୫୦ ବିଲିଅନ ଡଲାରରୁ ଅଧିକ ରହିଛି। ତେଣୁ ପାକିସ୍ତାନ ଅର୍ଥନୀତି ଭୁଶୁଡ଼ିବା ଦ୍ବାରଦେଶରେ ପହଞ୍ଚିଯାଇଛି।

ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ‘ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ’ ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଚିଠି ପଠାଇଛି। ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଉଥିବାରୁ ଦେଶର ଆମଦାନି ପ୍ରଭାବିତ ହୋଇପାରେ ବୋଲି ଏଥିରେ କୁହାଯାଇଛି। ୟୁରୋପିଆନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଗତ ଜୁନ ୧୭ ସୁଦ୍ଧା ୮.୨୪ ବିଲିଅନ ଡଲାରକୁ ହ୍ରାସ ପାଇଛି। ଋଣ ଓ ସୁଧ ପରିଶୋଧ ଜାରି ରହିଥିବାରୁ ବିଦେଶୀ ମୁଦ୍ରା ଭଣ୍ଡାର‌ ଉପରେ ଚାପ ବଢ଼ିବା ଆଶଙ୍କା ରହିଛି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ସମସ୍ତ ପ୍ରକାର ଅଣଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ବନ୍ଦ କରିବାକୁ ସରକାରଙ୍କୁ କହିଛି। କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଲା ପାକିସ୍ତାନର ବର୍ଦ୍ଧିତ ଇନ୍ଧନ ଆମଦାନି। ତେଣୁ ଆଗାମୀ ଦିନରେ ପାକିସ୍ତାନ ଶୀଲଙ୍କା ପରିସ୍ଥିତି ଭୋଗିପାରେ ବୋଲି ୟୁରୋପିଆନ ଟାଇମ୍ସ ଏହାର ରିପୋର୍ଟରେ କହିଛି। ୟୁଏନଡିପି ରିପୋଟଁ ଅନୁଯାୟୀ, ପାକିସ୍ତାନର ଋଣ ପରିମାର ୨୫୦ ବିଲିଅନ ଡଲାରରୁ ଅଧିକ ରହିଛି। ଦେଶରେ ବଞ୍ଚିବା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଉଛି। ଏଥିପାଇଁ ବହୁ ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏପରିକି ଦ୍ରୁତବେଗରେ କ୍ଷୁଧା ବଢ଼ୁଛି। ଏସବୁ କାରଣରୁ ସାମାଜିକ ଅସ୍ଥିରତା ଦେଖାଦେଇ ପାରେ ବୋଲି ୟୁଏନଡିପି ମୁଖ୍ୟ ଅଚିମ ଷ୍ଟିନର କହିଛନ୍ତି।

ପାକିସ୍ତାନ ମୁଦ୍ରାର ବିନିମୟ ମୂଲ୍ୟ ସାଂଘାତିକ ଭାବେ କମିବାରେ ଲାଗିଛି। ଗତକାଲି ୧ ଡଲାର ମୂଲ୍ୟ ୨୩୬ ପାକିସ୍ତାନୀ ଟଙ୍କା ଥିବାବେଳେ ଆଜି ଏହା ୨୪୦ ଟଙ୍କାକୁ ହ୍ରାସ ପାଇଛି। ଚଳିତବର୍ଷ ଆରମ୍ଭରୁ ପାକିସ୍ତାନୀ ଟଙ୍କା ମୂଲ୍ୟରେ ୩୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର