କରାଚୀ (ପାକିସ୍ତାନ): ମୁସଲମାନ୍ ବହୁଳ ଦେଶ ପାକିସ୍ତାନରେ ଜଣେ ସଂଖ୍ୟାଲଘୁ ବର୍ଗର ମହିଳା ପୁଲିସ ବିଭାଗରେ ଡିଏସପି ହେବା ନିଶ୍ଚିତ ଭାବେ ଏକ ବଡ଼ ଉପଲବ୍ଧି। ଏଭଳି ବିରଳ ସଫଳତା ହାସଲ କରିଛନ୍ତି ମନୀଷା ରୋପେଟା। ୨୬ ବର୍ଷୀୟ ମନୀଷା ହେଉଛନ୍ତି ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା, ଯିଏକି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୁଲିସ୍ ପଦବି ହାସଲ କରିଛନ୍ତି। ପାକିସ୍ତାନର ପୁରୁଷ ପ୍ରାଧାନ୍ୟ ସମାଜ ତଥା ସଂସ୍କୃତିରେ ମହିଳାମାନଙ୍କ ପାଇଁ ପୁଲିସ୍ ଫୋର୍ସରେ ଭର୍ତ୍ତି ହେବା ଅତ୍ୟନ୍ତ କଷ୍ଟକର ହୋଇଥିବା ବେଳେ ସେ ଏହି ପଦ ଲାଗି ନିଜକୁ ପ୍ରସ୍ତୁତ କରିଛନ୍ତି।
ସିନ୍ଧର ଜୈକୋବାବାଦ ଅଞ୍ଚଳର ବାସିନ୍ଦା ରୋପେଟା କହନ୍ତି ,ପିଲାଦିନରୁ ମୁଁ ଏବଂ ମୋ ଭଉଣୀମାନେ ସେହି ପୁରୁଣା ବ୍ୟବସ୍ଥା ଦେଖିଆସିଥିଲୁ, ଯେଉଁଠି ଝିଅମାନଙ୍କୁ କୁହାଯାଉଥିଲା ଯଦି ସେମାନେ ଶିକ୍ଷିତ ହେବାକୁ ଚାହୁଁଛନ୍ତି, ତେବେ ସେମାନେ କେବଳ ଶିକ୍ଷକ କିମ୍ବା ଡାକ୍ତର ହୋଇପାରିବେ । ଭଲ ପରିବାରର ଝିଅମାନଙ୍କର ପୁଲିସ ବିଭାଗ କିମ୍ବା ଜିଲ୍ଲା କୋର୍ଟ ସହିତ କୌଣସି ସମ୍ପର୍କ ରହିବା ଉଚିତ୍ ନୁହେଁ ।
ରୋପେଟା ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାମାନେ ଆମ ସମାଜରେ ଅତ୍ୟଧିକ ଅତ୍ୟାଚାରିତ ଏବଂ ଅନେକ ଅପରାଧର ଶିକାର ହେଉଛନ୍ତି । ସେ ପୁଲିସରେ ଯୋଗ ଦେଇଛନ୍ତି କାରଣ ସେ ଅନୁଭବ କରୁଛନ୍ତି ଯେ, ଆମ ସମାଜରେ ମହିଳାମାନଙ୍କ ପାଇଁ ଜଣେ ‘ରକ୍ଷକ’ ଦରକାର ।
ବର୍ତ୍ତମାନ ଟ୍ରେନିଂ ନେଉଥିବା ରୋପେଟା ଅପରାଧ ପ୍ରଭାବିତ ଲ୍ୟାରୀ ଅଞ୍ଚଳରେ ନିୟୋଜିତ ହେବେ । ରୋପେଟା ଅନୁଭବ କରୁଛନ୍ତି ଯେ, ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ଭାବରେ କାର୍ଯ୍ୟ କରିବା ପ୍ରକୃତରେ ମହିଳାମାନଙ୍କୁ ସଶକ୍ତ କରିଥାଏ ଏବଂ ସେମାନଙ୍କୁ ଅଧିକାର ପ୍ରଦାନ କରିଥାଏ । ରୋପେଟା ମହିଳାମାନଙ୍କ ଅଧିକାର ପାଇଁ ଏକ ଅଭିଯାନର ନେତୃତ୍ୱ ନେବାକୁ ଏବଂ ପୋଲିସ୍ ଫୋର୍ସରେ ଲିଙ୍ଗଗତ ସମାନତାକୁ ଉତ୍ସାହିତ କରିବାକୁ ଚାହୁଁଛନ୍ତି।
ରୋପେଟାଙ୍କର ଅନ୍ୟ ତିନି ଭଉଣୀ ଏବଂ ସାନ ଭାଇ ସମସ୍ତେ ଡାକ୍ତରୀ ପାଠ ପଢ଼ୁଛନ୍ତି । ଯେତେବେଳେ ଏକ ଭିନ୍ନ ବୃତ୍ତି ବାଛିବା ପାଇଁ ରୋପେଟାଙ୍କୁ ପଚରାଯାଇଥିଲା ସେ କହିଥିଲେ ଯେ, ସେ ଏମବିବିଏସ୍ ପ୍ରବେଶିକା ପରୀକ୍ଷା ସଫଳ ହେବାରୁ ମାତ୍ର ଗୋଟିଏ ମାର୍କ ପାଇଁ ବିଫଳ ହୋଇଥିଲେ ।ଏହା ପରେ ସେ ପରିବାରକୁ କହିଥିଲେ ଯେ, ଫିଜିକାଲ ଥେରୋପି ପାଇଁ ଡିଗ୍ରୀ ହାସଲ କରୁଛନ୍ତି କିନ୍ତୁ ସେହି ସମୟରେ ସେ ସିନ୍ଧ ଜନସେବା ଆୟୋଗ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ୪୬୮ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୬ତମ ସ୍ଥାନ ହାସଲ କରିଥିଲେ । ରୋପେଟାଙ୍କ ପିତା ଜୌକୋବାବାଦ ଅଞ୍ଚଳର ଜଣେ ବ୍ୟବସାୟୀ ଥିଲେ । ସେ ଯେତେବେଳେ ୧୩ ବର୍ଷ ବୟସର ହୋଇଥିଲେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା, ତାପରେ ତାଙ୍କ ମା' ପିଲାମାନଙ୍କୁ କରାଚୀରେ ରଖି ପାଠ ପଢ଼ାଇଥିଲେ।