ସାଂଘାତିକ ହେଲାଣି ପାକିସ୍ତାନର ଆର୍ଥିକ ଅବସ୍ଥା, ସରିଆସିଲାଣି ବିଦେଶୀ ମୁଦ୍ରା ଭଣ୍ଡାର

ଇସ୍ଲାମାବାଦ : ସାଂଘାତିକ ହେଲାଣି ପାକିସ୍ତାନର ଆର୍ଥିକ ଅବସ୍ଥା । ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ଏବେ ୭.୫ ବିଲିୟନ ଡଲାରରୁ ବି ତଳକୁ ଖସିଯାଇଛି । ଜରୁରୀ ସାମଗ୍ରୀ ଯେପରିକି ତେଲ କିଣିବା ପାଇଁ ପାକିସ୍ତାନ ପାଖରେ ଅର୍ଥ ନାହିଁ । ଏଥିପାଇଁ ପାକିସ୍ତାନ ନିଜର ମିତ୍ର ଦେଶ ଯଥା ଚୀନ ଓ ସାଉଦି ଆରବ ନିକଟରେ ହାତ ପତାଉଛି । ସାଉଦି ଆରବ ୩ ବିଲିୟନ ଡଲାର ସହାୟତା ଦେବ ବୋଲି ଘୋଷଣା କରିଛି ମାତ୍ର ଏପର୍ଯ୍ୟନ୍ତ ଦେଇନାହିଁ । ସେହିପରି ଚୀନ ମଧ୍ୟ ଆର୍ଥିକ ସହାୟତା ବିଷୟରେ ଘୋଷଣା କରିଛି, କିନ୍ତୁ କେତେ ଦେବ ତାହା ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ । ଆସନ୍ତା ସପ୍ତାହରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମାଲେସିଆ ଗ୍ରସ୍ତରେ ଯିବେ । ସେଠାରେ ମଧ୍ୟ ସେ ହାତ ପତେଇବେ ।
ଏ ସବୁ ସତ୍ତ୍ୱେ ଆଇଏମଏଫ ହିଁ ଏକମାତ୍ର ସଂସ୍ଥା ଯିଏକି ପାକିସ୍ତାନକୁ ଏହି ସଂକଟରୁ ଉଦ୍ଧାର କରିପାରିବ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଠାରୁ ଋଣ ଆଣିବା ଛଡା ପାକିସ୍ତାନ ପାଖରେ ଆଉ କିଛି ଉପାୟ ନାହିଁ । ଏଥିପାଇଁ ପାକିସ୍ତାନ ସରକାରୀଭାବେ ଆଇଏମଏଫ ନିକଟରେ ଆବେଦନ ମଧ୍ୟ କରିସାରିଛି । କିନ୍ତୁ ଆଇଏମଏଫରୁ ଋଣ ପାଇବା ସେତେଟା ସହଜ ନୁହେଁ । କାରଣ ଆଇଏମଏଫରେ ଆମେରିକାର ଆଧିପତ୍ୟ ରହିଛି । ଆମେରିକା ନ ଚାହିଁବା ପର୍ଯ୍ୟନ୍ତ ଋଣ ମିଳିବା ସମ୍ଭବ ନୁହେଁ । ଋଣ ଦେବାପାଇଁ ଆମେରିକା କଡା ସର୍ତ୍ତ ଆରୋପ କରିପାରେ ।

ସମ୍ବନ୍ଧିତ ଖବର