ଏହି କାରଣରୁ ସ୍ବାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କଲା ପାକିସ୍ତାନ

ଇସଲାମାବାଦ: ସ୍ବାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କଲା ପାକିସ୍ତାନ। ଆଜି ପାକିସ୍ତାନ, ଦେଶର ୭୬ତମ ସ୍ୱାଧୀନତା ଦିବସକୁ ‘କଳା ଦିବସ’ ଭାବେ ପାଳନ କରିଛି। ଦେଶର ଲୋକମାନେ, ରାଜନୈତିକ କାର୍ଯ୍ୟକର୍ତ୍ତା ଏବଂ ବିରୋଧୀ ଦଳ କ୍ଷମତାରେ ଥିବା ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଏଭଳି କରିଥିବା ଜଣାପଡ଼ିଛି।

ଉତ୍ତର ଏବଂ ଦକ୍ଷିଣ ୱାଜିରିସ୍ତାନରେ ଲୋକମାନେ ଦୀର୍ଘ ଦିନ ହେଲାଣି ଆତଙ୍କବାଦ ନିଆଁରେ ଜଳୁଛନ୍ତି। ତାଲିବାନ ଏବଂ ଇସଲାମିକ୍ ଷ୍ଟେଟ୍ ଭଳି ଭୟାନକ ଆତଙ୍କବାଦୀ ସଂଗଠନର ଉପସ୍ଥିତି ସେମାନଙ୍କ ଜୀବନକୁ ଅନ୍ଧାର ଭିତରକୁ ଠେଲି ଦେଇଥିବା ବେଳେ ପାକିସ୍ତାନୀ ସୁରକ୍ଷା ଏଜେନ୍ସି ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି। ଏହି କାରଣରୁ ପାକିସ୍ତାନରେ ଆଜି ସ୍ୱାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରାଯାଇଥିବା ବେଳେ ବିରୋଧୀ ଦଳମାନେ ସାରା ଦେଶରେ ସରକାର ବିରୋଧୀ ପ୍ରଦର୍ଶନ କରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱରେ ପାକିସ୍ତାନ ତେହେରିକ-ଇ-ଇନସାଫ ଲାହୋର ହକି ଷ୍ଟାଡିୟମରେ “ହକିକି ଆଜାଦି” ସୋ’ ପାଇଁ ଏକ ବଡ଼ ଶକ୍ତି ପ୍ରଦର୍ଶନ କରିଥିଲା। ଅନ୍ୟପକ୍ଷରେ ତେହେରିକ୍-ଇ-ଲାବ୍ବାଇକ (ଟିଏଲପି) ଲିଆକତ ବାଗରୁ ଫୈଜାବାଦ ରାୱଲପିଣ୍ଡି ପର୍ଯ୍ୟନ୍ତ “ନାଜରିଆ ପାକିସ୍ଥାନ କନଫରେନ୍ସ ଆଣ୍ଡ  ରେଲି” ନାମରେ ଏକ ରାଲି କରିଥିଲା।

ଇମ୍ରାନ ଖାନ ତାଙ୍କ ଲାହୋର ଜଲସାରେ ଯୋଗଦେବା ପାଇଁ ପାକିସ୍ତାନରେ ଥିବା ନିଜର କର୍ମୀଙ୍କୁ ଆମନ୍ତ୍ରଣ କରିଥିଲେ। ଇମ୍ରାନ ଖାନଙ୍କ ଭାଷଣ ଶୁଣିବା ପାଇଁ କରାଚି, ଇସଲାମାବାଦ ଏବଂ ରାୱଲପିଣ୍ଡି ସମେତ ବିଭିନ୍ନ ସହରରେ ପିଟିଆଇ ସମର୍ଥକମାନେ ପରଦା ଲଗାଇଥିଲେ। ଉଭୟ ଦଳର ରାଲି ଯୋଗୁଁ ଲାହୋର ଏବଂ ଟ୍ବିନ ସିଟିର ରାସ୍ତା ଦିନସାରା ଅବରୋଧ କରାଯାଇଥିଲା। ଟ୍ରାଫିକ୍ ଅଧିକ ହେବା ସହ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲେ।

ସମ୍ବନ୍ଧିତ ଖବର