ଆଫଗାନିସ୍ତାନରେ ପାକିସ୍ତାନର ପ୍ରଭାବ: ଜେହାଦର ନୂଆ କେନ୍ଦ୍ର ପାଲଟିପାରେ, ଚିନ୍ତାରେ ବିଶ୍ୱ ସମୁଦାୟ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ସହ ଏବେ ଏହା ବିଶ୍ବ ଜିହାଦର ଠିକଣା ପାଲଟିଯାଇଛି। ତାଲିବାନର ଉତ୍‌ଥାନ ସହିତ ବିଶ୍ବବ୍ୟାପୀ ଆତଙ୍କବାଦୀ ସଂଗଠନଗୁଡ଼ିକ ସକ୍ରିୟ ହୋଇଉଠିଛନ୍ତି ଏବଂ ଆତଙ୍କବାଦ ପୁଣି ଥରେ ନୂଆ ରୂପରେ ଆସିଥିବାରୁ ଚିନ୍ତା ବଢ଼ିଛି। ଆଫଗାନିସ୍ତାନରେ ତାଲିବାନ ସରକାର ଯୋଗୁଁ ଭାରତ ପ୍ରତି ବିପଦ ଆଶଙ୍କା ବଢ଼ିଯାଇଛି। ଏହା ସହିତ ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆ ଆତଙ୍କବାଦୀଙ୍କ ପ୍ରମୁଖ ନିଶାଣ ପାଲଟିବାକୁ ଯାଉଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ନେବା ମାତ୍ରେ ତାଲିବାନ ଯେଭଳି ଅତି କ୍ଷିପ୍ର ଗତିରେ ଗୋଟିଏ ପରେ ଗୋଟିଏ ପ୍ରଦେଶ ଦଖଲ କରିଚାଲିଲା ଏବଂ ଅଗଷ୍ଟ ୧୫ ସୁଦ୍ଧା ପୂରା ଦେଶକୁ ନିଜ ଦଖଲକୁ ନେଇଗଲା ସେ ନେଇ ଏବେ ବି ତର୍ଜମା ଜାରି ରହିଛି। ଆସନ୍ତାକାଲି ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ତାଲିବାନ ସ୍ଥାୟୀ ସରକାର ଗଠନ କରିବ ବୋଲି ପୂର୍ବରୁ ଘୋଷଣା କରି ଆମେରିକା ପାଇଁ ଅତ୍ୟନ୍ତ ଅପମାନଜନକ ସ୍ଥିତି ସୃଷ୍ଟି କରିଥିବା ବେଳେ ଆଜି ଏହି ନିଷ୍ପତ୍ତି ବଦଳାଇ ଦେଇଛି। ନିକଟରେ ବାଇଡେନ ପାକିସ୍ତାନରେ ଓସାମା ବିନ୍ ଲାଡେନକୁ ନିପାତ କରିବା ସହ ଆଫଗାନିସ୍ତାନରେ ଅଲ୍‌କାଏଦାକୁ ଧ୍ବଂସ କରିଦେଇଥିବା ନେଇ ବାହାଦୁରି ମାରିବା ସହ ଆତଙ୍କବାଦ ସହିତ ରାଜନୀତିର ଖେଳ ଖେଳିଛନ୍ତି। ଆମେରିକା ସେନା ଆଫଗାନିସ୍ତାନରେ ନିଜର ଅସ୍ତ୍ରଶସ୍ତ୍ର ଓ ଲୋକଙ୍କୁ ଛାଡ଼ି ଯେପରି ଭାବେ ପ୍ରତ୍ୟାବର୍ତ୍ତନ କଲା ତାହା ଇସଲାମିକ୍ ଆତଙ୍କବାଦୀଙ୍କ ଆଗରେ ଏକପ୍ରକାର ଆତ୍ମସମର୍ପଣ ଥିଲା ବୋଲି କୁହାଯାଉଛି। ଏହା ନିରୀହ ଆଫଗାନିସ୍ତାନ ନାଗରିକଙ୍କ ପ୍ରତି ବିଶ୍ବାସଘାତକତା, ଯେଉଁମାନଙ୍କୁ ଏବେ ଆତଙ୍କବାଦୀଙ୍କ ବର୍ବରତାର ଶିକାର ହେବାକୁ ପଡ଼ୁଛି। ଆଫଗାନିସ୍ତାନରେ ବର୍ତ୍ତମାନ କେବଳ ଅଲ୍‌କାଏଦା ନୁହେଁ, ତାଙ୍କ ସମଧର୍ମା ବିରାଦରିମାନଙ୍କର ମଧ୍ୟ ଖେଳ ଆରମ୍ଭ ହୋଇଗଲାଣି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ତାଲିବାନ ସହ ହାତ ମିଳାଇ କାମ କରୁଛି ଏବଂ ପଂଜଶୀର ବିଦ୍ରୋହକୁ ଦମନ କରିବା ପାଇଁ ପାକ୍‌ ସେନା ସବୁ ସହାୟତା ଦେଉଛି` ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ମଧ୍ୟ ଏବେ ଅଧିକ ସକ୍ରିୟ ହୋଇଉଠିଛି। ସେମାନେ ଆଗରୁ ତାଲିବାନଙ୍କୁ ସାହାଯ୍ୟ କରି ଆଫଗାନିସ୍ତାନରେ କିଛି ପରିମାଣରେ ନିଜର ସ୍ଥାନ ଓ ଅଧିକାର ଜମାଇ ଆସିଛନ୍ତି। ପୂର୍ବରୁ ସଲାଫି ସଂଗଠନ ବି ଏଠାରେ ସକ୍ରିୟ ରହିଆସିଛି। ସେହିପରି ଖୋରାସା ପ୍ରଦେଶରେ ତାଲିବାନ ସହ ହକାନି ନେଟ୍‌ୱାର୍କ ଏବଂ ଜୈଶ୍-ଇ-ମହମ୍ମଦ ନିଜର ସମାନ ଦେଓବନ୍ଦୀ ଆଦର୍ଶର ସହବଣ୍ଟନ କରିଥାନ୍ତି, ଯାହା ରକ୍ଷଣଶୀଳ ଓ ଅସହିଷ୍ଣୁ ଇସଲାମିକ୍ ୱାହାବିବାଦ ଦ୍ବାରା ଅନୁପ୍ରାଣିତ। ଇଂଲଣ୍ଡର ପ୍ରତିରକ୍ଷା ବାହିନୀ ମୁଖ୍ୟ ନିକ୍ କାର୍ଟରଙ୍କ ମତରେ ଏମାନଙ୍କ ଲକ୍ଷ୍ୟ ହେଉଛି ବିଶ୍ବ ଜିହାଦ ଏବଂ ସାରା ପୃଥିବୀରେ କଠୋରପନ୍ଥୀ ଇସଲାମ ଧର୍ମର ପ୍ରତିଷ୍ଠା।

ତାଲିବାନ ବର୍ତ୍ତମାନ କେବଳ ପଞ୍ଜଶୀରର ଉପତ୍ୟକାକୁ ଛାଡ଼ିଦେଲେ ଆଫଗାନିସ୍ତାନ ଏମିରେଟ୍‌ସର ୬୫୨,୦୦୦ ବର୍ଗକିମି ଜମି ଦଖଲ କରିଥିବା ବେଳେ ଏବେ ବିଶ୍ବ ଜିହାଦର ଠିକଣା ହେଉଛି କାନ୍ଦାହାର ଏବଂ ତାଙ୍କ ନିୟନ୍ତ୍ରଣ କେନ୍ଦ୍ର ହେଉଛି କାବୁଲ। ଇସଲାମ ଧର୍ମର ଭିନ୍ନ ସମ୍ପ୍ରଦାୟଗୁଡ଼ିକ ବି ଏମାନଙ୍କଠାରୁ ସୁରକ୍ଷିତ ନୁହେଁ। ଇସଲାମିକ୍ ଷ୍ଟେଟ୍ ୨୦୧୪ରେ ଇରାକର ମୋସୁଲ ଅଧିକାର କରିବା ସମୟର ପରିସ୍ଥିତି ଏବେ ସୃଷ୍ଟି ହୋଇପାରେ, ଯେଉଁ ସମୟର ହିଂସ୍ରତାର ଦୁଃସ୍ବପ୍ନକୁ ୟାଜିଦି ଓ ଶିଆମାନେ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି।

ସମ୍ବନ୍ଧିତ ଖବର