ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନେପାଳରେ ନିଜର କଣ୍ଟ୍ରୋଲ ରୁମ ତିଆରି କରିଛି ଆଇଏସଆଇ

ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ପାକିସ୍ତାନ ଉପରେ ଏବେ ସାରା ବିଶ୍ୱରୁ ପ୍ରବଳ ଚାପ ପଡୁଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ବିଶ୍ୱସମୁଦାୟକୁ ଦେଖାଇବା ପାଇଁ ନିଜର କେତେକ ଆତଙ୍କବାଦୀ କ୍ୟାମ୍ପରେ ତାଲା ପକାଇଛି । କିନ୍ତୁ ପାକିସ୍ତାନ ଯେ ନିଜ ଭାରତ ବିରୋଧୀ ଆଭିମୂଖ୍ୟ ବଦଳାଇଲା ତାହା ଭାବିବା ଭୁଲ । ବିଭିନ୍ନ ଉପାୟରେ ଭାରତକୁ କ୍ଷତିଗ୍ରସ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ପାକିସ୍ତାନ । ତେବେ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନାର କଠୋର ପଦକ୍ଷେପ ଯୋଗୁଁ ଭାରତକୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରାଇପାରୁନାହିଁ ପାକିସ୍ତାନ । ଏଥିପାଇଁ ନେପାଳରେ ନିଜର କଣ୍ଟ୍ରୋଲ ରୁମ ତିଆରି କରିଛି ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ । ନେପାଳରେ ହିଁ କାଶ୍ମୀର ଆତଙ୍କବାଦୀମାନେ ଆଇଏସଆଇର ଗୁଇନ୍ଦାମାନଙ୍କୁ ଭେଟୁଛନ୍ତି ଓ ଆବଶ୍ୟକ ନିର୍ଦ୍ଦେଶ ହାସଲ କରୁଛନ୍ତି ।

ଭାରତୀୟ ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଅତିକମରେ ଦୁଇଜଣ କାଶ୍ମୀର ଆତଙ୍କବାଦୀ ନେପାଳ ଯାଇ ଆଇଏସଆଇ ଏଜେଣ୍ଟଙ୍କୁ ଭେଟିଛନ୍ତି । ନେପାଳରେ ଆଇଏସଆଇ ଓ ହିଜବୁଲ ମୁଜାହିଦ୍ଦିନର ପ୍ରମୁଖ କମାଣ୍ଡରମାନଙ୍କ ମଧ୍ୟରେ ଏକ ମିଟିଂ ହୋଇଥିବା ଖବର ମିଳିଛି । ଏହି ରିପୋର୍ଟ ମିଳିବା ପରେ ଭାରତୀୟ ସୁରକ୍ଷାବାହିନୀ ସତର୍କ ହୋଇଉଠିଛି ।

ଗତ ମାସରେ ଭାରତକୁ ନକଲି ନୋଟ ଆଣୁଥିବା ବେଳେ ୟୁନୁସ ଅନସାରୀ ସମେତ ଆଉ ୩ ଜଣ ପାକିସ୍ତାନୀ ନାଗରିକଙ୍କୁ କାଠମାଣ୍ଡୁ ଏୟାରପୋର୍ଟରେ ଗିରଫ କରିଥିଲା ନେପାଳ ପୁଲିସ । ସେମାନେ କାତାର ବାଟ ଦେଇ ନକଲି ଭାରତୀୟ ନୋଟ ଆଣୁଥିଲେ । ଅନସାରୀ ଦାଉଦର ଘନିଷ୍ଠ ହିସାବରେ ଜଣାଶୁଣା ।

ସମ୍ବନ୍ଧିତ ଖବର