ମୌଳବାଦୀଙ୍କ ଚାପରେ ଇସ୍ତଫା ଦେଲେ ପାକିସ୍ତାନର ଆଇନମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ଦିନ ପାକିସ୍ତାନର ଆଇନମନ୍ତ୍ରୀ ଜାହିଦ୍‌ ହମିଦ୍‌ ଇସ୍ତଫା ଦେଇଛନ୍ତି। କିଛି ସପ୍ତାହ ହେବ ଇସ୍‌ଲାମ୍‌ବାଦୀମାନଙ୍କ ପ୍ରତିବାଦ ଯୋଗୁଁ ପାକିସ୍ତାନରେ ସୃଷ୍ଟି ହୋଇଥିବା ସଙ୍କଟ ଟାଳିବାକୁ ସେ ଇସ୍ତଫା ଦେଇଥିବା କଥା ପାକିସ୍ତାନୀ ଗଣମାଧ୍ୟମ କହିଛି।

ସରକାର ଏବଂ ପ୍ରତିବାଦକାରୀମାନଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବା ପରେ ହମିଦ୍‌ ଇସ୍ତଫା ଦେଇଛନ୍ତି। ଆଇନ୍‌ମନ୍ତ୍ରୀ ଇସ୍ତଫା ଦେଲେ ଧାରଣା ପ୍ରତ୍ୟାହାର କରାଯିବ ବୋଲି ପ୍ରତିବାଦକାରୀମାନେ ପ୍ରତିଶ୍ରୁତି ଦେଇଥିଲେ।

ସେ ବ୍ୟକ୍ତଗତ ଭାବେ ଇସ୍ତଫା ଦେବାକୁ ସ୍ଥିର କରିଥିବା କଥା ହମିଦ କହିଛନ୍ତି।

ରାଜନୈତିକ ନେତାମାନେ ଗ୍ରହଣ କରୁଥିବା ଶପଥକୁ ଜାଣିଶୁଣି ବଦଳ କରାଯାଇଥିବା ଦର୍ଶାଇ କଠୋରପନ୍ଥୀ ପ୍ରତିବାଦକାରୀମାନେ ହମିଦ୍‌ଙ୍କ ଇସ୍ତଫା ଦାବି କରିଥିଲେ। ଏହି ପରିବର୍ତ୍ତନକୁ କିରାଣିମାନଙ୍କ ତ୍ରୁଟି କୁହାଯାଇ ତୁରନ୍ତ ଉଠାଇ ଦିଆଯାଇଥିଲା। କିନ୍ତୁ, କଠୋରପନ୍ଥୀ ମୁସଲମାନ ମୌଳବାଦୀମାନେ ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ।

ଶନିବାର ଦିନ ଇସ୍‌ଲାମାବାଦଠାରେ ପୁଲିସ ଏବଂ ପାରାମିଲିଟାରି କର୍ମଚାରୀମାନେ ଧାରଣାରତ ପ୍ରତିବାଦକାରୀଙ୍କ ଉପରେ ଆକ୍ରମଣ କରିବାରୁ ହମିଦ୍‌ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର