ନୂଆ ମାନଚିତ୍ର ଜାରି କରି ଜମ୍ମୁ ଓ କଶ୍ମୀରକୁ ନିଜର ବୋଲି ଦର୍ଶାଇଲା ପାକିସ୍ତାନ

ନୂଆଦିଲ୍ଲୀ : ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବାର ଏକ ବର୍ଷ ପୂରଣ ହେଉଥିବାବେଳେ ତାହାର ଦିନକ ପୂର୍ବରୁ ପାକିସ୍ତାନ ପକ୍ଷରୁ ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରାଯାଇଛି । ଏଥିରେ ଭାରତୀୟ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଯାଇଛି । କେବଳ ଏତିକି ନୁହେଁ, ଭାରତୀୟ ରାଜ୍ୟ ଗୁଜୁରାଟରେ ଥିବା ପୂର୍ବତନ ଜୁନାଗଡ଼ ରାଜ୍ୟ ଓ ସାର କ୍ରିକ ଅଞ୍ଚଳକୁ ଏହି ମାନଚିତ୍ରରେ ଦର୍ଶାଯାଇଛି । ଏହି ନୂଆ ମାନଚିତ୍ରକୁ ପାକିସ୍ତାନର ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ବ୍ୟବହାର କରାଯିବ ବୋଲି ପାକିସ୍ତାନ ସରକାର କହିଛନ୍ତି ।
ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଧ୍ୟକ୍ଷତାରେ ବସିଥିବା ପାକିସ୍ତାନ ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ମାନଚିତ୍ରକୁ ମଂଜୁରୀ ଦିଆଯାଇଛି । ଏହି ଅବସରରେ ଇମ୍ରାନ କହିଛନ୍ତି ଯେ ଏହି ମାନଚିତ୍ର ଗତ ବର୍ଷ ଅଗଷ୍ଟ ୫ରେ ଭାରତ ସରକାର ନେଇଥିବା ପଦକ୍ଷେପର ବିରୋଧ କରି ପ୍ରସ୍ତୁତ କରାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କଶ୍ମୀର ସମସ୍ୟାର ସମାଧାନ କେବଳ ଜାତିସଂଘ ନିରାପତ୍ତା ପରିଷଦର ରିଜୋଲ୍ୟୁସନ ମାଧ୍ୟମରେ ହୋଇପାରିବ ।
ଏହି ଅବସରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଜାତିସଂଘ ତଦାରଖରେ କଶ୍ମୀରରେ ଏକ ଜନମତ ହେବା ଆବଶ୍ୟକ । ଏହା ଦ୍ୱାରା କଶ୍ମୀରବାସୀଙ୍କୁ ଆତ୍ମ ନିର୍ଦ୍ଧାରଣର ସୁଯୋଗ ମିଳିବ ।

ସମ୍ବନ୍ଧିତ ଖବର