ପାକିସ୍ତାନର ନୂଆ ସୁରକ୍ଷା ନୀତି: ଭାରତ ୧୦୦ ବର୍ଷ ଶାନ୍ତିରେ ରହିବ କି?

ଇସଲାମାବାଦ : ଭାରତ ଓ ପାକିସ୍ତାନର ସଂପର୍କକୁ ନେଇ କେବଳ ଏହି ଦୁଇ ଦେଶ ନୁହେଁ ସାରା ବିଶ୍ବ ଚିନ୍ତିତ। ଦେଶ ସ୍ବାଧୀନତା ପରେ ଦୁଇ ଦେଶ ମଧ୍ୟରେ ଏକାଧିକ ଯୁଦ୍ଧ ଓ ଛାୟାଯୁଦ୍ଧ ହୋଇଛି। ପ୍ରତିଦିନ ସୀମାପାର ଆତଙ୍କବାଦ ସମସ୍ୟା ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କିନ୍ତୁ ପାକିସ୍ତାନ ଏବେ ଭାରତ ସମେତ ଏହାର ଅନ୍ୟ ପଡ଼ୋଶୀ ଦେଶ ସହିତ ଶାନ୍ତି ଚାହୁଛି। ଏପରିକି ୧୦୦ ବର୍ଷ ପର୍ଯ୍ୟନ୍ତ କୌଣସି ଯୁଦ୍ଧ ଚାହୁନାହିଁ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଓ ଅର୍ଥନୈତିକ ସଂପର୍କ ମଧ୍ୟ ସ୍ବାଭାବିକ କରିବାକୁ ପାକିସ୍ତାନ ଆଗ୍ରହୀ ରହିଛି। କାଶ୍ମୀର ସମସ୍ୟାର ବିନା ସମାଧାନରେ ପାକିସ୍ତାନ ଏଥିପ୍ରତି ଆଗଭର ଅଛି ବୋଲି ଜଣାଯାଇଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ପାକିସ୍ତାନର ଜଣେ ସରକାରୀ ଅଧିକାରୀ ଗଣମାଧ୍ୟମକୁ ଏହା କହିଛନ୍ତି। ପାକିସ୍ତାନର ନୂଆ ବିଦେଶ ଓ ସୁରକ୍ଷା ନୀତିରେ ଏହାର ‌ପଡ଼ୋଶୀ ସହିତ ଶାନ୍ତି ଚାହୁଛି ବୋଲି ଅଧିକାରୀ ଜଣକ କହିଛନ୍ତି।

India Today

ପାକିସ୍ତାନର ନୂଆ ସୁରକ୍ଷା ନୀତିରେ ଯେଉଁ ବିଦେଶ ନୀତି ଗ୍ରହଣ କରାଯିବ ତାହାର କେନ୍ଦ୍ରବିନ୍ଦୁ ପଡ଼ୋଶୀଙ୍କ ସହିତ ସଂପର୍କ ଏବଂ ଅର୍ଥନୈତିକ କୂଟନୀତି ରହିବ। ୧୦୦ ପୃଷ୍ଠା ବିଶିଷ୍ଟ ଏହି ନୀତିରେ ଦୀର୍ଘଦିନର କାଶ୍ମୀର ସମସ୍ୟା ସମାଧାନ କରା ନଯାଇ ମଧ୍ୟ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କ ସ୍ଥାପନ ପାଇଁ କୁହାଯାଇଛି। କିନ୍ତୁ ଆଣବିକ ଶକ୍ତିରେ ବଳୀୟାନ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତାର ଅଗ୍ରଗତି ଉପରେ ଏହା ନିର୍ଭର କରୁଛି। ଦୁଇ ଦେଶ ମଧ୍ୟରେ ଯଦି କଥାବାର୍ତ୍ତା ଫଳପ୍ରଦ ହୁଏ ତା’ହେଲେ ବାଣିଜ୍ୟିକ ସଂପର୍କ ଅତୀତ ଭଳି ସ୍ବାଭାବିକ ହେବ। ତେବେ ବର୍ତ୍ତମାନର ନରେନ୍ଦ୍ର ମୋଦୀଙ୍କ ସରକାର ଅମଳ‌ରେ ଏଥିରେ ଉନ୍ନତି ଆସିବାର ସମ୍ଭାବନା ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପଠାନକୋଟ ବିମାନ ଘାଟିରେ ୨୦୧୬ରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ଅଧିକ ତିକ୍ତ ହୋଇଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ବାୟୁସେନା ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀ ଶିବିର ନଷ୍ଟ କରିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ଖରାପ ହୋଇଥିଲା। ଏଥିସହିତ ଭାରତ ସରକାର ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଅଧିକ ଖପ୍ପା ହୋଇଛି। ତେଣୁ ପାକିସ୍ତାନର ନୂଆ ସୁରକ୍ଷା ନୀତି ଯଦି କାର୍ଯ୍ୟକାରୀ ହେ‌ଲେ ଦୁଇ ଦେଶର ସଂପର୍କରେ ସୁଧାର ଆସିବ ବୋଲି ଆଶା କରାଯାଉଛି। କିନ୍ତୁ ଏହା କେତେମାତ୍ରାରେ ବାସ୍ତବ ରୂପ ନେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ୧୦୦ ପୃଷ୍ଠାର ଏହି ରିପୋର୍ଟକୁ ଇମ୍ରାନ ଖାନ ଶୁକ୍ରବାର ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି। ପାକିସ୍ତାନର ଜାତୀୟ ସୁରକ୍ଷା ନୀତିକୁ ପୃଥକ ଭାବେ ଦେଶର ଜାତୀୟ ସୁରକ୍ଷା କମିଟି ଏବଂ କ୍ୟାବିନେଟ୍ ଗତମାସରେ ସ୍ବୀକୃତି ଦେଇଛି।

ସମ୍ବନ୍ଧିତ ଖବର