ଇସଲାମାବାଦ/ରିୟାଦ: ପାକିସ୍ତାନ ସାଉଦି ଆରବକୁ ନିଜର ପରମାଣୁ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଅଛି ବୋଲି ଗତକାଲି ସ୍ପଷ୍ଟ କରିବା ପରେ ଏହା ବିଶ୍ବରେ ହଇଚଇ ସୃଷ୍ଟି କରିଛି। ଏଭଳି ପଦକ୍ଷେପ ମଧ୍ୟପ୍ରାଚ୍ୟରେ ଏକ ନୂଆ ପରମାଣୁ ସଙ୍କଟ ସୃଷ୍ଟି କରିପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ ବୟାନରେ କହିଥିଲେ ଯେ ଆମେ ବହୁ ପୂର୍ବରୁ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ହୋଇଛୁ । ଆମ ପାଖରେ ପ୍ରଶିକ୍ଷିତ ପରମାଣୁ ବାହିନୀ ଅଛି ଏବଂ ଏହି କ୍ଷମତା ସାଉଦୀ ଆରବକୁ ଏକ ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ହସ୍ତାନ୍ତର କରାଯିବ। ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ମଧ୍ୟରେ ସ୍ବାକ୍ଷରିତ ନୂଆ ପ୍ରତିରକ୍ଷା ଚୁକ୍ତି ପରେ ଏହି ବୟାନ ସମଗ୍ର ବିଶ୍ବରେ ସୁରକ୍ଷା ଚିନ୍ତା ବଢ଼ାଇ ଦେଇଛି।
ଆସିଫ୍ ସ୍ପଷ୍ଟ କରିଛନ୍ତି, ‘ଯଦି ପାକିସ୍ତାନ କିମ୍ବା ସାଉଦି ଆରବ ଉପରେ କୌଣସି ଆକ୍ରମଣ ହୁଏ, ତାହା ଉଭୟ ଦେଶ ଉପରେ ଆକ୍ରମଣ ବୋଲି ଗ୍ରହଣ କରାଯିବ ଏବଂ ଆମେ ମିଳିତ ଭାବେ ଜବାବ ଦେବୁ। ଏହା ଏକ ସୁରକ୍ଷା ବ୍ୟବସ୍ଥା, ଯେଉଁଥିରେ ଉଭୟ ଦେଶ ପରସ୍ପରକୁ ସୁରକ୍ଷା ଦେବେ।’ ବିଶେଷଜ୍ଞମାନେ କହିଛନ୍ତି, ଏହି ପଦକ୍ଷେପ ଆମେରିକାର ଆଞ୍ଚଳିକ ସୁରକ୍ଷା ଭୂମିକା ହ୍ରାସ କରିବା ସହ ଇସ୍ରାଏଲର ଆକ୍ରମଣାତ୍ମକ କାର୍ଯ୍ୟକଳାପରେ ଲଗାମ ଲଗାଇ ପାରିବ। ତେବେ ପ୍ରଥମ ଥର ପାଇଁ ପରମାଣୁ କ୍ଷମତା ହସ୍ତାନ୍ତର କରିବା ପାଇଁ ପାକିସ୍ତାନର ନିଷ୍ପତ୍ତି ସମଗ୍ର ବିଶ୍ୱର ସୁରକ୍ଷା ପାଇଁ ଚିନ୍ତାଜନକ ବୋଲି ଅନେକ ବିଶେଷଜ୍ଞ ଦର୍ଶାଇଛନ୍ତି। ପାକିସ୍ତାନର ପରମାଣୁ ହସ୍ତାନ୍ତର ସଂକ୍ରାନ୍ତ ଘୋଷଣା ପରେ ଅନ୍ତର୍ଜାତୀୟ ସମୁଦାୟ ଏବେ ସତର୍କ ହୋଇଛି।