ଗିଲ୍‌ଗିଟ୍‌-ବା‌ଲ୍‌ତିସ୍ତାନକୁ ପ୍ରଦେଶ ମାନ୍ୟତା ପାଇଁ ପାକ୍‌ ଯୋଜନା, ବାରମ୍ବାର ସତର୍କ କରାଇଛି ଭାରତ

ଇସଲାମାବାଦ: ବିବାଦୀୟ ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନକୁ ପାକିସ୍ତାନ ସରକାର ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେବା ଯୋଜନା ଚଳାଇଛି। ରବିବାର ଡନ୍‌ ଖବରକାଗଜରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଜମ୍ମୁ କାଶ୍ମୀର ଏବଂ ଲଦାଖ ସମେତ ଏହି ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ପାକିସ୍ତାନକୁ ବାରମ୍ବାର ଚେତାବନୀ ଦିଆଯାଉଛି। ଭାରତ ସହିତ ଏହି ଅଞ୍ଚଳର ମିଶ୍ରଣ ସମ୍ପୂର୍ଣ୍ଣ ଭାବେ ଆଇନସମ୍ମତ ଭାବେ ହୋଇଥିଲା। ବେଆଇନ ଏବଂ ବଳପୂର୍ବକ ନିଜ ଅଧୀନରେ ରଖିଥିବା ଏହି ଅଞ୍ଚଳ ଉପରେ ପାକିସ୍ତାନ ସରକାର କିମ୍ବା ଏହାର ନ୍ୟାୟପାଳିକାର କୌଣସି ନିଷ୍ପତ୍ତି ନେବାର ଅଧିକାର ନାହିଁ ବୋଲି ଭାରତ କହୁଛି। ଏହା ସତ୍ତ୍ବେ ପାକିସ୍ତାନ ଏହାକୁ ପ୍ରଦେଶ ପାହ୍ୟା ଦେବାକୁ ଉଦ୍ୟମ ଚଳାଇଛି।

ଡନ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ପାକିସ୍ତାନର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରସ୍ତାବ ବିଚାରାଧୀନ ରହିଛି। ଉକ୍ତ ପ୍ରସ୍ତାବ ଅନୁଯାୟୀ, ଗିଲଗିଟ୍‌-ବାଲ୍‌ତିସ୍ତାନରେ ଥିବା ସୁପ୍ରିମ ଆପିଲେଟ କୋର୍ଟ (ଏସ୍‌ଏସି)କୁ ଉଚ୍ଛେଦ କରାଯାଇପାରେ। କେବଳ ସେତିକି ନୁହେଁ ଏହି ଅଞ୍ଚଳର ନିର୍ବାଚନ କମିସନକୁ ମଧ୍ୟ ପାକିସ୍ତାନ ନିର୍ବାଚନ କମିସନ ସହିତ ମିଶାଇ ଦିଆଯାଇପାରେ। ଆଇନ ମନ୍ତ୍ରାଳୟ ସୂତ୍ରକୁ ଉଦ୍ଧାର କରି ଉକ୍ତ ଖବରକାଗଜ ଦର୍ଶାଇଛି ଯେ ଉକ୍ତ ଚିଠା ବିଲ୍‌ର ନାମ ‘୨୬ତମ ସାମ୍ବିଧାନିକ ସଂଶୋଧନ ବିଲ୍‌’ ରହିଛି। ପ୍ରସ୍ତୁତ ହୋଇଥିବା ଉକ୍ତ ବିଲ୍‌କୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନିକଟରେ ଦାଖଲ କରାଯାଇଛି। ଗତମାସ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ଉକ୍ତ ବିଲ୍‌ ପ୍ରସ୍ତୁତି ଦାୟିତ୍ବ ଆଇନ ମନ୍ତ୍ରୀ ଫାରୋଘ ନସୀମଙ୍କୁ ଦେଇଥିଲେ।

ପାକିସ୍ତାନ ଅଧୀକୃତ କାଶ୍ମୀର ଏବଂ ଗିଲ୍‌ଗିଟ-ବାଲତିସ୍ତାନ ସରକାରଙ୍କ ଭଳି ଅଂଶୀଦାରଙ୍କ ସହିତ ଉକ୍ତ ବିଲ୍‌ ଉପରେ ବିଚାରବିମର୍ଶ ହୋଇଛି। ଉକ୍ତ ଅଞ୍ଚଳର ସମ୍ବେଦନଶୀଳତକୁ ବିଚାରକୁ ନେଇ ଏହାକୁ ଅସ୍ଥାୟୀ ଭାବେ ଏକ ରାଜ୍ୟ ମାନ୍ୟତା ଦେବା ଲାଗି ବିଲ୍‌ରେ ବ୍ୟବସ୍ଥା ହୋଇଛି। ପାକିସ୍ତାନ ସମ୍ବିଧାନର ଧାରା ୧ରେ ପ୍ରଦେଶ ଏବଂ ଅଞ୍ଚଳ ବିଷୟ ରହିଥିବାରୁ ଏଥିପାଇଁ ଉକ୍ତ ଧାରାରେ ସଂଶୋଧନ ଅଣାଯିବ। ଏଥିସହିତ ସମ୍ବିଧାନ ସଂଶୋଧନରେ ଉକ୍ତ ଅଞ୍ଚଳର ଲୋକଙ୍କୁ ପାକିସ୍ତାନ ସଂସଦରେ ପ୍ରତିନିଧିତ୍ବ କରିବାର ସୁଯୋଗ ଯୋଗାଇ ଦିଆଯିବ। ଗୋଟିଏ ଅଞ୍ଚଳକୁ ନିଜ ଦେଶ ସହ ମିଶାଇବାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଯେଉଁସବୁ ବ୍ୟବସ୍ଥା ରହିଛି ସେହି ଅନୁଯାୟୀ ଉକ୍ତ କାର୍ଯ୍ୟ କରାଯାଉଛି ବୋଲି କୁହାଯାଉଛି।

କାଶ୍ମୀର ପ୍ରସଙ୍ଗ ଉପରେ ଏହାର ଯେଭଳି ପ୍ରତିକୂଳ ପ୍ରଭାବ ନ‌ପଡ଼େ ସେଥିପ୍ରତି ପାକିସ୍ତାନ ମଧ୍ୟ ସତର୍କ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନ ପାଇଁ ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ପରିଣତ ହୋଇଯାଇଛି। କାରଣ ଏହି ଅଞ୍ଚଳ ଦେଇ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଯିବ। ପାକିସ୍ତାନ ଅନ୍ତର୍ଗତ ବେଲୁଚିସ୍ତାନ ପ୍ରଦେଶର ଗ୍ବାଦର ବନ୍ଦର ସହିତ ସିପିଇସି ଚୀନର ଜିନଜିଆଙ୍ଗ୍ ପ୍ରଦେଶକୁ ସଂଯୋଗ କରିବ। ଚୀନର ଉଚ୍ଚାଭିଳାଷୀ ପ୍ରକଳ୍ପ ବିଆରଆଇ (ବର୍ଡର ରୋଡ୍‌ ଇନିସିଏଟିଭ) ଅଧୀନରେ ସିପିଇସି ଆସୁଛି।

ସମ୍ବନ୍ଧିତ ଖବର