ୟାସିନ ମଲିକ ସମର୍ଥନରେ ପାକ୍‌ ପ୍ରଧାନମନ୍ତ୍ରୀ: ଭାରତୀୟ ଲୋକତନ୍ତ୍ରର ‘କଳା ଦିବସ କହିଲେ

ଦେଶବିରୋଧୀ ସ୍ଲେଗାନ ପୁଲିସକୁ ପଥର ମାଡ଼, ୧୦ ଗିରଫ

ନୂଆଦିଲ୍ଲୀ : ଟେରର୍ ଫଣ୍ଡିଂ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ମାମଲାରେ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଗତକାଲି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ତାଙ୍କ ଦଣ୍ଡ ଉପରେ ପ୍ରତିକ୍ରିୟା ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ କହିଛନ୍ତି ଯେ ଏହା ଭାରତୀୟ ଲୋକତନ୍ତ୍ର ଏବଂ ଏହାର ନ୍ୟାୟ ବ୍ୟବସ୍ଥା ପାଇଁ ଏକ ‘କଳା ଦିବସ’। ୟାସିନଙ୍କ ବିରୋଧରେ ମିଛ ଅଭିଯୋଗ ହୋଇଥିବା କହି ମୋଦୀ ସରକାରକୁ ଉତ୍ତରଦାୟୀ କରିବାକୁ ଶେହବାଜ୍ ବିଶ୍ୱ ସମୁଦାୟକୁ କହିଛନ୍ତି। ଭାରତ ୟାସିନଙ୍କୁ ଶାରୀରିକ ଭାବେ କାରାଗାରରେ ରଖିପାରିବ କିନ୍ତୁ ସ୍ୱାଧୀନତାକୁ ନେଇ ଥିବା ତାଙ୍କ ବିଚାରଧାରାକୁ କେବେ ହେଲେ ମଧ୍ୟ ବନ୍ଦୀ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଏଥିସହ ତାଙ୍କର ଆଜୀବନ କାରାଦଣ୍ଡ କାଶ୍ମୀରବାସୀଙ୍କ ସ୍ବାଧୀନତା ଅଧିକାରକୁ ନୂତନ ପ୍ରେରଣା ଯୋଗାଇବ ବୋଲି ଶେହବାଜ୍ ଟ୍ୱିଟ୍ କରି କହିଛନ୍ତି।

ଦେଶବିରୋଧୀ ସ୍ଲେଗାନ ପୁଲିସକୁ ପଥର ମାଡ଼, ୧୦ ଗିରଫ
ଶ୍ରୀନଗର: ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ବିରୋଧରେ ତାଙ୍କ ସମର୍ଥକମାନେ ହିଂସା ଜାରି ରଖିଛନ୍ତି। ଆଜି ୟାସିନଙ୍କ ଘର ବାହାରେ କେତେକ ସମର୍ଥକ ସମବେତ ହୋଇ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏବଂ ପୁଲିସ ବାହିନୀ ଉପରକୁ ପଥର ମାଡ଼ କରିଥିଲେ। ଏହି ମାମଲାରେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କାଶ୍ମୀରର ଅନ୍ୟ ଅଂଚଳରେ ମଧ୍ୟ ୟାସିନ ସମର୍ଥକଙ୍କ ଦ୍ବାରା ହିଂସା ସୃଷ୍ଟି ପାଇଁ ହୋଇଥିବା ଉଦ୍ୟମକୁ ପୁଲିସ ପଣ୍ଡ କରିଦେଇଛି। ଏନ୍‌ଆଇଏ କୋର୍ଟ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ଅନ୍ୟ ‌ଅପରାଧିକ ମାମଲାରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଏହାକୁ ବିରୋଧ କରି କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କ ଦ୍ବାରା ହିଂସା ସୃଷ୍ଟି ପାଇଁ ଉଦ୍ୟମ ହେଉଛି ।

ସମ୍ବନ୍ଧିତ ଖବର