ପାକିସ୍ତାନ ରାଜ‌ନୈତିକ ସଙ୍କଟ: ସୁପ୍ରିମ୍‌ କୋର୍ଟରେ ହାରିଲେ ଇମ୍ରାନ୍‌, ୯ରେ ଅନାସ୍ଥା ଭୋଟ୍‌

ଉପବାଚସ୍ପତିଙ୍କ ନିଷ୍ପତ୍ତି ଖାରଜ, ସଂସଦ ଭଙ୍ଗ ନିଷ୍ପତ୍ତି ବି କାର୍ଯ୍ୟକାରୀ ହେବନି

ଇସଲାମାବାଦ: ପାକିସ୍ତାନ ସୁପ୍ରିମ୍‌ କୋର୍ଟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ଖାରଜ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ଏହା ସହିତ ସଂସଦ ଭଙ୍ଗ ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ବିଧାନର ପ୍ରକ୍ରିୟା ମୁତାବକ ହୋଇନଥିବାରୁ ଏହାକୁ କୋର୍ଟ ବେଆଇନ ଦର୍ଶାଇଛନ୍ତି। ଏହା ସହିତ ଆସନ୍ତା ୯ ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲଗାତାର ୪ ଦିନ ଶୁଣାଣି କରିବାପରେ ସୁପ୍ରିମକୋର୍ଟ ଆଜି ଏହି ମାମଲାରେ ରାୟ ଘୋଷଣା କରିଛନ୍ତି। ଉପ ବାଚସ୍ପତି କ୍ବାସିମ ସୁରି ଏକଚାଟିଆ ଭାବେ ଇମ୍ରାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ଖାରଜ କରିବାର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ପାକିସ୍ତାନ ପ୍ରଧାନ ବିଚାରପତି ଉମର ଅତା ବନ୍ଦିୟାଲଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ରାୟ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ବନ୍ଦିଆଲ କହିଥିଲେ, ଉପ ବାଚସ୍ପତିଙ୍କ ରାୟ ସମ୍ବିଧାନର ଧାରା ୯୫କୁ ଉଲ୍ଲଂଘନ କରୁଛି। ଜାତୀୟ ସ୍ବାର୍ଥ ଓ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଧ୍ୟାନ ନଦେଇ ଏକଚାଟିଆ ନିଷ୍ପତ୍ତି ନିଆଯାଇଥିଲା ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଆଜିର ଶୁଣାଣି ସମୟରେ ଉପ ବାଚସ୍ପତି ସୁରିଙ୍କ ପାଇଁ କୋର୍ଟରେ ନଇମ ବୋଖାରି ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପକ୍ଷରୁ କୋର୍ଟରେ ଇମତିଆଜ ସିଦ୍ଦିକି ଉପସ୍ଥିତ ଥିବା ବେଳେ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭିଙ୍କୁ ଅଲି ଜାଫର ପ୍ରତିନିଧିତ୍ବ କରିଥିଲେ। ଏଟର୍ଣ୍ଣି ଜେନେରାଲ୍‌ ଖାଲେଦ ଜାଭେଦ ଖାନ୍‌ ସରକାରଙ୍କୁ ପ୍ରତିନିଧିତ୍ବ କରିଥିଲେ। ପ୍ରଧାନ ବିଚାରପତି କହିଥିଲେ ସାମ୍ବିଧାନିକ ବ୍ୟବସ୍ଥାର ଏଭଳି ଉଲ୍ଲଂଘନକୁ କୌଣସି ସ୍ଥିତିରେ ବି ଗ୍ରହଣ କରାଯିବ ନାହିଁ। ସେହିପରି ଦେଶରେ ସାମ୍ବିଧାନିକ ସଙ୍କଟ ନେଇ ରାଷ୍ଟ୍ରପତିଙ୍କ ଓକିଲ କିଛି ଦର୍ଶାଇ ନଥିବାରୁ ଏନେଇ ପ୍ରଧାନ ବିଚାରପତି କ୍ଷୁବ୍ଧ ହୋଇଥିଲେ । ସୁପ୍ରିମ୍‌ କୋର୍ଟ ରାୟ ଆସିବା ପରେ ପାକିସ୍ତାନର ବିଭିନ୍ନ ଅଂଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇସ୍‌ଲାମାବାଦରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। ଇମ୍ରାନ୍‌ଙ୍କ ବିରୋଧରେ ବିରୋଧୀ ଦଳମାନେ ଏକଜୁଟ ଥିବାରୁ ସରକାର କ୍ଷମତାରୁ ଯିବା ନିଶ୍ଚିତ ବୋଲି କୁହାଯାଉଛି। କୋର୍ଟରୁ ବଡ଼ ଝଟ୍‌କା ମିଳିବା ପରେ ଇମ୍ରାନ୍‌ ଆଜି ତାଙ୍କ ସମର୍ଥକଙ୍କ ସହ ଏକ ବୈଠକ କରିଛନ୍ତି।

ସମ୍ବନ୍ଧିତ ଖବର