ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ପାଇଥିବା ବେଳେ ଆଫ୍‌ଗାନ ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ଜାରି ହୋଇଥିବା ମିଳିତ ବୟାନକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ବୟାନ ଜମ୍ମୁ-କାଶ୍ମୀରକୁ ନେଇ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରୁଛି ବୋଲି ପାକିସ୍ତାନ ଦାବି କରିଛି। ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର୍‌ ଖାନ୍‌ ମୁତ୍ତାକି ନୂଆଦିଲ୍ଲୀରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବା ପରେ ଉଭୟ ଦେଶ ମିଳିତ ବିବୃତି ଜାରି କିରିଥିଲେ।  ଏହି ବୟାନ ଦ୍ୱିପାକ୍ଷିକ ସମ୍ପର୍କ, ଆତଙ୍କବାଦକୁ ବିରୋଧ ଓ ଆଞ୍ଚଳିକ ଶାନ୍ତି ଉପରେ ଗୁରୁତ୍ୱ ଦେଇଥିଲା।

Advertisment

ଏପ୍ରିଲ ୨୨, ୨୦୨୫ରେ ଜମ୍ମୁ ଓ କାଶ୍ମୀରର ପହାଲଗାମରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁକୁ ଆଫଗାନିସ୍ତାନର ତୀବ୍ର ନିନ୍ଦାକୁ ଭାରତ ପ୍ରଶଂସା କରିଥିଲା। ମୁତ୍ତାକି କହିଥିଲେ, ‘ଆଫଗାନ ଭୂମି କୌଣସି ଦେଶ ବିରୋଧରେ ଆତଙ୍କବାଦ ପାଇଁ ବ୍ୟବହାର ହେବ ନାହିଁ।’ ସେ ଆତଙ୍କବାଦକୁ ପାକିସ୍ତାନର ଆଭ୍ୟନ୍ତରୀଣ ସମସ୍ୟା ବୋଲି ଅଭିହିତ କରି କାବୁଲରେ ହୋଇଥିବା ବିସ୍ଫୋରଣ ପାଇଁ ପାକିସ୍ତାନକୁ ଦାୟୀ କରିଥିଲେ। ଏହାର ପ୍ରତିବାଦରେ ପାକିସ୍ତାନ ଗତକାଲି ଆଫଗାନ ରାଷ୍ଟ୍ରଦୂତଙ୍କୁ ଡକାଇ  ପ୍ରତିକ୍ରିୟା ଜଣାଇଥିଲା। ଭାରତ-ଆଫ୍‌ଗାନ ବୟାନରେ ଜମ୍ମୁ ଓ କାଶ୍ମୀରକୁ ଭାରତର ଅଂଶ ବୋଲି ଉଲ୍ଲେଖକୁ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବର ଉଲ୍ଲଂଘନ ବୋଲି  ପାକିସ୍ତାନ ଦାବି କରିଥିଲା।  ଏବେ ପାକିସ୍ତାନ-ଆଫଗାନିସ୍ତାନ  ସୀମା ବିବାଦ ଓ ଆତଙ୍କବାଦକୁ ନେଇ ଜଟିଳ ସ୍ଥିତି ଭୂ-ରାଜନୈତିକ ଉତ୍ତେଜନାକୁ ବଢ଼ାଇ ଦେଇଛି। ଭାରତ ଏବେ ତାଲିବାନ ସହ ସମ୍ପର୍କ ବଢ଼ାଇବା ନେଇ ସ୍ପଷ୍ଟ ସଙ୍କେତ ଦେଇଥିବାରୁ ଏହା ଦକ୍ଷିଣ ଏସିଆରେ ନୂଆ ସମୀକରଣ ସୃଷ୍ଟି କରିବ ।