ନୂଆଦିଲ୍ଲୀ: ଭାରତ ବିରୋଧରେ ଦୀର୍ଘ ଦିନର ଛାୟା ଯୁଦ୍ଧକୁ ପାକିସ୍ତାନ ଏବେ ନୂଆ ରୂପରେ ତୀବ୍ର କରିଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ଏକ ଭୟଙ୍କର ଆତଙ୍କବାଦୀ ଷଡ୍ଯନ୍ତ୍ର ପ୍ରସ୍ତୁତ କରିଛି, ଯାହା ବିଶ୍ୱର ବୃହତ୍ତମ ଗଣତନ୍ତ୍ରକୁ ଅସ୍ଥିର କରିଦେବା ଲକ୍ଷ୍ୟ ରଖିଛି। ଏବେ ଭାରତର ଏଜେନ୍ସିମାନେ ଏହି ଷଡ୍ଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି ଏବଂ ବହୁତ ବଡ଼ ଆକ୍ରମଣ ଯୋଜନା ପଣ୍ଡ କରିଛନ୍ତି। ଉତ୍ତରପ୍ରଦେଶ, ହରିୟାଣା, ଗୁଜରାଟ ଓ ଜମ୍ମୁ-କାଶ୍ମୀରରେ ଚାରି ଦିନରେ ଚାରି ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି, ଯେଉଁମାନେ ସିଧାସଳଖ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ। ଦିଲ୍ଲୀର ଆଜାଦପୁର ମଣ୍ଡି, ଅହମଦାବାଦର ନାରୋଦା ବଜାର ଓ ଲକ୍ଷ୍ନୌର ଆର୍ଏସ୍ଏସ୍ ମୁଖ୍ୟାଳୟ ଭଳି ଜନଗହଳି ସ୍ଥାନରେ ରିସିନ ବିଷ ମିଶ୍ରିତ ରାସାୟନିକ ଆକ୍ରମଣ ଓ ଶକ୍ତିଶାଳୀ ବୋମା ବିସ୍ଫୋରଣ ଷଡ୍ଯନ୍ତ୍ର ହୋଇଥିଲା। ଏକ ଜଟିଳ ଆତଙ୍କୀ ନେଟ୍ୱର୍କର ସ୍ଲିପର ଏଜେଣ୍ଟ ଭାବେ ଏହି ଡାକ୍ତରମାନେ କାର୍ଯ୍ୟ କରୁଥିଲେ। ଏହା ପାକିସ୍ତାନର ଆତଙ୍କବାଦୀ ରଣନୀତିର ଏକ ପରିବର୍ତ୍ତିତ ରୂପ ହୋଇଥିବା ବେଳେ ଜୈସ-ଏ-ମହମ୍ମଦ, ଲସ୍କର-ଏ-ତଏବା ଭଳି ଆତଙ୍କୀ ସଂଗଠନସହ ହାତ ମିଳାଇ ଆଇଏସ୍ଆଇ ଭାରତରେ ଏକ ‘ଜିହାଦୀ ଇକୋସିଷ୍ଟମ’ ଗଢ଼ିଛି।
ଆତଙ୍କୀମାନଙ୍କଠାରୁ ଜବତ ହୋଇଥିବା ସାମଗ୍ରୀ ଏକ ଭୟଙ୍କର ଚିତ୍ର ଉପସ୍ଥାପନ କରୁଛି। ୨୯୦୦ କିଲୋଗ୍ରାମରୁ ଅଧିକ ଆମୋନିୟମ ନାଇଟ୍ରେଟ ବିସ୍ଫୋରକ ଜବତ ହୋଇଛି ଯାହା ଗଣବିଧ୍ବଂସୀ ବୋମା ବିସ୍ଫୋରଣ ପାଇଁ ଯଥେଷ୍ଟ।
ଏହା ସହିତ ୨ ଲିଟର ଅତି ମାରାତ୍ମକ ରସାୟନ ଜବତ ହୋଇଛି ଯାହା ସାଏନାଇଡଠାରୁ ୬୦୦୦ ଗୁଣ ଅଧିକ ବିଷାକ୍ତ ରିସିନ ତିଆରି ପାଇଁ ହୋଇଥିଲା। ଏହା ସହିତ ବହୁ ସଂଖ୍ୟାରେ ଅତ୍ୟାଧୁନିକ ପିସ୍ତଲ, ଏକେ-୪୭ ଓ ଅଟୋମାଟିକ୍ ରାଇଫଲ ଆଦି ଜବତ ହୋଇଛି। କାଶ୍ମୀରରୁ ଗିରଫ ହୋଇଥିବା ଡା. ଅଦୀଲ ଅହମଦ ରାଥର (୨୭) ଅନନ୍ତନାଗର ଜଣେ ରେସିଡେଣ୍ଟ ଡାକ୍ତର ଏବଂ ଜୈସ୍ର ସ୍ଲିପର୍ ସେଲ୍ ଆତଙ୍କୀ। ଡ. ଅହମଦ ମହିଉଦ୍ଦିନ ସୈୟଦ (୩୫) ଜଣେ ଆଇଏସ୍ ଆତଙ୍କୀ ବୋଲି ଖୋଳତାଡ଼ରୁ ଜଣାପଡ଼ିଛି। ଡ. ମୁଜାମିଲ ଶାକିଲ ଜଣେ କାଶ୍ମୀରୀ ଅଧ୍ୟାପକ ଏବଂ ସେ ପାକିସ୍ତାନର ‘ହ୍ୱାଇଟ-କଲାର ଆତଙ୍କ’ ରଣନୀତିର ପ୍ରତୀକ ବୋଲି କୁହାଯାଉଛି। ‘ଏନ୍କ୍ରିପ୍ଟେଡ ଆପ୍’ ଓ ‘ଅନ୍ଲାଇନ ପ୍ରୋପାଗାଣ୍ଡା’ ମାଧ୍ୟମରେ ଶିକ୍ଷିତ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଭାବେ ପ୍ରସ୍ତୁତ କରି ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ହୋଇଛି। ଏହି ଆତଙ୍କବାଦୀମାନେ ବିଭିନ୍ନ ରାଜ୍ୟର ଜନଗହଳି ସ୍ଥାନରେ ଆକ୍ରମଣ ଯୋଜନା କରୁଥିଲେ। ଭାରତର ଉଚ୍ଚ ଶିକ୍ଷିତ ଯୁବକଙ୍କ ମଧ୍ୟରେ ଆତଙ୍କୀ ମାନସିକତା ଭରିଦେବା ପାଇଁ ପାକିସ୍ତାନର ଏହି ଷଡ୍ଯନ୍ତ୍ର ଏବେ ବିଶ୍ବବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଆଜି ପୁଲିସ ହରିୟାଣାର ଫରିଦାବାଦରୁ ଯେଉଁ ମହିଳା ଡାକ୍ତର ଶାହିନ ସାହିଦଙ୍କୁ ଗିରଫ କରିଛି, ତାଙ୍କ ଗାଡ଼ିରୁ ଏକ ଶକ୍ତିଶାଳୀ ସ୍ବୟଂଚାଳିତ ରାଇଫଲ ମିଳିବା ସମସ୍ତଙ୍କୁ ହତ୍ବାକ କରିଦେଇଛି। ଆତଙ୍କବାଦୀଙ୍କ ଏଭଳି ଜଟିଳ ନେଟ୍ୱର୍କ ଭାରତରେ ଠାବ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ମାମଲା ଡିଜିଟାଲ ଯୁଗରେ ଆତଙ୍କବାଦର ନୂଆ ରୂପକୁ ସାମନାକୁ ଆଣୁଛି। ଗୁଜରାଟ ଏଟିଏସ୍, ଜମ୍ମୁ କାଶ୍ମୀର ପୁଲିସ ଏବଂ ହରିୟାଣା ପୁଲିସର ମିଳିତ ଉଦ୍ୟମ ଦ୍ୱାରା ଏହି ଗିରଫଦାରି ଏକ ଉଲ୍ଲେଖନୀୟ ସଫଳତା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/11/untitled-16-2025-11-11-07-42-41.jpg)