ପାକିସ୍ତାନର ଦୋମୁହାଁ ନୀତି: ତାଲିବାନ ଗଜନିରେ ଲାଗୁ କଲା ‘ଶାରିଆ’

ତୁରନ୍ତ ଆଫଗାନିସ୍ତାନ ଛାଡ଼ିବାକୁ ନାଗରିକଙ୍କୁ ଅନୁରୋଧ କଲା ଆମେରିକା

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଥିବା ଗୋଇନ୍ଦା ରିପୋର୍ଟ ଅନୁଯାୟୀ ତାଲିବାନମାନେ ଆଫଗାନିସ୍ତାନର ବାଦାଖଶାନ, ତାଖର ଓ ଗଜନି ପ୍ରଦେଶରେ ଫତୱା ଜାରି କରିଛନ୍ତି ଯେ, ୧୨ ବର୍ଷରୁ ଊର୍ଦ୍ଧ୍ବ ବାଳିକା ଓ ବିଧବାମାନଙ୍କୁ ଯୋଦ୍ଧାମାନେ ନେଇଯାଇପାରିବେ। ସେମାନେ ମଧ୍ୟ ସୁରକ୍ଷା କର୍ମୀମାନଙ୍କ ପରିବାରକୁ ଟାର୍ଗେଟ କରିବା ସହ ସେମାନଙ୍କ ସମ୍ପତ୍ତି ଲୁଟ କରିବାରେ ଲାଗିଛନ୍ତି। ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରଠାରୁ ଆଫଗାନିସ୍ତାନରେ ତାଲିବାନ ବିଦ୍ରୋହୀ ଓ ଆଫଗାନ ସୁରକ୍ଷା ବଳ ମଧ୍ୟରେ ଯୁଦ୍ଧ ଲାଗରହିଛି। ପାକିସ୍ତାନ ଦୋମୁହାଁ ନୀତି ଅବଲମ୍ବନ କରୁଛି। ଗୋଟିଏ ପଟେ କହୁଛି ସେ ଶାନ୍ତି ଚାହେଁ ଏବଂ ଅନ୍ୟ ପଟରେ ସୁନ୍ନି ପାଶତୁନ ଇସଲାମିକ୍ ମୌଳବାଦୀ ଗୋଷ୍ଠୀଙ୍କ ଯୁଦ୍ଧ ଓ ହିଂସାକାଣ୍ଡରେ ତାଙ୍କୁ ସାହାଯ୍ୟ କରୁଛି। ଆଫଗାନ ଲୋକମାନେ ଭାବୁଛନ୍ତି ଯେ ତାଲିବାନ ୨.୦ ଆଦୌ ବଦଳିନାହିଁ। ସେ ଚାହୁଁଛି ଦେଶରେ ଶାରିଆ ଆଇନ ଲାଗୁ କରିବ।

୨୫ ବର୍ଷ ତଳେ ସେମାନେ କାବୁଲ ଦଖଲ କଲାବେଳେ ଯାହା କରିଥିଲେ ବର୍ତ୍ତମାନ ବି ସେଇଆ କରୁଛନ୍ତି। ପାକିସ୍ତାନ ଦୁଇପାଖିଆ ଖେଳ ଖେଳିବା ସହ ଆଫଗାନିସ୍ତାନ ଦଖଲରେ ମୌଳବାଦୀ ଗୋଷ୍ଠୀକୁ ସାହାଯ୍ୟ କରୁଥିବ‌ାବେଳେ ଆମେରିକା ପ୍ରଭୃତି ପାଶ୍ଚାତ୍ୟ ଦେଶର କିଛି ନିର୍ଦ୍ଦିଷ୍ଟ ଯୋଜନା ଥିଲା ଭଳି ମନେହେଉ ନାହିଁ। ଦେଶର ସାମରିକ ଶକ୍ତିର ବିଦ୍ରୋହୀଙ୍କ ସହ ଲଢ଼ିବାରେ ସମୟ ଯାଉଥିବାବେଳେ ଏହି ଅବସରରେ ପାକିସ୍ତାନ, ସିନକିଆଙ୍ଗ ଓ ଉଜବେକିସ୍ତାନରୁ ଆତଙ୍କବାଦୀମାନେ ପୂର୍ବ ଓ ଉତ୍ତର ଆଫଗାନିସ୍ତାନର ତାଲିବାନ-ଅଧିକୃତ ଅଞ୍ଚଳରେ ପ୍ରବେଶ କରୁଛନ୍ତି। ଶୁକ୍ରବାର ସୁଦ୍ଧା ଆଫଗାନିସ୍ତାନର ୨୧୮ ଜିଲ୍ଲା ତାଲିବାନ ନିୟନ୍ତ୍ରଣକୁ ଚାଲିଗଲାଣି। ବାକି ୧୨୦ଟି ଜିଲ୍ଲା ସରକାରଙ୍କ ଅଧୀନରେ ଅଛି। ବର୍ତ୍ତମାନ ୯୯ଟି ଜିଲ୍ଲାରେ ଲଢ଼େଇ ଜାରି ରହିଛି।

ତୁରନ୍ତ ଆଫଗାନିସ୍ତାନ ଛାଡ଼ିବାକୁ ନାଗରିକଙ୍କୁ ଅନୁରୋଧ କଲା ଆମେରିକା

ୱାସିଂଟନ୍‌: ଆଫଗାନିସ୍ତାନରେ ତାଲିବାନ୍‌ ଆଧିପତ୍ୟ ବଢ଼ି ଚାଲିଥିବାବେଳେ ଆମେରିକା ଆଜି ଏହାର ନାଗରିକଙ୍କୁ ତୁରନ୍ତ ଆଫଗାନିସ୍ତାନ ଛାଡ଼ିଦେବାପାଇଁ ଅନୁରୋଧ କରିଛି। କାବୁଲ ସ୍ଥିତ ଆମେରିକା ଦୁତାବାସ ଏକ ବିବୃତି ଜାରି କରି କହିଛି ଯେ, ଆଫଗାନିସ୍ତାନରେ ଆମେରିକୀୟଙ୍କୁ ସହଯୋଗ କରିବାପାଇଁ ଏହା ପାଖରେ ଖୁବ୍‌ କମ୍‌ ସାମର୍ଥ୍ୟ ରହିଛି। ହିଂସା ବଢ଼ୁଥିବାବେଳେ ଆମେରିକାରେ ଖୁବ୍‌ କମ୍‌ ସଂଖ୍ୟକ କର୍ମଚାରୀ ଅଛନ୍ତି। ତେଣୁ ନାଗରିକଙ୍କୁ ତୁରନ୍ତ ଆଫଗାନିସ୍ତାନ ଛାଡ଼ିଦେବାପାଇଁ ଅନୁରୋଧ କରାଯାଇଛି।

ତାଲିବାନ୍‌ ଆତଙ୍କବାଦୀମାନେ ଅନେକ ଆଫଗାନ ସହର ଏବଂ ଏକ ପ୍ରାଦେଶିକ ରାଜଧାନୀକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଛନ୍ତି। ଗତକାଲି ତାଲିବାନ୍‌ମାନେ ଆଫଗାନ ସରକାରଙ୍କ ଗଣମାଧ୍ୟମ ଅଧିକାରୀଙ୍କୁ ହତ୍ୟା କରିଥିଲେ। ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ଆମେରିକା ଏହାର ନାଗରିକଙ୍କୁ ତୁରନ୍ତ ଆଫଗାନ ଛାଡ଼ିଦେବାପାଇଁ କହିଛି। ନାଗରିମାନେ ତୁରନ୍ତ ବାଣିଜ୍ୟିକ ବିମାନରେ ଯିବାପାଇଁ କୁହାଯାଇଛି।‌ ଯେଉଁମାନଙ୍କ ପାଖରେ ବାଣିଜ୍ୟିକ ବିମାନ ଯାତ୍ରା ପାଇଁ ଟିକେଟ କିଣିବାକୁ ଟଙ୍କା ନାହିଁ ସେମାନଙ୍କୁ ଆମେରିକା ‌ଋଣ ଦେବାପାଇଁ ମଧ୍ୟ ପ୍ରସ୍ତାବ ଦେଇଛି।

ସମ୍ବନ୍ଧିତ ଖବର