ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲସ୍କର ଓ ହିଜବୁଲ ଆତଙ୍କବାଦୀଙ୍କ ମୂଳପୋଛ ପ୍ରକ୍ରିୟା ଜାରି ରହିଥିବା ବେଳେ ପାକ୍‌ ସେନା ଓ ଆଇଏସ୍‌ଆଇର ଏକ ବଡ଼ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଯେ କୌଣସି ଉପାୟରେ ଜମ୍ମୁ କାଶ୍ମୀରରେ ହିଂସା ପାଇଁ ଅନବରତ ପ୍ରୟାସ ଚଳାଇଥିବା ପାକ୍‌ ସେନା ଭାରତରେ ୨୫୦ରୁ ୩୦୦ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବାକୁ କ୍ଷେତ୍ର ପ୍ରସ୍ତୁତ କରୁଛି। ଲଞ୍ଚ ପ୍ୟାଡ୍‌ରେ ଏହି ଆତଙ୍କବାଦୀମାନେ ତାଲିମ ହାସଲ କରି ଅପେକ୍ଷା କରିଛନ୍ତି ବୋଲି ଗୁଇନ୍ଦା ରିପୋର୍ଟ ଆଧାରରେ ବିଏସ୍‌ଏଫ୍‌ର ଜଣେ ଶୀର୍ଷ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ସୀମାରେ ଯେ କୌଣସି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ପାଇଁ ସୁରକ୍ଷା ବାହିନୀ ସର୍ବାଧିକ ସତର୍କତା ଅବଲମ୍ବନ କରିଛି। ବିଏସ୍‌ଏଫ୍‌ ଡିଜି ଅଶୋକ ଯାଦବ କହିଛନ୍ତି ଯେ ୨୫୦ରୁ ୩୦୦ ଆତଙ୍କବାଦୀ ଭାରତରେ ପଶିବାକୁ ଅପେକ୍ଷା କରିଥିବାରୁ ସୀମାବର୍ତ୍ତୀ ଗ୍ରାମର ବାସିନ୍ଦାମାନଙ୍କୁ ମଧ୍ୟ ସତର୍କ କରାଇ ଦିଆଯାଇଛି। ପ୍ରତ୍ୟେକ ସମ୍ବେଦନଶୀଳ ସ୍ଥାନ ଉପରେ ସତର୍କ ନଜର ରଖାଯାଇଛି । ଧାରା ୩୭୦ ଉଚ୍ଛେଦକୁ ସୁପ୍ରିମ୍‌କୋର୍ଟ ବୈଧ ଘୋଷଣା କରିବା ପରେ ଭାରତ ବିରୋଧରେ ବିଷ ଓଗାଳୁଥିବା ପାକିସ୍ତାନ ଯେ କୌଣସି ସ୍ଥିତିରେ କାଶ୍ମୀରକୁ ଅଶାନ୍ତ ଦେଖିବାକୁ ଚାହୁଛି।