ଜାତିସଂଘ: ୨୦୧୨ ମସିହାରୁ ଜାତିସଂଘରେ ପର୍ଯ୍ୟବେକ୍ଷକ ମାନ୍ୟତା ପାଇଥିବା ପାଲେଷ୍ଟାଇନ ପୂର୍ଣ୍ଣ ସଦସ୍ୟତା ହାସଲ କରିବା ପାଇଁ ବର୍ଷ ବର୍ଷ ଧରି ପ୍ରୟାସ କରି ଆସୁଛି। ଏହା ସଫଳ ହେଲେ ପାଲେଷ୍ଟାଇନ୍ ଏକ ରାଷ୍ଟ୍ରର ମାନ୍ୟତା ପାଇବା ଭଳି ହେବ। ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ର ହେବା ପାଇଁ କୌଣସି ଅନୁରୋଧ ପ୍ରଥମେ ନିରାପତ୍ତା ପରିଷଦ (ଯେଉଁଠାରେ ଇସ୍ରାଏଲର ସହଯୋଗୀ ଆମେରିକା ଭିଟୋ ବ୍ୟବହାର କରୁଛି) ମାଧ୍ୟମରେ ପାରିତ ହେବା ଆବଶ୍ୟକ ଏବଂ ତା’ପରେ ସାଧାରଣ ସଭାରେ ଏହାକୁ ଅନୁମୋଦନ କରିବାକୁ ପଡ଼ିବ। ଗାଜାରେ ଇସ୍ରାଏଲର ଆକ୍ରମଣକୁ ଦୃଷ୍ଟିରେ ରଖି ପାଲେଷ୍ଟାଇନ ଗତ ସପ୍ତାହରେ ଜାତିସଂଘର ସଦସ୍ୟତା ଆବେଦନକୁ ପୁନର୍ଜୀବିତ କରିଥିଲା, ଯାହା ଫଳରେ ନିରାପତ୍ତା ପରିଷଦ ଏକ ଆନୁଷ୍ଠାନିକ ସମୀକ୍ଷା ପ୍ରକ୍ରିୟା ଆରମ୍ଭ କରିଥିଲା। ଏଥିରେ ଏକ ଆଡହକ୍ କମିଟି ଅନ୍ତର୍ଭୁକ୍ତ ଥିଲା ଯାହା ଗୁରୁବାର ସହମତିରେ ପହଞ୍ଚିବାରେ ବିଫଳ ହୋଇଛି।
ଏପ୍ରିଲ ମାସ ପାଇଁ ପରିଷଦର ସଭାପତି ଦାୟିତ୍ୱରେ ଥିବା ମାଲଟା ରାଷ୍ଟ୍ରଦୂତ ଭାନେସା ଫ୍ରେଜିୟର କହିଛନ୍ତି ଯେ ରୁଦ୍ଧଦ୍ୱାର ବୈଠକରେ କୌଣସି ସହମତି ହୋଇ ନ ଥିଲା। ତେବେ ଦୁଇ ତୃତୀୟାଂଶ ସଦସ୍ୟ ସମ୍ପୂର୍ଣ୍ଣ ସଦସ୍ୟତା ସପକ୍ଷରେ ଅଛନ୍ତି ବୋଲି ସେ କହିଛନ୍ତି। କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରିଷଦରେ ଆରବ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ଆଲଜେରିଆ ଏପ୍ରିଲ ୧୮ ତାରିଖରେ ଭୋଟ୍ ପାଇଁ ପ୍ରସ୍ତାବ ଦେଇପାରେ। ଯଦି ଏହା ସପକ୍ଷରେ ୧୫ଟି ଭୋଟ୍ ମଧ୍ୟରୁ ଆବଶ୍ୟକ ୯ଟି ଭୋଟ୍ ବି ମିଳେ, ତେବେ ଆମେରିକାରୁ ଭିଟୋ ଆସିପାରେ ବୋଲି ପର୍ଯ୍ୟବେକ୍ଷକମାନେ ପୂର୍ବାନୁମାନ କରିଛନ୍ତି। ୱାସିଂଟନ କହିଛି ଯେ ମିଳିତ ଜାତିସଂଘ ପାଲେଷ୍ଟାଇନକୁ ରାଷ୍ଟ୍ର ମାନ୍ୟତା ଦେବା ପାଇଁ ଉପଯୁକ୍ତ ସ୍ଥାନ ନୁହେଁ। ଏହା ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ଚୁକ୍ତିର ପରିଣାମ ହେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/gjgdgjgjgj-2.jpg)