ପାଣାଜୀ: ବିଜେପି ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପଲ୍ଲବୀ ଡେମ୍ପୋଙ୍କୁ ଦକ୍ଷିଣ ଗୋଆ ଆସନରୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ପଲ୍ଲବୀ ଗତମଙ୍ଗଳବାର ନିଜର ନାମାଙ୍କନ ପତ୍ର ଦକ୍ଷିଣ ଗୋଆର ଜିଲ୍ଲାପାଳଙ୍କ ନିକଟରେ ଜମା କରିଛନ୍ତି।
ଏହି ପତ୍ରରୁ ପଲ୍ଲବୀ ଡେମ୍ପୋ ୧୪ଶହ କୋଟି ଟଙ୍କାର ମାଲିକାଣୀ ବୋଲି ଜଣାପଡ଼ିଛି। ପଲ୍ଲବୀଙ୍କ ପାଖରେ ୨୫୫.୪ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ତାଙ୍କର ଅସ୍ଥାବର ସମ୍ପତ୍ତିର ବଜାର ମୂଲ୍ୟ ୨୮.୨କୋଟି ଟଙ୍କା ରହିଛି।
ସେହିପରି ତାଙ୍କ ପାଖରେ ୫.୭ କୋଟି ଟଙ୍କା ମୂଲ୍ୟର ସୁନା ରହିଛି। ୨୦୨୨ରୁ ୨୩ ମଧ୍ୟରେ ପଲ୍ଲବୀ ୧୦କୋଟି ଟଙ୍କାର ଆୟକର ପୈଠ କରିଥିବା ନାମାଙ୍କନ ପତ୍ରରେ ଉଲ୍ଳେଖ କରିଛନ୍ତି। ୯.୭୫କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀର ମାଲିକାଣୀ ପଲ୍ଲବୀ ରହିଥିବା ବେଳେ ତାଙ୍କ ପାଖରେ ମୋଟ ୨.୫୪ କୋଟି ଟଙ୍କାର ଗାଡ଼ି ରହିଛି।
ଗୋଆର ଉଦ୍ୟୋଗୀ ତଥା ଶିକ୍ଷାବିତ୍ ପଲ୍ଲବୀ ଡେମ୍ପୋଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ସେ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଏବଂ ପୁଣେର ଏମଆଇଟିରୁ ବ୍ୟବସାୟ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୪୯ ବର୍ଷୀୟ ଉଦ୍ୟୋଗୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବରେ ଡେମ୍ପୋ ଇଣ୍ଡଷ୍ଟ୍ରିଜର ମିଡିଆ ଏବଂ ରିଏଲ୍ ଇଷ୍ଟେଟ ବିଭାଗର ଦେଖାଶୁଣା କରନ୍ତି ପଲ୍ଲବୀ।
ଡେମ୍ପୋଙ୍କ ସ୍ୱାମୀଙ୍କ ନାମ ଶ୍ରୀନିବାସ ଡେମ୍ପୋ। ଯିଏକି ଜଣେ ବିଶିଷ୍ଟ ଶିଳ୍ପପତି। ଶ୍ରୀନିବାସ ଡେମ୍ପୋ ଗୋଆ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ଜିସିସିଆଇ)ର ମୁଖ୍ୟ ଅଟନ୍ତି।