ଭାରତର ଅସନ୍ତୋଷ ପରେ ଚିନ୍ତାରେ ମାଲେସିଆ, ଭାରତକୁ ପ୍ରତିନିଧିମଣ୍ଡଳ ପଠାଇବାକୁ ବିଚାର

ନୂଆଦିଲ୍ଲୀ : ମାଲେସିଆ ଉପରେ ଭାରତର ଚାପ ଅବ୍ୟାହତ ରହିଛି । ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ବିରୋଧୀ ବୟାନ ପରେ ଭାରତ ସେଠାରୁ ତେଲ ଆମଦାନୀ ବନ୍ଦ ପାଇଁ ବିଚାର କରୁଛି । ଏହାକୁ ନେଇ ମାଲେସିଆ ଚିନ୍ତାରେ ପଡିଯାଇଛି । ଭାରତ ସହ ସଂପର୍କରେ ଉନ୍ନତି ପାଇଁ ମାଲେସିଆ ଭାରତକୁ ଏକ ବାଣିଜ୍ୟିକ ପ୍ରତିନିଧିମଣ୍ଡଳ ପଠାଇବାକୁ ବିଚାର କରୁଛି । ମାଲେସିଆର ବାଣିଜ୍ୟମନ୍ତ୍ରୀ ଏହି ପ୍ରତିନିଧିମଣ୍ଡଳର ନେତୃତ୍ୱ କରିବେ । ଏହି ପ୍ରତିନିଧିମଣ୍ଡଳ ଭାରତର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋଏଲ ଓ ଖାଇବାତେଲ ଶିଳ୍ପର ମୁଖ୍ୟମାନଙ୍କୁ ଭେଟିବେ ।

ଅନ୍ୟପକ୍ଷରେ ଭାରତ ପକ୍ଷରୁ କୁହାଯାଇଛି ଯେ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ମନ୍ତବ୍ୟ କେବେହେଲେ ଗ୍ରହଣୀୟ ନୁହେଁ । ସଂପର୍କ ଖରାପ ହେଲେ ବ୍ୟବସାୟ ପ୍ରଭାବିତ ହେବ । ମାଲେସିଆ ପ୍ରଧାନମନ୍ତ୍ରୀ ନିଜେ ଗ୍ରହଣ କରିଥିବା ଆଭିମୁଖ୍ୟର ସମୀକ୍ଷା କରନ୍ତୁ ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ।

ଉଲ୍ଲେଖ୍ୟଯୋଗ୍ୟ ଯେ, ଭାରତ ମାଲେସିଆର ବୃହତମ ଖାଇବା ତେଲ ଗ୍ରାହକ ହୋଇଥିବାରୁ ଭାରତୀୟ କମ୍ପାନିମାନେ ନ କିଣିରେ ମାଲେସିଆ ଗୁରୁତରଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । କିନ୍ତୁ ଏହାର ଫାଇଦା ପଡୋଶୀ ଇଣ୍ଡୋନେସିଆ ନେବାର ସମ୍ଭାବନା ରହିଛି । ୨୦୧୯ ସେପ୍ଟେମ୍ବର ଶେଷସୁଦ୍ଧା ଭାରତ ମାଲେସିଆରୁ ପ୍ରାୟ ୩.୯ ନିୟୁତ ଟନ ଖାଇବା ତେଲ ଆମଦାନୀ କରିଛି । ମାଲେସିଆ ବଦଳରେ ଇଣ୍ଡୋନେସିଆ,ଆର୍ଜେଣ୍ଟିନା ଓ ୟୁକ୍ରେନରୁ ଖାଇବା ତେଲ ଆମଦାନୀ କରିବାକୁ ଭାରତ ବିଚାର କରୁଛି ।

ସମ୍ବନ୍ଧିତ ଖବର