ପାନ୍‌-ଆଧାର ଲିଙ୍କ୍‌ ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ : ପାନ୍‌ କାର୍ଡ ସହ ଆଧାର ନମ୍ବର ଲିଙ୍କ୍‌ କରିବାର ଅବଧି ପୁଣିଥରେ ବୃଦ୍ଧି କରାଯାଇଛି। ଏହି କାର୍ଯ୍ୟ କରିବା ଲାଗି ଚଳିତମାସ ୩୧ ପର୍ଯ୍ୟନ୍ତ ଲୋକମାନଙ୍କୁ ସମୟ ଦିଆଯାଇଥିଲା। ସେହି ସମୟ ସୀମା ଶେଷ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ପାନ୍‌ ସହ ଆଧାର ଲିଙ୍କ୍‌ କରିବାର ଅବଧିକୁ ଚଳିତ ବର୍ଷ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୧ କୋଟି ପାନ୍ ସହ ଆଧାର ଲିଙ୍କ୍‌ ହୋଇସାରିଛି।

ଆୟକର ନିୟମ ୧୯୬୧ରେ ଥିବା ବ୍ୟବସ୍ଥା ଅନୁସାରେ ୨୦୧୭ ଜୁଲାଇ ୧ ସୁଦ୍ଧା ପାନ୍ ହାସଲ କରିଥିବା ଏବଂ ଆଧାର ନମ୍ବର ପାଇବାକୁ ଯୋଗ୍ୟ ବିବେଚିତ ପ୍ରତି ‌ବ୍ୟକ୍ତିଙ୍କୁ ଏକ ନିର୍ଦି‌ଷ୍ଟ ପରିମାଣର ଫି’ ଦେଇ ପାନ୍ ସହ ଆଧାର ଲିଙ୍କ୍‌ କରାଇବାକୁ କୁହାଯାଇଥିଲା। ଯେଉଁମାନେ ସେହି କାର୍ଯ୍ୟ କରିବେ ନାହିଁ ସେମାନଙ୍କ ପାଇଁ ଆୟକର ନିୟମ ଅନୁସା‌ରେ ଦଣ୍ଡବିଧାନର ବ୍ୟବସ୍ଥା ରହିଥିଲା। ଏବେ ପାନ୍ ସହ ଆଧାରକୁ ଲିଙ୍କ୍‌ କରିବାର ସମୟ ସୀମାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାରୁ ଟିକସଦାତାମାନେ କିଛିଟା ଆଶ୍ବସ୍ତ ହୋଇଛନ୍ତି। ଯେଉଁମାନେ ନୂଆ ସମୟ ସୀମା ଭିତରେ ଏହି କାର୍ଯ୍ୟ ନକରିବେ ତେବେ ଜୁଲାଇ ୧ଠାରୁ ସେମାନଙ୍କ ପାନ୍ ଅଚଳ ହୋଇଯିବ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି।

ପାନ୍‌ ସହ ଆଧାର ଲିଙ୍କ୍‌ ନକଲେ ସେହି ପାନ୍ ବଦଳରେ କୌଣସି ରିଫଣ୍ଡ୍‌ ଜାରି କରାଯିବ ନାହିଁ। ଯେଉଁ ସମୟ ପର୍ଯ୍ୟନ୍ତ ପାନ୍ ଅଚଳ ରହିବ ସେହିସମୟ ପାଇଁ ରିଫଣ୍ଡ୍‌ ଉପରେ ସୁଧ ଦିଆଯିବ ନାହିଁ। ଉଚ୍ଚ ହାରରେ ଟିଡିଏସ୍‌ ଓ ଟିସିଏସ୍‌ କଟାଯିବ। ଏକ ହଜାର ଟଙ୍କାର ଫି’ ଦେଇ ପାନ୍ ସହ ଆଧାର ଲିଙ୍କ୍‌ କରାଇବା ପରେ ୩୦ ଦିନ ଭିତରେ ପାନ୍ ସକ୍ରିୟ ହେବ। ଯେଉଁମାନଙ୍କୁ ପାନ୍ ସହ ଆଧାର ଲିଙ୍କ୍‌ କରାଇବାରୁ ଛାଡ଼ ପ୍ରଦାନ କରାଯାଇଛି ସେମାନଙ୍କୁ କୌଣସି ଦଣ୍ଡ ଭୋଗିବାକୁ ପଡ଼ିବ ନାହିଁ। ନିର୍ଦିଷ୍ଟ କିଛି ରାଜ୍ୟର ବାସିନ୍ଦା, ପ୍ରବାସୀ, ଭାରତର ନାଗରିକ ହୋଇନଥିଲେ ଏବଂ ବୟସ ୮୦ ବର୍ଷରୁ ଅଧିକ ହୋଇଥିବା ଭଳି ଲୋକଙ୍କୁ ପାନ୍ ସହ ଆଧାର ଲିଙ୍କ୍‌ କରାଇବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର