ପଞ୍ଚକୁଲା: ସଫେଇ କର୍ମଚାରୀଙ୍କ ଉପସ୍ଥିତିକୁ ନିଶ୍ଚିତ କରିବାକୁ ଆରମ୍ଭ ହେଲା ପ୍ରୟାସ | ହରିୟାଣାର ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏହାର ସଫେଇ କର୍ମଚାରୀଙ୍କୁ ଜିପିଏସ ସଂଯୁକ୍ତ ଅତ୍ୟାଧୁନିକ ହାତ ଘଣ୍ଟା ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ସହରର ସଫେଇ କାର୍ଯ୍ୟ ପାଇଁ ନିୟୋଜିତ ସଫେଇ କର୍ମଚାରୀମାନେ ଠିକ ସମୟରେ ଆସୁନଥିବାର ଅଭିଯୋଗ ହେଉଥିଲା | ଯାହାଫଳରେ ଆବର୍ଜନା ଠିକ ଭାବେ ସଫା ହେଉନଥିବାର ଦେଖିବାକୁ ମିଳିଥିଲା | ଏହାକୁ ଦେଖି ନଗର ନିଗମ ପକ୍ଷରୁ କର୍ମଚାରୀଙ୍କୁ ଜିପିଏସ ସଂଯୁକ୍ତ ହାତ ଘଣ୍ଟା ଦିଆଯାଇଛି | ଯାହାଦ୍ୱାରା ସଫେଇ କର୍ମଚାରୀ କେଉଁ ସ୍ଥାନରେ କାମ କରୁଛନ୍ତି ତାହା ଜଣାପଡିବ |

Advertisment

publive-image Photo-ANI

ଯେଉଁ ସଫେଇ କର୍ମଚାରୀ କାମ କରିବାକୁ ନ ଆସିବେ ଏହି ଘଣ୍ଟା ଦ୍ୱାରା ଜଣାପଡ଼ିଯିବ | ନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ ୨୦୧୮ ମସିହାରେ ସ୍ଵଛ ସର୍ବେକ୍ଷଣରେ ୧୪୨ ତମ ସ୍ଥାନ ଅଧିକାର କରିଥିବାବେଳେ ୨୦୧୯ରେ ୭୧ ତମ ସ୍ଥାନ ମିଳିଛି | ୨୦୨୦ ମସିହାରେ ଟପ-୨୦ ଭିତରେ ସ୍ଥାନ ଅଧିକାର କରିବାକୁ ଏଭଳି ପ୍ରୟାସ କରାଯାଇଛି | ଏଠାରେ ସୂଚନା ଥାଉ କି ପୂର୍ବରୁ ନଗର ନିଗମ ପକ୍ଷରୁ ପରିବେଶକୁ ପ୍ଲାଷ୍ଟିକ୍ ଆବର୍ଜନା ମୁକ୍ତ କରିବାକୁ ନିଆରା ପଦକ୍ଷେପ ନିଆଯାଇଥିଲା ।

୧୦ଟି ପ୍ଲାଷ୍ଟିକ୍ ବୋତଲ ଆଣିଲେ, ମାଗଣାରେ କ୍ଷୀର ପ୍ୟାକେଟ ନେବାର ବ୍ୟବସ୍ଥା କରାଯାଇଛି | ଅଦରକାରୀ ପ୍ଲାଷ୍ଟିକ ବୋତଲ ବଦଳରେ କ୍ଷୀର ଦେଇ ପରୋକ୍ଷରେ ଲୋକଙ୍କ ମଧ୍ୟରେ ପ୍ଲାଷ୍ଟିକ ପରି ବର୍ଜ୍ୟବସ୍ତୁକୁ ବାହାରେ ନଫିଙ୍ଗିବାକୁ ଏକ ବାର୍ତ୍ତା ଦେବାକୁ ପଞ୍ଚକୁଲା ପ୍ରଶାସନ ଉଦ୍ୟମ କରିଛି । ୧୦ଟି ପ୍ଲାଷ୍ଟିକ ବୋତଲ ବଦଳରେ ଗୋଟିଏ ପ୍ୟାକେଟ୍ କ୍ଷୀର କିମ୍ବା ଦହି , ୭ଟି ପ୍ଲାଷ୍ଟିକ ବୋତଲ ବଦଳରେ ୨୦୦ ଗ୍ରାମ ଦହି, ୫ଟି ପ୍ଲାଷ୍ଟିକ ବୋତଲ ବଦଳରେ ଗୋଟିଏ ପାଉଁରୁଟି ମଧ୍ୟ ଦିଆଯିବାକୁ ବ୍ୟବସ୍ଥା ହୋଇଛି ।