ଜାତିସଂଘ: ପ୍ରାୟ ପ୍ରତି ୪ମାସରେ ଥରେ ନୂଆ କରୋନାଭାଇରସ୍ ‘ଭେରିଏଣ୍ଟ୍’ ଉତ୍ପତ୍ତି ହେଉଥିବାରୁ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ସତର୍କ କରାଇ କହିଛନ୍ତି ଯେ, ଏସିଆରେ ବ୍ୟାପକ ସଂକ୍ରମଣ ବ୍ୟାପୁଥିବାରୁ କୋଭିଡ୍-୧୯ ମହାମାରୀର ଅବସାନ ଘଟିବାକୁ ଅନେକ ଦିନ ଲାଗିବ।
ସବୁ ସ୍ଥାନରେ ସବୁ ଲୋକଙ୍କୁ ଟିକା ଯୋଗାଇ ଦେବା ପାଇଁ ମଧ୍ୟ ଗୁଟେରେସ୍ ବିଭିନ୍ନ ରାଷ୍ଟ୍ରର ସରକାର ଓ ଔଷଧ କମ୍ପାନିମାନଙ୍କୁ କହିଛନ୍ତି। ‘ଗାଭି କୋଭାକ୍ସ୍ ଆଡ୍ଭାନ୍ସ୍ ମାର୍କେଟ୍ କମିଟ୍ମେଣ୍ଟ୍ ସମିଟ୍ ୨୦୨୨’କୁ ଦେଇଥିବା ‘ୱାନ୍ ୱାର୍ଲଡ୍ ପ୍ରୋଟେକ୍ଟେଡ୍- ବ୍ରେକ୍ କୋଭିଡ୍ ନାଓଁ’ ଶୀର୍ଷକ ଭିଡିଓ ବାର୍ତ୍ତାରେ ଗୁଟେରେସ୍ ଶୁକ୍ରବାର ଦିନ କହିଛନ୍ତି ଯେ, ଏହି ସମାବେଶର ସ୍ମରଣ କରାଇ ଦେଉଛି ଯେ, କୋଭିଡ୍-୧୯ ମହାମାରୀର ଅବସାନ ପାଇଁ ଦୀର୍ଘ ଦିନ ଲାଗିବ।
/sambad/media/post_attachments/wp-content/uploads/2022/04/gutteres.jpg)
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତିଦିନ ଆମେ ୧.୫ ନିୟୁତ ସଂକ୍ରମଣ ମାମଲା ଦେଖୁଛନ୍ତି। ଏସିଆରେ ସଂକ୍ରମଣ ବ୍ୟାପକ ହେଉଛି। ୟୁରୋପ୍ରେ ନୂତନ ଲହର୍ ବ୍ୟାପିଚାଲିଛି। ମହାମାରୀ ପ୍ରାରମ୍ଭରୁ କେତେକ ରାଷ୍ଟ୍ର ସର୍ବାଧିକ ମୃତ୍ୟୁହାର ବିଷୟରେ ରିପୋର୍ଟ କରୁଛନ୍ତି। ବ୍ୟାପକ ଟିକାକରଣ ନ ହେଲେ କୋଭିଡ୍-୧୯ କେତେ ଶୀଘ୍ର ରୂପାନ୍ତରିତ ହୋଇ ବ୍ୟାପିଯାଏ, ‘ଓମିକ୍ରନ୍’ ତା’ର ଜ୍ବଳନ୍ତ ଦୃଷ୍ଟାନ୍ତ। କେତେକ ବିତ୍ତଶାଳୀ ରାଷ୍ଟ୍ର ଦ୍ବିତୀୟ ବୁଷ୍ଟର୍ ଡୋଜ୍ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଶ୍ବର ଏକ ତୃତୀୟାଂଶ ଜନତା ଏଯାଏ ଟିକା ନେଇ ନାହାନ୍ତି।
/sambad/media/post_attachments/wp-content/uploads/2022/04/pandemic.jpg)
ଗୁଟେରେସ୍ ପୁଣି କହିଛନ୍ତି ଯେ, ପରବର୍ତ୍ତୀ ଭେରିଏଣ୍ଟ୍ ଆସିବାର ସମ୍ଭାବନା ରହିଛି। ଚଳିତ ବର୍ଷ ମଧ୍ୟ ଭାଗ ସୁଦ୍ଧା ସବୁ ଦେଶରେ ୭୦% ଟିକାକରଣ କରିବା ପାଇଁ ରଖିଥିବା ଲକ୍ଷ୍ୟ ହାସଲ କରିବା ପାଇଁ ଆହୁରି ଦୀର୍ଘ ଦିନ ଲାଗିବ। ପ୍ରାୟ ପ୍ରତି ୪ ମାସରେ ନୂଆ ଭେରିଏଣ୍ଟ୍ର ଉତ୍ପତ୍ତି ଘଟୁଥିବାରୁ ସମୟ ହିଁ ଗୁରୁତ୍ବପୂର୍ଣ୍ଣ।