ମହାମାରୀ ଶେଷ‌ ହୋଇନାହିଁ, ୧୧୦ଟି ଦେଶରେ ବଢୁଛି କୋଭିଡ୍‌ ସଂକ୍ରମଣ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜିନିଭା: ୧୧୦ଟି ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ବୁଧବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି ଯେ, କୋଭିଡ୍‌-୧୯ ମହାମାରୀ ବଦଳିଯାଉଛି, କିନ୍ତୁ ଶେଷ ହୋଇନାହିଁ।

କୋଭିଡ୍‌-୧୯ ଏବଂ ବିଶ୍ବର ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ କହିବା ବେଳେ  ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍‌ରସ୍‌ ଆଧନୋମ ଗେବ୍ରେୟେସସ୍‌ କହିଛନ୍ତି, ଏ ମହାମାରୀ ବଦଳୁଛି, କିନ୍ତୁ ଶେଷ ହୋଇନାହିଁ। କୋଭିଡ୍‌-୧୯ ଭୂତାଣୁକୁ ଚିହ୍ନଟ କରିବା ପାଇଁ ଆମର ସାମର୍ଥ୍ୟ ପ୍ରତି ମଧ୍ୟ ବିପଦ ଦେଖାଦେଇଛି। ସମ୍ପ୍ରତି ରିପୋର୍ଟିଙ୍ଗ୍ ଏବଂ ଜିନୋମିକ୍‌ ସି‌କ୍ବେନ୍‌ସିଙ୍ଗ୍ (ଗୁଣସୂତ୍ର ଅନୁକ୍ରମ) ହ୍ରାସ ପାଇବା ଅର୍ଥ ଓମିକ୍ରନ୍‌କୁ ଚିହ୍ନଟ କରିବା ଓ ଭବିଷ୍ୟତରେ ଆସିବାକୁ ଥିବା ଏହି ଭୂତାଣୁର ପ୍ରଜାତିକୁ ବିଶ୍ଳେଷଣ କରିବା ଅପେକ୍ଷାକୃତ କଠିନ ହେଲାଣି।

Image Courtesy of Business Standard

ସେ ଆହୁରି ମଧ୍ୟ କହିଛନ୍ତି, ଅନେକ ସ୍ଥାନରେ ‘ବିଏ.୪’ ଏବଂ ‘ବିଏ.୫’ଦ୍ବାରା ଚାଳିତ କ‌ୋଭିଡ୍‌-୧୯ ମାମଲା ୧୧୦ଟି ଦେଶରେ ବୃଦ୍ଧି ପାଉଛି। ଫଳରେ ସମଗ୍ର ବିଶ୍ବରେ ସଂକ୍ରମଣ ମାମଲା ମୋଟାମୋଟି ୨୦% ବୃଦ୍ଧି ପାଇଛି। ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ଅପେକ୍ଷାକୃତ ସ୍ଥିର ଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୬ଟି ଅଞ୍ଚଳରୁ ୩ଟି ଅଞ୍ଚଳରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି।

ନିଜ ନିଜର ଦେଶବାସୀଙ୍କ ମଧ୍ୟରୁ ଅନ୍ୟୂନ ୭୦%ଙ୍କୁ ଟିକା ଦେବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦେଶମାନଙ୍କୁ କହିଛି। ଏବେ ମାତ୍ର ୫୮ଟି ଦେଶ ୭୦% ଜନତାଙ୍କୁ ଟିକା ଦେବାରେ ସମର୍ଥ ହୋଇଛନ୍ତି। ସ୍ବଳ୍ପ ଆୟକାରୀ ଦେଶମାନଙ୍କ ପକ୍ଷରେ ୭୦% ଲୋକଙ୍କୁ ଟିକା ଦେବା ସମ୍ଭବପର ନୁହେଁ ବୋଲି କେତେକ କହୁଛନ୍ତି। ଗତ ୧୮ ମାସ ମଧ୍ୟରେ ବିଶ୍ବବ୍ୟାପୀ ୧୨ ବିଲିୟନ୍‌ରୁ ଅଧିକ ଟିକା ବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର