‘ପାଣ୍ଡେମିକ୍‌’ ଏବେ ‘ଏଣ୍ଡେମିକ୍‌’ ହେଲାଣି: ଗୁଲେରିଆ

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ ଭାରତରେ କୋଭିଡ୍-୧୯ ମାମଲା ବର୍ତ୍ତମାନ ବୃଦ୍ଧି ପାଇବା ଦେଖାଯାଉଛି। ହିମାଚଳ ପ୍ରଦେଶ ବିଶ୍ବବିଦ୍ୟାଳୟ ଦ୍ବାରା ଆହୂତ ଏକ କାର୍ଯ୍ୟକ୍ରମରେ ଗୁଲେରିଆଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ସେ କହିଲେ ଯେ, କୋଭିଡ୍-୧୯ ଏବେ ଆଉ ପାଣ୍ଡେମିକ୍‌ (ମହାମାରୀ) ହୋଇ ରହିନାହିଁ। ଏବେ ଏହା ସ୍ଥାନୀୟ ଭାବେ ସଂକ୍ରମିତ ରୋଗ (ଏଣ୍ଡେମିକ୍)ରେ ପରିଣତ ହୋଇଛି। ଏ ବାବଦରେ ଲୋକଙ୍କୁ ସଚେତନ ରହିବା ପାଇଁ ଗୁଲେରିଆ ଅନୁରୋଧ କରିବା ସହ ଟିକା ନେବାରେ ହେଳା ନ କରିବା ପାଇଁ ନିବେଦନ କରିଛନ୍ତି।

ସେ କହିଲେ ଯେ ଭୂତାଣୁ ତା’ର ରୂପ ବଦଳାଇବାରେ ଲାଗିଛି। କିନ୍ତୁ ମଣିଷ ଶରୀର ବି ଭୂତାଣୁର ନୂଆ ନୂଆ ସମ୍ଭାବ୍ୟ ରୂପ ସହ ଲଢ଼ିବା ପାଇଁ ନିଜ ଭିତରେ ପ୍ରତିରୋଧ ଶକ୍ତିର ବିକାଶ କରୁଛି। ଏହି ଅବସରରେ ଡୋଲୋ ବିବାଦ ଉପରେ ଡ. ଗୁଲେରିଆଙ୍କୁ ପଚାରିବାରୁ ସେ କହିଲେ ଯେ, ଜ୍ବର ହେଲେ ପାରାସିଟାମଲ ଦିଆଯାଏ। ବଜାରରେ ଡୋଲୋ ୬୫୦ ସମେତ ଅନେକ ବ୍ରାଣ୍ଡ୍‌ର ପାରାସିଟାମଲ ମିଳୁଛି ଏବଂ ଭଲ କାମ ଦେଉଥିବା ବି ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ଡୋଲୋ କମ୍ପାନି ଡାକ୍ତରମାନଙ୍କୁ ୧୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଫ୍ରିବି (ମାଗଣା ଉପହାର) ଦେଇଥିବାର ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର