ସରକାରୀ ଚାକିରି ପୂର୍ବରୁ ୫ ବର୍ଷ ମିଲିଟାରି ସେବା ବାଧ୍ୟତାମୂଳକ ହେଉ, ସଂସଦୀୟ କମିଟିର ସୁପାରିଶ

ନୂଆଦିଲ୍ଲୀ: ଆମ ଦେଶର ନିରାପତ୍ତା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଉଭୟ ଚୀନ ଓ ପାକିସ୍ତାନ ପଟୁ ଆମ ପାଇଁ ମିଳିତ ବିପଦ ଦେଖାଦେଇଛି । ପାକିସ୍ତାନ ତୁଳନାରେ ଚୀନ ଆମପାଇଁ ଏକ ବଡ଼ ବିପଦଭାବେ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଆମ ପ୍ରତିରକ୍ଷା ବାହିନୀକୁ ସବୁବେଳେ ପ୍ରସ୍ତୁତ ରଖିବାର ଆବଶ୍ୟକତା ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଉଭୟ ମାନବ ସମ୍ବଳ, ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣ କ୍ଷେତ୍ରରେ ଆମର ପ୍ରସ୍ତୁତି ବେଶ ପଛେଇ ଯାଇଛି । ସବୁୁଠୁ ଚିନ୍ତାର ବିଷୟ ହେଉଛି ଆମ ପ୍ରତିରକ୍ଷା ବାହିନୀର ତିନୋଟି ଯାକ ବିଭାଗରେ ହଜାର ହଜାର ଅଫିସର ଓ ଜବାନ ପଦବୀ ଖାଲି ପଡିଛି । ଏହି ଅଭାବ ଦିନକୁ ଦିନ ବଢୁଥିବାବେଳେ ଯୁବ ସମାଜରେ ମଧ୍ୟ ମିଲିଟାରୀ ସେବା ପାଇଁ ଆଗ୍ରହ କମିଯାଉଛି । ଏଣୁ ଏହି ଅଭାବ ପୂରଣ କରିବାକୁ ସରକାର ବାଧ୍ୟତାମୂଳକ ସାମରିକ ସେବା ଆରମ୍ଭ କରିବାକୁ ଗୁରୁତ୍ୱର ସହ ବିଚାର ଆରମ୍ଭ କରିବା ଉଚିତ ବୋଲି ଏକ ସଂସଦୀୟ ସ୍ଥାୟୀ କମିଟି ସୁପାରିଶ କରିଛି ।

କମିଟି ନିଜ ରିପୋର୍ଟରେ ଆହୁରି ମଧ୍ୟ ସରକାରଙ୍କୁ ସୁପାରିଶ କରିଛି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରୀ ସେବାରେ ଯୋଗ ଯୋଗଦେବା ପୂର୍ବରୁ କର୍ମଚାରୀମାନେ ବାଧ୍ୟତାମୂଳକ ପାଞ୍ଚ ବର୍ଷିଆ ସାମରିକ ସେବାରେ ଯୋଗ ଦେବା ଆବଶ୍ୟକ । ଏପରି କରାଯିବା ଦ୍ୱାରା ସେନାବାହିନୀର ଅଫିସର ଓ ଜବାନ ଅଭାବ ପୂରଣ ହୋଇପାରିବ । ଆହୁରି ମଧ୍ୟ ବାଧ୍ୟତାମୂଳକ ମିଲିଟାରୀ ଟ୍ରେନିଂ ଦ୍ୱାରା ସରକାରୀ କର୍ମାଚାରୀମାନେ ଶୃଙ୍ଖଳିତ ହୋଇପାରିବେ । ସଂସଦୀୟ ସ୍ଥାୟୀ କମିଟି କହିଛି ଯେ କେନ୍ଦ୍ର ସରକାରଙ୍କ କାର୍ମିକ ଓ ତାଲିମ ବିଭାଗ ଏହି ପ୍ରସ୍ତାବକୁ ବିଚାର କରି କେନ୍ଦ୍ର ସରକାରଙ୍କ ଆଗରେ ଉଠାଇବା ଆବଶ୍ୟକ । କମିଟି ଏହା ମଧ୍ୟ କହିଛି ଯେ ସେନାରେ ଖାଲି ପଡିଥିବା ପଦବୀଗୁଡିକ ପୂରଣ ପାଇଁ ସରକାର ଜରୁରୀକାଳୀନ ଭାବରେ ପଦକ୍ଷେପ ନେବା ଆବଶ୍ୟକ, କାରଣ ଏହା ଦେଶର ନିରାପତ୍ତା ସହ ଜଡିତ ।

ସମ୍ବନ୍ଧିତ ଖବର