ନୂଆଦିଲ୍ଲୀ: ସମଲିଙ୍ଗୀ ଦମ୍ପତିମାନଙ୍କ ସମସ୍ୟା ଏବଂ ସେମାନଙ୍କୁ କେଉଁ ଧରଣର ସାମାଜିକ ଆବଶ୍ୟକତା ମଞ୍ଜୁର କରାଯାଇ ପାରିବ ତାହା ପର୍ଯ୍ୟବେକ୍ଷଣ କରିବା ଲାଗି କ୍ୟାବିନେଟ୍‌ ସଚିବଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯିବ ବୋଲି ଆଜି କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟା ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

Advertisment

ବୀମା, ପୋଷ୍ୟ ସନ୍ତାନ ଗ୍ରହଣ, ଟିକସ ସୁବିଧା ଆଦି ଅନେକ କଥା ପିଟିସନର୍‌ମାନେ ଦାବି କରିଥିବାରୁ ଏଥିରେ ବହୁ ମନ୍ତ୍ରାଳୟର ସମ୍ପୃକ୍ତି ଆବଶ୍ୟକ ହେଉଛି।

ସେହିପରି, ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ଅଭିଷେକ ମାନୁ ସିଂହୱି କହିଲେ ଯେ, ଆହୁରି ଅନେକ କିଛି କରାଯିବା ଆବଶ୍ୟକ ଏବଂ ଆଇନରେ ପରିବର୍ତ୍ତନ ମଧ୍ୟ ଲୋଡ଼ା।

publive-image Image Courtesy of NDTV

ସିଂହୱିଙ୍କ ଦାବି ଶୁଣି ସୁପ୍ରିମ୍‌ କୋର୍ଟ ବିଚାରପତି ରବୀନ୍ଦ୍ର ଭଟ୍ଟ କହିଲେ ଯେ, ଆବେଦନକାରୀମାନେ ଆଗତ କରିଥିବା ସମସ୍ୟା ସବୁକୁ ତର୍ଜମା କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ବିଚାରପତି ହିମା କ‌ୋହଲି ମଧ୍ୟ କହିଲେ ଯେ, ଧୀରେସୁସ୍ଥେ ସବୁ କିଛି କରାଯିବ। ଶୁଣାଣି ଚାଲିଥିବା ବେଳେ ତ ଏହି ସବୁ ଦାବି ଉପସ୍ଥ‌ାପନ କରାଯାଉଛି।

publive-image Image Courtesy of NDTV

ସୂଚନାଯୋଗ୍ୟ, ସମଲିଙ୍ଗୀ ବିବାହକୁ ବୈଧ୍ୟ କରାଯିବା ପ୍ରସଙ୍ଗ ନ ଉଠାଇ ଏପ୍ରିଲ୍‌ ୨୭ ତାରିଖ ଦିନ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ଦମ୍ପତିଙ୍କୁ ସାମାଜିକ ସୁବିଧା ଯୋଗାଇ ଦିଆଯାଇ ପାରିବ କି, ନାହିଁ ବୋଲି ସରକାରଙ୍କୁ ପଚାରିଥିଲେ। ଏହାର ଉତ୍ତର ଦେଇ କେନ୍ଦ୍ର ସରକାର ଆଜି କମିଟି ଗଠନ କରାଯିବ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସମଲିଙ୍ଗୀ ବିବାହକୁ ବୈଧ୍ୟ ବା ଅବୈଧ୍ୟ ଘୋଷଣା କରିବା କାର୍ଯ୍ୟ ବିଧାନମଣ୍ଡଳର ଏଥିରେ ଅଦାଲତ ହସ୍ତକ୍ଷେପ ନ କରିବା ଉଚିତ ବୋଲି କେନ୍ଦ୍ର ସରକାର କହିଆସୁଛନ୍ତି।