ବାଦୁଡ଼ି ପରେ ଏବେ ଚର୍ଚ୍ଚାରେ ବଜ୍ରକାପ୍ତା: କରୋନା ଆକ୍ରାନ୍ତଙ୍କଠାରୁ ଓ ବଜ୍ରକାପ୍ତା ଶରୀରରୁ ମିଳୁଥିବା ଭୂତାଣୁ ମଧ୍ୟରେ ରହିଛି ୯୯ ପ୍ରତିଶତ ସମାନତା !

ନିଷ୍କର୍ସରେ ପହଞ୍ଚିବା ଆଗରୁ ଅଧିକ ଗବେଷଣା ଆବଶ୍ୟକ

ନୂଆଦିଲ୍ଲୀ: ଚୀନରେ କାହିଁକି ବ୍ୟାପିଲା ମାରାତ୍ମକ କରୋନା ଭୂତାଣୁ ? କେଉଁ ପଶୁ ବା ପକ୍ଷୀ ଶରୀରରୁ ଏହା ବ୍ୟାପିଲା ? ପଶୁ/ପକ୍ଷୀ ଶରୀରରୁ କରୋନା ଭାଇରସ୍ ମଣିଷ ଶରୀରକୁ ଆସିଲା କେମିତି ? ଏଭଳି ନାନା ପ୍ରଶ୍ନ ବର୍ତ୍ତମାନ ସମଗ୍ର ବିଶ୍ବର ଜନସାଧାରଣ ଓ ଗବେଷକଙ୍କ ମନୁ ଆନ୍ଦୋଳିତ କରୁଛି। ତେବେ ଏ ଯାବତ୍ କରୋନାର ଉତ୍ପତ୍ତି ନେଇ ସ୍ପଷ୍ଟତା ଆସିପାରି ନାହିଁ।

ପ୍ରଥମେ ଚୀନବାସୀ ଖାଉଥିବା ବାଦୁଡ଼ିରୁ ଏହି ଭୂତାଣୁ ବ୍ୟାପିଥାଇ ପାରେ ବୋଲି ସନ୍ଦେହ କରାଯାଉଥିଲା । ଏବେ ଚର୍ଚ୍ଚାକୁ ଆସିଛି ଆଉ ଏକ ସ୍ତନ୍ୟପାୟୀ ପ୍ରାଣୀ ବଜ୍ରକାପ୍ତା । ଚୀନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୭୧୭ ଓ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ଟପିବା ପରେ ସାରା ବିଶ୍ୱର ଚିନ୍ତା ବଢି ଯାଇଛି । ତେଣୁ ଏହାର କାରଣ ଓ ନିରାକରଣ ପାଇଁ ସବୁ ସ୍ତରରେ ଚାଲିଛି ଗବେଷଣା ।

ଦକ୍ଷିଣ ଚୀନ କୃଷି ବିଶ୍ୱବିଦ୍ୟାଳୟର ଅନସନ୍ଧାନରୁ କରୋନା ଭୂତାଣୁୁ ବ୍ୟାପିବା ପଛରେ ବଜ୍ରକାପ୍ତାର ଭୂମିକା ରହିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ତେବେ ଏ ସଂପର୍କରେ କୌଣସି ନିଷ୍କର୍ସରେ ପହଞ୍ଚିବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ଥିବା ରିପୋର୍ଟରେ କୁହାଯାଇଛି । ଚୀନକୁ ବେଆଇନ ଭାବେ ବହୁ ସଂଖ୍ୟାରେ ବଜ୍ରକାପ୍ତା ମାଂସ ରପ୍ତାନୀ ହେଉଥିବାରୁ ଏହାକୁ କରୋନା ଭୂତାଣୁର କାରଣ ବୋଲି କୁହାଯାଉଛି ।

କାରଣ ବଜ୍ରକାପ୍ତାରେ ମିଳୁଥିବା ଭୂତାଣୁ ଓ କରୋନା ଆକ୍ରାନ୍ତଙ୍କ ଦେହରେ ମିଳୁଥିବା ଭୂତାଣୁ ମଧ୍ୟରେ ୯୯ ପ୍ରତିଶତ ସମାନତା ରହିଛି । ପ୍ରାୟ ହଜାରେ ଜଣ କରୋନା ଆକ୍ରାନ୍ତଙ୍କ ରକ୍ତ ନମୂନା ପରୀକ୍ଷା ପରେ ଏଭଳି ଏକ ସମ୍ଭାବନା ସାମ୍ନାକୁ ଆସିଛି । ଚୀନର ସରକାରୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ସାଉଥ୍ ଚାଇନା ଏଗ୍ରିକଲଚର ୟୁନିଭର୍ସିଟି ପକ୍ଷରୁ ହୋଇଥିବା ପରୀକ୍ଷାନିରୀକ୍ଷାରୁ ଜଣାପଡ଼ିଛି ଯେ  ସ୍ତନ୍ୟପାୟୀ ପ୍ରାଣୀ ବଜ୍ରକାପ୍ତା ମାଧ୍ୟମରେ କରୋନା ଭାଇରସ ମଣିଷ ଶରୀରକୁ ପ୍ରବେଶ କରିବାର ବହୁ ସମ୍ଭାବନା ରହିଛି।

ଓଡ଼ିଶାରୁ ବହୁ ସଂଖ୍ୟାରେ ବଜ୍ରକାପ୍ତା ଚୀନକୁ ବେଆଇନ ଭାବେ ଚାଲାଣ ହେଉଥିବା ଖବର ମଧ୍ୟ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର