ଗୁପ୍‌ଚୁପ୍ ଗୋଟାଏ କରୋନାଭାଇରସ୍ ସୁପର୍‌ସ୍ପ୍ରେଡର୍: କାନପୁର ପ୍ରଶାସନ

କାନପୁର (ଉତ୍ତର ପ୍ରଦେଶ): ଅନ୍ୟତମ କରୋନାଭାଇରସ୍ ସୁପର୍‌ସ୍ପ୍ରେଡର୍ କହି କାନପୁର ଜିଲ୍ଲା ପ୍ରଶାସନ ମଙ୍ଗଳବାର ଠାରୁ ଗୁପ୍‌ଚୁପ୍‌ ବିକ୍ରୟ ନିଷିଦ୍ଧ କରିଛି। ଗୁପ୍‌ଚୁପ୍‌ ବିକ୍ରୟ ହେଉଥିବା ଠେଲାଗାଡ଼ି ନିକଟରେ ଶାରୀରିକ ଦୂରତା ନିୟମ ଉଲ୍ଲଂଘନ କରି ଲୋକ ଗହଳି ଲଗାଉଥିବା କାରଣରୁ କୋଭିଡ୍-୧୯ ସଂକ୍ରମଣ ବଢ଼ିଯିବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ଏ ଭଳି ପଦକ୍ଷପ ଗ୍ରହଣ କରିଥିବା ଜଣାପଡ଼ିଛି।

ଜିଲ୍ଲା ମାଜିଷ୍ଟ୍ରେଟ୍ ଡକ୍ଟର୍ ବ୍ରହ୍ମାଦେଓ ରାମ୍‌ ତିୱାରି କହିଛନ୍ତି ଯେ, ଅନ୍‌ଲକ୍ ୧.୦ରେ କଟକଣା କୋହଳ ହେବା ପରେ ଲୋକେ ସୁରକ୍ଷା ନିୟମ ଉଲ୍ଲଂଘନ କରି ରାସ୍ତାପାଖ ଠେଲାଗାଡ଼ି ଖାଦ୍ୟ ବିକ୍ରେତାଙ୍କ ପାଖରେ ଗହଳି ଲଗାଉଛନ୍ତି ବୋଲି ଖବର ମିଳୁଛି।

Image Courtesy of Sharechat

ବିଶେଷତଃ, ଗୁପ୍‌ଚୁପ୍‌ ଷ୍ଟଲ୍‌ମାନଙ୍କରେ ସୁରକ୍ଷା ନିମୟ ପାଳନ କରାଯାଉନାହିଁ। ଗୁପ୍‌ଚୁପ୍‌ ବିକ୍ରେତାମାନେ ମାସ୍କ୍‌ ଓ ଗ୍ଲୋଭ୍‌ସ୍ ପିନ୍ଧୁ ନାହାନ୍ତି କି, ପରିଚ୍ଛନ୍ନତା ଅବଲମ୍ବନ କରୁନାହାନ୍ତି। ତେଣୁ, କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ରୋକିବା ଉଦ୍ଦେଶ୍ୟରେ ସହରରେ ଗୁପ୍‌ଚୁପ୍‌ ବିକ୍ରୟ ନିଷେଧ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

କିନ୍ତୁ, ଗୁପ୍‌ଚୁପ୍ ବିକ୍ରେତାମାନେ ଏଭଳି ନିଷ୍ପତ୍ତି ଯୋଗୁଁ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ବରୂପନଗରର ବବ୍‌ଲୁ ନାମରେ ଜଣେ ଗୁପ୍‌ଚୁପ୍‌ ବିକ୍ରେତା କହନ୍ତି, ଆମେ ମାସ୍କ୍ ଓ ଗ୍ଲୋଭ୍‌ସ୍ ପିନ୍ଧୁଛୁ ଓ ପରିବେଷଣ କରୁଥିବା ଖାଦ୍ୟରେ ପରିଚ୍ଛନ୍ନତା ବଜାୟ ରଖୁଛୁ। ଆମେ ରିଭର୍ସ ଓସ୍‌ମୋସିସ୍ ଜଳ ମଧ୍ୟ ବ୍ୟବହାର କରୁଛୁ।

ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ କହିଛନ୍ତି, ଲୋକେ ଗୁପ୍‌ଚୁପ୍‌ ଖାଇବାରୁ ବିରତ ହେବା ଉଚିତ। ଯଦି ଗୁପ୍‌ଚୁପ୍‌ ଖାଇବାକୁ ମନ, ସେମାନେ ବାହାରୁ ଗୁପ୍‌ଚୁପ୍‌ ଖୋଳ କିଣି ନେଇ ଘରେ ମସଲା ଓ ପାଣି ପ୍ରସ୍ତୁତି କରି ଖାଇବା ବରଂ ନିରାପଦ ହେବ।

ସମ୍ବନ୍ଧିତ ଖବର