ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତକାଲି ୟୁକ୍ରେନ୍‌ ଯୁଦ୍ଧରେ ଗଣ ସମ୍ପୃକ୍ତି ପାଇଁ ଘୋଷଣା କରିବାପରେ ରୁଷ୍‌ ନାଗରିକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଶତାଧିକ ନାଗରିକ ଯୁଦ୍ଧରେ ସାମିଲ ନହେବାପାଇଁ ଏବେ ପ୍ରାଣ ବିକଳରେ ଦେଶ ଛାଡ଼ି ଦେଉଛନ୍ତି। ପତ୍ନୀ ଏବଂ ପିଲାଙ୍କୁ ରୁଷ୍‌ରେ ଛାଡ଼ି ଆଜି ଆର୍ମେନିଆ ପଳାଇଥିବା ଜଣେ ବ୍ୟକ୍ତି କହିଛନ୍ତି, ମୁଁ ଯୁଦ୍ଧକୁ ଯିବାକୁ ଚାହେନା। ମୁଁ ଯୁଦ୍ଧରେ ମରିବାକୁ ଚାହେନା। ରୁଷ୍‌ରେ ଯେଉଁଭଳି ସ୍ଥିତି ଉପୁଜିଛି ତା’ ଦ୍ବାରା ‌ଯେକୌଣସି ବ୍ୟକ୍ତି ଦେଶ ଛାଡ଼ିବାକୁ ଚାହିବେ। ଆଜି ରୁଷ୍‌ ଛାଡ଼ିଥିବା ଅନେକ ନାଗରିକ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଯୁଦ୍ଧ ପାଇଁ ଯିବା ଭୁଲ୍‌। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଯାବତ୍‌ ମୋଟ୍‌ ୪୦ ହଜାର ରୁଷ୍‌ ନାଗରିକ ଆର୍ମେନିଆରେ ପହଞ୍ଚିଛନ୍ତି।

Advertisment

ଜୁନ୍‌ରେ ହୋଇଥିବା ଜାତୀୟ ଆକଳନ ଅନୁଯାୟୀ ଜର୍ଜିଆକୁ ପ୍ରାୟ ୫୦ ହଜାର ରୁଷ୍‌ ନାଗରିକ ଚାଲି ଯାଇଛନ୍ତି। ଅନ୍ୟ‌ପକ୍ଷେ ଯୁଦ୍ଧରେ ଗଣ ସମ୍ପୃକ୍ତିକୁ ବି‌ରୋଧ କରି ଆନ୍ଦୋଳନ ହେବାରୁ ପୁଲିସ ବୁଧବାର ଦିନ ୧୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ରୁଷ୍‌ ଏହାର ସୀମା ସିଲ୍‌ କରିଦେବ ବୋଲି ଏବେ ଭୟ ଉପୁଜିଛି। ପୁଟିନ ଗତକାଲି ଗଣ ସମ୍ପୃକ୍ତି ପାଇଁ ଘୋଷଣା କରିବାପରେ ଆର୍ମେନିଆ, ଜର୍ଜିଆ ଏବଂ କଜାଖସ୍ତାନ ପରି ରାଷ୍ଟ୍ରଗୁଡ଼ିକୁ ବିମାନ ଯାତ୍ରା ପାଇଁ ସବୁ ଟିକେଟ୍‌ ବୁକିଂ ସରିଛି। ଇତି ମଧ୍ୟରେ ତୁର୍କୀ ଏୟାରଲାଇନ୍ସ କହିଛି, ଇସ୍ତାନବୁଲ୍‌କୁ ବିମାନ ଆସନ୍ତା ଶନିବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବୁକ୍‌ ହୋଇସାରିଛି। ଏବେ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି ଯେ ରୁଷ୍‌ ଏୟାରଲାଇନ୍ସ ଦ୍ବାରା ରୁଷ୍‌ରେ ୧୮ରୁ ୬୫ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକେଟ୍‌ ବିକ୍ରି ବନ୍ଦ ରହିଛି।