ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାରେ ରାତି ଅନିଦ୍ରା ରହି ପେଟ୍ରୋଲ ପମ୍ପ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଆଗରେ ଭିଡ଼ ଜମାଇଲେ ଜମ୍ମୁ- କଶ୍ମୀର ବାସୀ

ଶ୍ରୀନଗର: ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହେବା ପରେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଅତ୍ୟନ୍ତ ତିକ୍ତ ଓ ଉଗ୍ର ହୋଇ ପଡ଼ିଛି। ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଭାରତ ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନ ବିରୋଧରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ ବା ସେହିପରି କିଛି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ସବୁ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଏପରିସ୍ଥିତିରେ ସମ୍ଭାବ୍ୟ ଯୁଦ୍ଧ ଭୟରେ ଜମ୍ମୁ- କଶ୍ମୀର ବାସୀଙ୍କ ଆଖିରୁ ନିଦ ହଜି ଯାଇଛି।

ଜମ୍ମୁ- କଶ୍କୀର ଉପତ୍ୟକାରେ ଏପରି ଭୟର ବାତାବରଣ ଲାଗି ରହିଥିବା ବେଳେ ଗତ ଶନିବାର ଦିନ ଭାରତ ସରକାର ଯେପରି ୧୦୦ କମ୍ପାନି ଅର୍ଦ୍ଧ ସାମରିକ ବଳଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଆଣି ଜମ୍ମୁ- କଶ୍ମୀରରେ ମୁତୟନ କଲେ ଓ ବିଚ୍ଛିିନ୍ନତାବାଦୀ ସଂଗଠନ ଜମାତ୍‌-ଇ- ଇସଲାମୀର ୨୦୦ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀଙ୍କୁ ଗିରଫ କଲେ ତାକୁ ଦେଖିବା ପରେ ଜମ୍ମୁ- କଶ୍ମୀର ବାସୀ ଅଧିକ ମାତ୍ରାରେ ଭୟଭୀତ ହୋଇପଡ଼ିଲେ। ଏଥିସହ ଗୁଜବ ପ୍ରସାରିତ ହୋଇଗଲା ଯେ ଶନିବାର ବିଳମ୍ବିତ ରାତି ବା ରବିବାର ପ୍ରତ୍ୟୁଷରୁ ଭାରତ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରେ।

ଫଳରେ ଜମ୍ମୁ- କଶ୍ମୀର ବାସୀ ଶନିବାର ତମାମ୍‌ ରାତି ଅନିଦ୍ରା ରହି ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଓ ନିତ୍ୟବ୍ୟହାର୍ଯ୍ୟ ସାମଗ୍ରୀ ଦୋକାନ ସମ୍ମୁଖରେ ଲମ୍ବା ଲାଇନ୍‌ ଲଗାଇ ପ୍ରାଣ ବିକଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ କ୍ରୟ କରି ଆପଦ୍‌କାଳୀନ ପରିସ୍ଥିତି ପାଇଁ ଗଚ୍ଛିତ ରଖିବାକୁ ଯେପରି ପ୍ରତିଯୋଗିତା ଆରମ୍ଭ କରିଦେଲେ ତାକୁ ଦେଖିବା ପରେ ଲୋକଙ୍କ ମନରେ ଥିବା ଭୟର ମାତ୍ରା ବହୁଗୁଣିତ ହୋଇଗଲା। ଏଣେ ସରକାର ମଧ୍ୟ ଏସଂପର୍କରେ ଅଦ୍ଭୁତପୂର୍ବ ନିରବତା ଅବଲମ୍ବନ କରିବା ସହ ଜମ୍ମୁ- କଶ୍ମୀରର ସମସ୍ତ ସରକାରୀ ଡାକ୍ତରଖାନାମାନଙ୍କରେ ସମସ୍ତ ପ୍ରକାରର ଜରୁରୀ ଓ ଅତ୍ୟାବଶ୍ୟକ ଔଷଧ ମହଜୁଦ୍‌ରେ ଲାଗିଗଲେ। ଭାରତ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଅନେକ ଗୁଜବ ମଧ୍ୟ ପ୍ରସାରିତ ହେଲା। ଫଳରେ ଉପତ୍ୟକା ବାସୀ ଗତକାଲି ଯୁଦ୍ଧ ଭୟରେ ବିନିଦ୍ର ରଜନୀ ବିତାଇଲେ। ତେବେ, ଆଜି ସକାକୁ ଜମ୍ମୁ- କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗୁଜବ ପ୍ରତି ଧ୍ୟାନ ନଦେବାକୁ ଉପତ୍ୟକା ବାସୀଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ସେମାନଙ୍କ ମନରୁ ଯୁଦ୍ଧର ଭୟ ଦୂର ହୋଇପାରି ନାହିଁ।

ସମ୍ବନ୍ଧିତ ଖବର