ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ଆଜି ଏକ ବଡ଼ ଧରଣର ତ୍ରୁଟି ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି। ସଂସଦରେ ଆତଙ୍କବାଦୀ ଆକ୍ରମଣର ୨୨ତମ ବାର୍ଷିକୀରେ ଦୁଇ ଜଣ ଯୁବକ ସଂସଦ ଭିତରେ ଏବଂ ଆଉ ଦୁଇ ଜଣ ସଂସଦ ବାହାରେ ଅନର୍ଥ ଘଟାଇଛନ୍ତି। ଆଜି ଅପରାହ୍ନ ୧ଟାରେ ଲୋକସଭାରେ ଶୂନ୍ୟକାଳରେ ଦୁଇ ଜଣ ଯୁବକ ଅଚାନକ ଦର୍ଶକ ଗ୍ୟାଲେରିରୁ ତଳକୁ ଡେଇଁଥିଲେ ଏବଂ ଉତ୍ପାତ ଆରମ୍ଭ କରିଦେଇଥିଲେ। ସେମାନେ ହଳଦିଆ ରଙ୍ଗର ଅଜଣା ଗ୍ୟାସ୍‌ ସ୍ପ୍ରେ କରିବା ପରେ ଆତଙ୍କ ଖୋଳିଯାଇଥିଲା। ଏହାସହିତ ଆକ୍ରମଣକାରୀ ଯୁବକ ଦ୍ବୟ ଧୂଆଁ କ୍ୟାନ୍‌ ମଧ୍ୟ ଫୋପାଡ଼ିଥିଲେ ଏବଂ ‘ତାନାଶାହି ନହିଁ ଚଲେଗା’ (ଅତ୍ୟାଚାରୀ ଶାସନ ଚଳିବ ନାହିଁ) ସ୍ଲୋଗାନ ଦେଇ ବାଚସ୍ପତି ଓମ୍‌ ବିର୍ଲାଙ୍କ ଆସନ ଆଡ଼କୁ ମାଡ଼ି ଯାଇଥିଲେ। ଏଭଳି ଅପ୍ରତ୍ୟାଶିତ କାଣ୍ଡରେ ସାଂସଦମାନେ ହତ୍‌ବାକ ହୋଇଯାଇଥିଲେ ଏବଂ ଧାଁ ଧଉଡ଼ ଆରମ୍ଭ ହୋଇଯାଇଥିଲା। କିଛି ସାଂସଦ ଉଭୟ ଉପଦ୍ରବକାରୀ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ଏବଂ ଆଉ କେତେକ ସେମାନଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ଏହାପରେ ସେମାନଙ୍କୁ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସର ୩ଟି ସ୍ବତନ୍ତ୍ର ଟିମ୍‌ ଏହି ମାମଲାର ଯାଞ୍ଚ ଜାରି ରଖିଛି। ଏହି କାଣ୍ଡପରେ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ୧୩ ଡିସେମ୍ବର ୨୦୦୧ରେ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ଆଜି ଅଜଣା ଗ୍ୟାସ୍‌ ଏବଂ ଲୁହବୁହା ଗ୍ୟାସ୍‌ ସ୍ପ୍ରେ ଘଟଣା ସଂସଦୀୟ ସୁରକ୍ଷା ବ୍ୟବସ୍ଥା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ଉପଦ୍ରବ ସୃଷ୍ଟିକାରୀ ଯୁବକ ଦ୍ବୟ କର୍ଣ୍ଣାଟକର ବି‌ଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାମରେ ଭିଜିଟର୍ସ ପାସ୍‌ ନେଇ ଭିତରକୁ ଆସିଥିଲେ ଏବଂ ସେମାନଙ୍କର ଅନ୍ୟ ଦୁଇ ଜଣ ସହଯୋଗୀ (ଜଣେ ପୁରୁଷ ଓ ଜଣେ ମହିଳା) ସଂସଦ ବାହାରେ ରହି ହଳଦିଆ ରଙ୍ଗର ଅଜଣା ଗ୍ୟାସ୍‌ ସ୍ପ୍ରେ କରୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ତତ୍କାଳ ପୁଲିସ କାବୁ କରିନେଇଛି, କିନ୍ତୁ ସେମାନଙ୍କର ଆଉ ଦୁଇ ଜଣ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ଜଣେ ଧରାପଡ଼ିଛି। ପୁଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଅନ୍ୟ ଜଣଙ୍କ ତଲାସରେ ଅଛନ୍ତି। ସଂସଦ ଭବନରେ ଏଭଳି ଅଭାବନୀୟ କାଣ୍ଡ ଘଟାଇବା ମାମଲାରେ ମୋଟ୍‌ ୬ ଜଣ ସାମିଲ ଥିବା ତଦନ୍ତରୁ ଜଣାପଡ଼ିଛି। ଏହି ସମସ୍ତ ୬ ଜଣ ଦିଲ୍ଲୀ ବାହାରୁ ଆସିଥିଲେ। ସମସ୍ତେ ଗୁରୁଗ୍ରାମରେ ଲଲିତ ଝା ନାମକ ଜଣେ ବ୍ୟକ୍ତିଙ୍କ ଘରେ ରହିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇଛି। ସଂସଦ ଭବନ ଭିତରେ ଗ୍ୟାସ୍‌ ସ୍ପ୍ରେ କରିଥିବା ଦୁଇ ଯୁବକଙ୍କୁ ସାଗର ଶର୍ମା ଏବଂ ମନୋରଂଜନ ଡି ଭାବେ ଚିହ୍ନଟ କରାଯାଇଛି। ଉଭୟ କର୍ଣ୍ଣାଟକ ବାସିନ୍ଦା ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ସଂସଦ ଭବନ ବାହାରେ ଗ୍ୟାସ୍‌ ସ୍ପ୍ରେ କରୁଥିବା ଦୁଇ ଜଣ ହେଲେ ନିଲମ (୪୨) ଏବଂ ଅମୋଲ ସିନ୍ଦେ (୨୫)। ସବୁ କିଛି ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ହୋଇଥିବା ତଦନ୍ତାକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଅପରାହ୍ନ ୨ଟାରେ ପୁଣି ଲୋକସଭାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ବାଚସ୍ପତି ଓମ୍‌ ବିର୍ଲା ଗୃହରେ ବଡ଼ ଧରଣର ସୁରକ୍ଷା ଭଙ୍ଗ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ବୋଲି କହିଥିଲେ। ସେ କହିଥିଲେ ଯେ ମାମଲାର ଯାଞ୍ଚ ଜାରି ରହିଛି ଏବଂ ଯେଉଁ ଗ୍ୟାସ୍‌ ସ୍ପ୍ରେ ହୋଇଥିଲା ତାହାକୁ ନେଇ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ ହୋଇଛି। ପ୍ରାଥମିକ ତଦନ୍ତରୁ ସ୍ପ୍ରେ କରାଯାଇଥିବା ଗ୍ୟାସ୍‌ କୌଣସି କ୍ଷତିକାରକ ନଥିଲା ବୋଲି ଜଣାପଡ଼ିଥିବା ବାଚସ୍ପତି ଗୃହରେ କହିଥିଲେ। ଏହି ଘଟଣା ପରେ ସଂସଦର ଭିଜିଟର୍ସ ଗ୍ୟାଲେରିକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଅଭିଯୁକ୍ତମାନଙ୍କୁ ଜେରା କରୁଥିବା ବେଳେ ସଂସଦରେ ଏଭଳି ଅନର୍ଥ ଘଟାଇବା ପଛରେ କୌଣସି ସଂଗଠନର ହାତ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଲୋକସଭାରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗ ଉଠାଇ କହିଥିଲେ, ଏହା ବହୁତ ଗମ୍ଭୀର ପ୍ରସଙ୍ଗ। ଏତେ କଡ଼ା ସୁରକ୍ଷା ସତ୍ତ୍ବେ ଏଭଳି ତ୍ରୁଟି କିଭଳି ସମ୍ଭବ ହେଲା ଏବଂ ଦୁଇ ଜଣ ସୁରକ୍ଷା ଉଲ୍ଲଂଘନ କରିବାକୁ କିଭଳି ସକ୍ଷମ ହେଲେ ତାହାର ଜବାବ ସରକାରଙ୍କୁ ଦେବାକୁ ହେବ ବୋଲି ଖଡ଼ଗେ କହିଛନ୍ତି।

ସଂସଦ ସୁରକ୍ଷାରେ ଗୁରୁତର ତ୍ରୁଟି
ଲୋକସଭାରେ ଅଜଣା ଗ୍ୟାସ୍‌ ସ୍ପ୍ରେ
ଦର୍ଶକ ଗ୍ୟାଲେରିରୁ ଦୁଇ ଜଣ କୁଦିଲେ
ସଂସଦ ବ‌ାହାରେ ବି ଅଭାବନୀୟ କାଣ୍ଡ

publive-image

ଯୁବକଯୁବତୀ କିଏ?

ନୂଆଦିଲ୍ଲୀ: ଆଜି ସଂସଦ ଭିତରେ ଓ ସଂସଦ ବାହାରେ ହୋଇଥିବା ହଙ୍ଗାମା ଘଟଣାରେ ୬ ଜଣ ସଂପୃକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଲୋକସଭା ଭିତରେ ଆତଙ୍କ ସୃଷ୍ଟି କରିଥିବା ବେଳେ ସଂସଦ ବାହାରେ ଜଣେ ଯୁବତୀ ଓ ଜଣେ ଯୁବକ ରଙ୍ଗୀନ ଗ୍ୟାସ ସ୍ପ୍ରେ କରି ଉତ୍ତେଜନା ସୃଷ୍ଟି କରିଥିଲେ। ଏଥିରେ ସେମାନଙ୍କୁ ଆଉ ଦୁଇ ଜଣ ସହଯୋଗ କରିଥିଲେ। ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଛି। ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ତାକୁ ଧରିବା ଲାଗି ପୁଲିସ ଚାରିଆଡ଼େ ଜାଲ ବିଛାଇଛି।

ଏମାନେ କିଏ? ଏମିତି ଆତଙ୍କ ସୃଷ୍ଟି କରିବାର କାରଣ କଣ? ସେମାନେ କେଉଁ କେଉଁ ସଂଗଠନ ସହିତ ସଂପୃକ୍ତ? ସେମାନଙ୍କ ପଛରେ ଆଉ କିଏ ଅଛନ୍ତି କି? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଳେ ଦିଲ୍ଳୀ ପୁଲିସ ଏହା ଉପରେ ଛାନବିନ୍ ଆରମ୍ଭ କରିଛି। ୫ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ରଖି ପଚରାଉଚରା ଚଳାଇଛି ପୁଲିସ। ତେବେ ଏହା ସହିତ କୌଣସି ଆତଙ୍କବାଦୀ ସଂଗଠନର ସଂପୃକ୍ତ ନାହିଁ ବୋଲି ପୁଲିସ ପକ୍ଷରୁ ପ୍ରାରମ୍ଭିକ ସୂଚନା ଦିଆଯାଇଛି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ସେମାନେ ଅନଲାଇନରେ ଏକାଠି ହୋଇ ଏଭଳି କାଣ୍ଡ ପାଇଁ ଯୋଜନା କରିଥିଲେ। ତେବେ ସେମାନେ ଏଭଳି କାଣ୍ଡ କାହିଁକି ଘଟାଇଲେ, ସେସଂପର୍କରେ ପଚରାଉଚରା କରାଯାଉଛି।

ସଂସଦ ଭିତରେ ଉପଦ୍ରବ କରିଥିବା ଯୁବକମାନେ ହେଲେ ସାଗର ଶର୍ମା (ଶଙ୍କର ଲାଲ ଶର୍ମାଙ୍କ ପୁଅ) ଏବଂ ମନୋରଞ୍ଜନ ଡି (ଦେବରାଜ ଗୌଡ଼ାଙ୍କ ପୁଅ)। ମନୋରଂଜନ ଡି କର୍ଣ୍ଣାଟକ ମହୀଶୂରର ବାସିନ୍ଦା। ସାଗରର ଘର ହେଉଛି ୟୁପିରେ ଏବଂ ସେ ଜଣେ ଗ୍ରାଜୁଏଟ୍। ଦିଲ୍ଲୀ ପୁଲିସରୁ ମିଳିଥିବା ସୂଚନା ଅନୁଯାୟୀ, ପରିବହନ ଭବନ ସମ୍ମୁଖରୁ ଗିରଫ ହୋଇଥିବା ଦୁଇ ବିକ୍ଷୋଭକାରୀଙ୍କୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାକୁ ଆଣି ପଚରାଉଚରା କରାଯାଉଛି। ସେମାନଙ୍କ ନାମ ନୀଲମ ବର୍ମା (୪୨) ଓ ଅମୋଲ ସିନ୍ଦେ (୨୫) ବୋଲି ଜଣାପଡ଼ିଛି। ନୀଲମ ମୂଳତଃ ହରିୟାଣା ହିସାରର ବାସିନ୍ଦା ଏବଂ ଅନମୋଲ ସିନ୍ଦେ ମହାରାଷ୍ଟ୍ରର ଲାଟୁରରେ ରହୁଥିବା ଜଣାପଡ଼ିଛି। ଅଭିଯୁକ୍ତ ମନୋରଂଜନ ଜଣେ ଇଂଜିନିୟର ବୋଲି ଜଣାପଡ଼ିଛି। ତା’ର ପିତା ଦେବରାଜ ଗୌଡ଼ା କହିଛନ୍ତି, ସେ ଜଣେ ଭଲ ପିଲା ଏବଂ ଅନେକ ସମୟରେ ସ୍ବାମୀ ବିବେକାନନ୍ଦଙ୍କ ରଚନା ପଢ଼ିଥାଏ। ଯଦି ସେ ଏଭଳି କିଛି ଅନର୍ଥ ଘଟାଇଛି ତା’ହେଲେ ତାକୁ ଫାଶୀ ଦଣ୍ଡ ଦିଆଯିବା ଉଚିତ। ସେ ଏଭଳି କିଛି କାହିଁକି ଘଟାଇଲା ତାହା ଏକ ବିସ୍ମୟ ବୋଲି ସେ କହିଛନ୍ତି। ମନୋରଂଜନ ୨୦୧୬ରେ ବିଇ ଡିଗ୍ରି ହାସଲ କରିଥିଲା ଏବଂ ଦିଲ୍ଲୀ ଓ ବେଙ୍ଗାଲୁରୁରେ ବିଭିନ୍ନ ସଂସ୍ଥାରେ କାମ କରିଥିଲା ବୋଲି ସେ କହିଛନ୍ତି।

ପରିବହନ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ନୀଲମ ଓ ଅନମୋଲ ଗ୍ୟାସ ସ୍ପ୍ରେ ସହ ‘ଭାରତ ମାତା କି ଜୟ’ ଓ ‘ଏକଚ୍ଛତ୍ରବାଦ ଚଳିବ ନାହିଁ’ ଭଳି ସ୍ଲୋଗାନ ଦେଇଥିବା ସୂଚନା ମିଳିଛି। ନୀଲମ ଜଣେ ଅଭ୍ୟାସଗତ ଆନ୍ଦୋଳନକାରୀ ଏବଂ ପୂର୍ବରୁ ସେ କୃଷକ ଆନ୍ଦୋଳନ ଏବଂ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନରେ ସାମିଲ ଥିଲା। ନୀଲମ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନମୋଲ ପୁଲିସ ଓ ସେନା ବାହିନୀରେ ପ୍ରବେଶ ପାଇଁ ପରୀକ୍ଷା ଦେଇ ବିଫଳ ହୋଇଥିଲା। ସେମାନଙ୍କ ନାମରେ କୌଣସି ଅପରାଧିକ ମାମଲା ନାହିଁ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସମସ୍ତ ୬ ଅଭିଯୁକ୍ତ ସଂସଦ ଭବନ ଭିତରେ ପ୍ରବେଶ କରିବାକୁ ଚାହୁଥିଲେ ଏବଂ କେବଳ ୨ ଜଣଙ୍କୁ ହିଁ ପାସ୍‌ ମିଳିବାରୁ ସେମାନଙ୍କ ଯୋଜନା ବଦଳିଥିଲା। ତେବେ ସଂସଦ ଭିତରେ ମାତ୍ର ୪୫ ମିନିଟ୍ ଲାଗି ପାସ୍ ମିଳିଥିବା ବେଳେ ସେମାନେ ଦୁଇ ଘଣ୍ଟା ଧରି କିପରି ରହିଲେ ବୋଲି ସଂସଦମାନେ ପ୍ରଶ୍ନ କରିଛନ୍ତି। ଅମରୋହା ସାଂସଦ କୁଅଁର ଦାନିଶ ଅଲି ଦାବି କରିଛନ୍ତି ଯେ ସଂସଦରେ ପ୍ରବେଶ କରିଥିବା ଦୁଇ ଯୁବକ ସାଗର ଶର୍ମା ଓ ମନୋରଂଜନ ଡିଙ୍କୁ ବିଜେପି ନେତା ପ୍ରତାପ ସିହ୍ନାଙ୍କ କାର୍ଯ୍ୟାଳୟ ପକ୍ଷରୁ କିଭଳି ପାସ୍‌ ପ୍ରଦାନ କରାଗଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜରୁରୀ। କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ କହିବାନୁଯାୟୀ, ଲୋକସଭାକୁ ଡେଇଁଥିବା ଦୁଇ ଯୁବକଙ୍କ ପାଖରେ ଲୁହବୁହା ଗ୍ୟାସ୍ ସେଲ୍ ଥିଲା। ଶୂନ୍ୟକାଳରେ ସେମାନଙ୍କ ମଧ୍ୟରୁ ଜଣେ ଟେବୁଲ ଉପରକୁ ଡେଇଁ ପଡ଼ିଥିବା ବେଳେ ଅନ୍ୟ ଜଣେ ଯୁବକ ସାର୍ବଜନୀନ ଗ୍ୟାଲେରୀରୁ ଲୁହବୁହା ଗ୍ୟାସ ସିଞ୍ଚନ କରୁଥିବା ଦେଖିବାକୁ ମିଳିଥିଲା।