ପଂଜାବ ନିର୍ବାଚନ: ଧୁରୀରୁ ନିର୍ବାଚନ ଲଢ଼ିବାକୁ ଚନ୍ନିଙ୍କୁ ମାନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍‌ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଆଜି ଏକ ଚ୍ୟାଲେଂଜ କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ଚନ୍ନି ଧୁରୀରୁ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବାପାଇଁ ସେ ଆହ୍ବାନ କରିଛନ୍ତି। ଭଗୱନ୍ତ ମାନ କହିଛନ୍ତି, ଚମକୌର ସାହିବ ଆସନ ଏକ ସଂରକ୍ଷିତ ଆସନ ହୋଇଥିବାରୁ ସେଠାରୁ ସେ ନିର୍ବାଚନ ଲଢ଼ିପାରିବେନି କିନ୍ତୁ ଚନ୍ନି ଧୁରୀରୁ ନିର୍ବାଚନ ଲଢ଼ିପାରିବେ। ମାନ୍‌ ଏଥିପାଇଁ ଚନ୍ନିଙ୍କୁ ସ୍ବାଗତ କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭଗୱନ୍ତ ମାନ୍‌ ପଂଜାବର ଧୁରୀ ଆସନରୁ ନିର୍ବାଚନ ଲଢ଼ିବେ। ଏହି ନିର୍ବାଚନମଣ୍ଡଳୀ ସାଙ୍ଗୁର ଜିଲ୍ଲାରେ ଅବସ୍ଥିତ। ଜାନୁଆରି ୧୮ରେ ତାଙ୍କୁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲା। କଂଗ୍ରେସର ଦଲବୀର ସିଂହ ଖଙ୍ଗୁରା ଏବେ ଧୁରି ନିର୍ବାଚନମଣ୍ଡଳୀରେ ବିଧାୟକ ଅଛନ୍ତି। ୨୦୧୨ରୁ ଉକ୍ତ ଆସନଟି କଂଗ୍ରେସ ଦଖଲରେ ଥିବାରୁ ଏହି ଆସନରେ ଲଢ଼େଇ ତୀବ୍ର ହେବ। ଫେବ୍ରୁଆରି ୨୦ରେ ପଂଜାବର ୧୧୭ ଆସନରେ ନିର୍ବା‌ଚନ ଅଛି। ମାର୍ଚ୍ଚ ୧୦ ତାରିଖରେ ଫଳ ବାହାରିବ।

ସମ୍ବନ୍ଧିତ ଖବର