ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲା ହୀରା ପାଇଁ ଖୁବ ଲୋକପ୍ରିୟ। ନିକଟରେ ପନ୍ନା ଜିଲ୍ଲା ଅନ୍ତର୍ଗତ ଏକ ଖଣିରୁ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ୧୦. ୬୯ କ୍ୟାରେଟ୍ ହୀରା ମିଳିଥିବା ସରକାରୀ ଅଧିକାରୀମାନଙ୍କ ପକ୍ଷରୁ ପ୍ରକାଶ ପାଇଥିଲା। ଏହି କ୍ରମରେ ପାନ୍ନାରେ ଜଣେ ଶ୍ରମିକଙ୍କୁ କୋଟିଏରୁ ଅଧିକ ଟଙ୍କାର ହୀରା ମିଳିଥିବା ଘଟଣା ସାମ୍ନାକୁ ଆସିଛି। ଏହି ହୀରା ମିଳିବା ପରେ ଶ୍ରମିକ ଜଣକ ରାତାରାତି କୋଟିପତି ହୋଇଯାଇଥିବା ଶୁଣିବାକୁ ମିଳିଛି।
ହୀରା ପାଇଥିବା ଶ୍ରମିକ ରାଜୁ ଗୋଣ୍ଡ ତାଙ୍କ ବାପା ଚୁନବାଦା ଗୋଣ୍ଡଙ୍କ ନାମରେ ହୀରା କାର୍ଯ୍ୟାଳୟରୁ ପଟ୍ଟା ଆଣି ଦୁଇମାସ ପୂର୍ବରୁ ପାନ୍ନାର ହୀରା ଖାଦାନରେ କାମ କରିବା ଆରମ୍ଭ କରିଥିଲେ। ପେସାରେ ଟ୍ରାକ୍ଟର ଚଲାଉଥିବା ଓ ଶ୍ରମିକ ଭାବେ କାମ କରୁଥିବା ରାଜୁ ହୀରା ପାଇବା ଘଟଣାକୁ ନେଇ କହିଛନ୍ତି, ’୧୯ କ୍ୟାରେଟର ୨୨ସେଣ୍ଟର ହୀରା ମିଳିଛି। ୧୦ବର୍ଷ ହେବ ହୀରା ଖାଦାନରେ କାମ କରି ଆସୁଛି। ବିଶ୍ବାସ ଥିଲା କି ଦିନେ ନା ଦିନେ ମୁଁ ହୀରା ପାଇବି। ଏହି ହୀରାର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ତେବେ ମୋତେ ମିଳିବାକୁ ଥିବା ଟଙ୍କାରେ ପ୍ରଥମେ ମୋ ଉପରେ ଥିବା କରଜ ସୁଝି ଦେବି। ତା’ପରେ ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଭଲ ସ୍କୁଲରେ ପାଠପଢ଼ାଇବି। ଏଥିସହିତ ପରିବାରର ଆର୍ଥିକସ୍ଥିତି ସୁଧାରିବା ପାଇଁ ଜମି କିଣିବାକୁ ସ୍ଥିର କରିଛି। ଏସବୁ ମୋର ପରିଶ୍ରମର ଫଳ ବୋଲି ମୁଁ କହିବି।‘