ନୂଆଦିଲ୍ଲୀ: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ବିରୋଧରେ ଆମେରିକା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ପରେ ଭାରତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏକ ବିବୃତି ଜାରି କରି କହିଛନ୍ତି, ଏହି ମାମଲାରେ ଚାଲିଥିବା ତଦନ୍ତକୁ ଭାରତ ଗମ୍ଭୀରତାର ସହ ଗ୍ରହଣ କରୁଛି। ଆମେ ପୂର୍ବରୁ କହିସାରିଛୁ ଯେ ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗ ଉପରେ ଆମେରିକା ସହ ଆଲୋଚନା ସମୟରେ ଆମେରିକା ପକ୍ଷ ସଂଗଠିତ ଅପରାଧୀ, ବନ୍ଧୁକ ଚୋରା ଚାଲାଣକାରୀ, ଆତଙ୍କବାଦୀ ଓ ଅନ୍ୟମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଥିବାର ସୂଚନା ପ୍ରଦାନ କରିଛି। ନଭେମ୍ବର ୧୮ରେ ଭାରତ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରି ଘଟଣାର ସମସ୍ତ ପ୍ରାସଙ୍ଗିକ ଦିଗକୁ ଅନୁଧ୍ୟାନ କରିଥିଲେ। ତଦନ୍ତ କମିଟିର ରିପୋର୍ଟ ଆଧାରରେ ଭାରତ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ବାଗଚୀ କହିଛନ୍ତି।

Advertisment

ଅଟାୱା: କାନାଡା ବୈଦେଶିକ ବ୍ୟାପାର ମନ୍ତ୍ରୀ ମେଲାନି ଜୋଲି ଭାରତକୁ ଅନୁରୋଧ କରି କହିଛନ୍ତି ଯେ ଭାରତ ଛାଡ଼ିବାକୁ ବାଧ୍ୟ ହୋଇଥିବା କାନାଡା କୂଟନୀତିଜ୍ଞମାନଙ୍କୁ ପୁଣି ଫେରିବାକୁ ଅନୁମତି ଦିଅନ୍ତୁ। ନ୍ୟୁୟର୍କରେ ଖଲିସ୍ତାନ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବା ପାଇଁ ଜଣେ ଭାରତୀୟ ଗୁଇନ୍ଦା ଅଧିକାରୀ ଭାରତରୁ ଷଡ଼ଯନ୍ତ୍ର କରିଥିବା ଆମେରିକାର ଫେଡେରାଲ ପ୍ରସିକ୍ୟୁଟରମାନେ ଅଭିଯୋଗ କରିବାର ଗୋଟିଏ ଦିନ ପରେ ଜୋଲି ଏହା କହିଛନ୍ତି। ବ୍ରସେଲ୍ସରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜୋଲି କହିଛନ୍ତି, ମୁଁ ଆଶା କରୁଛି ଭାରତରେ ପୂର୍ବରୁ କାର୍ଯ୍ୟ କରୁଥିବା ୪୧ ଜଣ କୂଟନୀତିଜ୍ଞଙ୍କୁ ବର୍ତ୍ତମାନ ଫେରିବାକୁ ଅନୁମତି ମିଳିବ। କାନାଡା ମାଟିରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜାରକୁ ହତ୍ୟା କରିବାରେ ଭାରତର ସମ୍ପୃକ୍ତି ଥିବା ନେଇ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ବିବାଦ ଉପୁଜିଥିଲା। ଭାରତ ଏହି ଅଭିଯୋଗକୁ ଅସ୍ବୀକାର କରିବା ସହ କାନାଡ଼ା ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବିଦା କରିବା ପରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଭାରତରେ କାର୍ଯ୍ୟରତ କାନାଡ଼ାର କୂଟନୀତିଜ୍ଞଙ୍କ ସଂଖ୍ୟା ସମାନୁପାତିକ ଭାବରେ ହ୍ରାସ କରିବା ପାଇଁ ଭାରତ ୪୧ ଜଣ କାନାଡ଼ା କୂଟନୀତିଜ୍ଞଙ୍କୁ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ କରିଥିଲା।