ପନ୍ନୁ ହତ୍ୟା ଷଡ଼ଯନ୍ତ୍ର: ନିଖିଳ ଗୁପ୍ତାଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କଲା ଚେକ୍‌ ଗଣରାଜ୍ୟ

ନୂଆଦିଲ୍ଲୀ: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ତଥା ଆମେରିକୀୟ ନାଗରିକ ଗୁରପତୱନ୍ତ ସିଂହ ପନ୍ନୁ ହତ୍ୟା ଷଡ଼ଯନ୍ତ୍ରରେ ଅଭିଯୁକ୍ତ ଥିବା ଭାରତୀୟ ନାଗରିକ ନିଖିଳ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକରୁ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଛି। ଶୁକ୍ରବାର ପ୍ରେଗ୍‌-ରୁଜିନ ବିମାନବନ୍ଦରରେ ପ୍ରତ୍ୟର୍ପଣ କରାଯିବା ପରେ ଗୁପ୍ତାଙ୍କୁ ଆଜି ନ୍ୟୁୟର୍କର ଏକ ଫେଡେରାଲ୍ କୋର୍ଟରେ ହାଜର କରାଯିବ ବୋଲି ଆଶା କରାଯାଉଛି।
୨୦୨୩ ନଭେମ୍ବର ୨୩ରେ ପ୍ରେଗ୍‌ ମ୍ୟୁନିସିପାଲିଟି କୋର୍ଟ ଏବଂ ୨୦୨୪ ଜାନୁଆରି ୮ରେ ପ୍ରେଗ୍‌ ହାଇକୋର୍ଟଙ୍କ ପ୍ରତ୍ୟର୍ପଣ ସପକ୍ଷ ରାୟ ପରେ ଚେକ୍ ରିପବ୍ଲିକ୍‌ର ନ୍ୟାୟମନ୍ତ୍ରୀ ଗୁପ୍ତାଙ୍କୁ ଜୁନ୍ ୩ ତାରିଖର ଏକ ନିଷ୍ପତ୍ତି ଦ୍ୱାରା ଆମେରିକାକୁ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥିଲେ ବୋଲି ଚେକ୍ ରିପବ୍ଲିକ୍‌ର ନ୍ୟାୟ ମନ୍ତ୍ରଣାଳୟର ମୁଖପାତ୍ର ଭ୍ଲାଦିମିର ରେପକା କହିଛନ୍ତି। ରେପକା ଆହୁରି କହିଛନ୍ତି ଯେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଉପରେ ଅଧିକ ତଦନ୍ତ ପାଇଁ ଏହି ପ୍ରତ୍ୟର୍ପଣ କରାଯାଇଛି।

୫୨ ବର୍ଷୀୟ ଗୁପ୍ତାଙ୍କୁ ବର୍ତ୍ତମାନ ବ୍ରୁକଲିନର ମେଟ୍ରୋପଲିଟାନ ଡିଟେନସନ ସେଣ୍ଟରରେ ରଖାଯାଇଛି। ଗତ ମାସରେ ଚେକ୍ କୋର୍ଟ ଗୁପ୍ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ, ଯାହା ଫଳରେ ତାଙ୍କ ପ୍ରତ୍ୟର୍ପଣ ପାଇଁ ବାଟ ଖୋଲିଥିଲା। ପନ୍ନୁ ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତି ଥିବା ନେଇ ଆମେରିକାର ଅଭିଯୋଗ ଆଧାରରେ ଗୁପ୍ତାଙ୍କୁ ଗତ ବର୍ଷ ଜୁନ୍ ୩୦ରେ ଚେକ୍ ରିପବ୍ଲିକ୍‌ରୁ ଗିରଫ କରାଯାଇଥିଲା। ପନ୍ନୁ ହତ୍ୟା ଷଡ଼ଯନ୍ତ୍ରରେ ନିଜ ସମ୍ପୃକ୍ତିକୁ ଭାରତ ଅସ୍ୱୀକାର କରିବା ସହ ଆମେରିକା ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରିଛି। ନିଖିଲ ଗୁପ୍ତା ମଧ୍ୟ ତାଙ୍କ ଓକିଲଙ୍କ ଜରିଆରେ ତାଙ୍କ ବିରୋଧରେ ମିଛ ଅଭିଯୋଗ ହୋଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର