ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ହତ୍ୟା କରିବ ବୋଲି ଧମକ ଦେଇଛି।
ମୋଦୀଙ୍କର ଯଦି ସାହସ ଅଛି ତା’ହେଲେ ବିନା ନିରାପତ୍ତାରେ ଦିଲ୍ଲୀ ଆସି ଦେଖାନ୍ତୁ ବୋଲି ପନ୍ନୁ କହିଛି। ଏଥିସହିତ ଆମ୍‌ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀଙ୍କ ଉପରେ ଜାନୁଆରି ୨୬ରେ ଆକ୍ରମଣ କରିବା ଲାଗି କହିଛି। ଶିଖ୍‌ ଫର୍‌ ଜଷ୍ଟିସ୍ ସଂଗଠନର ପ୍ରତି‌ଷ୍ଠାତା ତଥା ଆତଙ୍କବାଦୀ ପନ୍ନୁ ପୂର୍ବରୁ ଭାରତର ବିଭିନ୍ନ ପ୍ରତିଷ୍ଠାନ ଏବଂ ଏହାର ମୁଖ୍ୟମାନଙ୍କୁ ହତ୍ୟା ଧମକ ଦେଇଥିବା ବେଳେ ଏବେ ଏଥିରେ ଏହି ନୂଆ ଧମକ ଯୋଡ଼ିହୋଇଛି। ଗତମାସରେ ସେ ଏକ ଭିଡିଓ ଜାରି କରିଥିଲେ। ସେଥିରେ କହିଥିଲେ ଯେ ଡିସେମ୍ବର ୧୩ କିମ୍ବା ତା ପୂର୍ବରୁ ସେ ସଂସଦ ଉପରେ ଆକ୍ରମଣ କରିବେ। ତାହା ପୂର୍ବରୁ ସେ ନଭେମ୍ବର ୧୯ରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଏଥିରେ ଯାତ୍ରା ନକରିବା ପାଇଁ କହିଥି‌ଲା। ଯାତ୍ରା କରିଲେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହିଥିଲା।