ଝାନ୍ସୀ: ସୋମବାର ଉତ୍ତର ପ୍ରଦେଶର ଝାନ୍ସୀରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଚାରି ବର୍ଷୀୟା ଝିଅର ଚିତ୍ରକୁ ନେଇ ସନ୍ଦେହ ଉପୁଜିଛି। କୁନି ଝିଅ କରିଥିବା ଚିତ୍ରରୁ ଅନୁମାନ କରାଯାଉଛି ଯେ ତାଙ୍କ ମାଆ ବର୍ଷ ବର୍ଷ ଧରି ନିର୍ଯାତନା ସହିବା ପରେ ତାଙ୍କ ସ୍ବାମୀ ତାଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି।
ଝାନ୍ସୀର କୋତୱାଲି ଅଞ୍ଚଳ ଅନ୍ତର୍ଗତ ପଞ୍ଚବଟି ଶିବ ପରିବାର କଲୋନୀରେ ଘଟିଥିବା ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା;ଯେତେବେଳେ ୨୭ ବର୍ଷୀୟା ମହିଳାଙ୍କ ଶଶୁରଘର ଲୋକ ତାଙ୍କ ପରିବାରକୁ କହିଥିଲେ ଯେ ସେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ମହିଳାଙ୍କ ଝିଅର ଏକ ଚିତ୍ର ଏବଂ ବୟାନରୁ ଜଣାପଡ଼ିଛି ଯେ ତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି ଏବଂ ତାଙ୍କ ମୃତଦେହକୁ ଆତ୍ମହତ୍ୟା ଭାବରେ ପ୍ରଦର୍ଶିତ କରିବା ପାଇଁ ଝୁଲାଇ ଦିଆଯାଇଛି।
ସୋନାଲିଙ୍କ ବାପଘର ଲୋକେ ଜ୍ବାଇଁ ସନ୍ଦୀପ ବୌଧଲିୟା ଓ ତାଙ୍କ ପରିବାର ଉପରେ ହତ୍ୟା ଅଭିଯୋଗ ଆଣିଥିଲେ । ସୋନାଲିଙ୍କ ଶବ ସତ୍କାର ପାଇଁ ସନ୍ଦୀପ ପହଞ୍ଚିବାରୁ ତାଙ୍କୁ ଘଉଡାଇଦେବା ସହ ତାଙ୍କ ଝିଅ ହାତରେ ମୁଖାଗ୍ନି ଦେବା କାମ କରାଇଥିଲେ । ଶବସତ୍କାର ପରେ ଘଟଣାର ତଦନ୍ତ କରିବାକୁ ପହଞ୍ଚିଥିଲା ପୋଲିସ ।
କୁନି ଝିଅକୁ ପଚାରିବାରୁ ସେ ଏକ ଡ୍ରଇଂ ବନାଇଥିଲା । ଏହାକୁ ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ ପୁଲିସ ଅଧିକାରୀ । ଡ୍ରଇଂରେ ଜଣେ ମହିଳା ଫାଶିରେ ଝୁଲୁଥିଲେ ଏବଂ ତା ପାଖରେ ଅନ୍ୟ ଜଣଙ୍କ ହାତ ଦେଖିବାକୁ ମିଳିଥିଲା । ଇଏ କାହା ହାତ ବୋଲି ପଚାରିଥିଲେ ପୁଲିସ ଏବଂ କୁନି ଝିଅ କହିଥିଲା, ପାପା ମାମାକୁ ମାରିଦେଲେ। ଏହାପରେ ରଶିରେ ଝୁଲାଇଦେଇଥିଲେ। ବାସ୍ ଏତିକିରେ ଧରାପଡିଥିଲା ସତ। ପୁଲିସ ସନ୍ଦୀପକୁ ଗିରଫ କରି ଜେରା କରୁଥିବା ଜଣାପଡିଛି।