ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ, ପପୁ ଯାଦବ ଗିରଫ

ରୁଡ଼ିଙ୍କ ଆମ୍ବୁଲାନ୍ସ ନେଇ ପ୍ରଶ୍ନ ଉଠାଇଥିଲେ

ପାଟନା: ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିହାର ପୁଲିସ ଆଜି ଜନ ଅଧିକାର ପାର୍ଟି ନେତା ତଥା ପୂର୍ବତନ ସାଂସଦ ପପୁ ଯାଦବଙ୍କୁ ଗିରଫ କରିଛି। କୋଭିଡ-୧୯ ପର୍‌ମିଟ୍‌ ନଥାଇ ସେ ପାଟନାରେ ଘର ବାହାରେ ବୁଲୁଥିବାରୁ ତାଙ୍କୁ ଗିରଫ କରାଯାଇଛି। ତେବେ କରୋନା ବେଳେ ସେ ଲୋକଙ୍କୁ ସାହାଯ୍ୟ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ପପୁ ଅଭିଯୋଗ କରିଛନ୍ତି। ରାଜନୈତିକ କାରଣରୁ ତାଙ୍କୁ ଗିରଫ କରାଯାଇଛି, କରୋନା ନିୟମ ଉଲ୍ଲଂଘନ ଏକ ବାହାନା ବୋଲି ପପୁ କହିବା ସହିତ ଏଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

ପପୁ କହିଛନ୍ତି ଯେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡିଙ୍କ ଏମ୍ବୁଲାନ୍ସକୁ ନେଇ ସେ ପ୍ରଶ୍ନ ଉଠାଇବାରୁ ତାଙ୍କ ବିରୋଧରେ ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ସାରଣ ଜିଲ୍ଲାରେ ଏମ୍‌ପିଲାଡ୍‌ରୁ କିଣାଯାଇଥିବା ୧୨ରୁ ଅଧିକ ଆମ୍ବୁଲାନ୍ସକୁ ଲୋକଙ୍କ ସେବାରେ କାହିଁକି ବ୍ୟବହାର ହେଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଡ୍ରାଇଭର ନଥିବାରୁ ଆମ୍ବୁଲାନ୍ସଗୁଡ଼ିକ ବ୍ୟବହାର ହୋଇପାରି ନଥିବା ସାଂସଦ ରୁଡ୍ଡି କହିଥିବା ବେଳେ ପପୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏଥିପାଇଁ ୪୦ରୁ ଅଧିକ ଡ୍ରାଇଭର ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର