ଲାହୋର: ପାକିସ୍ତାନ କିଛି ଦିନ ହେବ ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ସ୍ଥିତି ଏପରି ହୋଇଛି ଯେ ଯଦି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବା ଆଇଏମଏଫ ପକ୍ଷରୁ ପାକିସ୍ତାନକୁ ଋଣ ଦିଆନଯାଏ ତେବେ ପାକିସ୍ତାନ ଋଣ ଖିଲାପ କରିବ । ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ସହ ଖାଦ୍ୟ ସଙ୍କଟରେ ଏବେ ପାକିସ୍ତାନବାସୀ ଡହଳବିକଳ ହେଉଥିବାବେଳେ ପାକିସ୍ତାନ ସରକାର ଏବେ ଏମିତି ଏକ ଘୋଷଣା କରିଛନ୍ତି ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି | ଖାଦ୍ୟ, ପେଟ୍ରୋଲ ଭଳି ଜିନିଷ ପରେ ବର୍ତ୍ତମାନ ଔଷଧର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି |
ଅବସ୍ଥା ଏପରି ହୋଇଛି ଯେ ବର୍ତ୍ତମାନ ଭାଇରାଲ୍ ଜ୍ୱରର ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ପାରାସିଟାମଲ୍ ସମେତ ୨୦ଟି ଅତ୍ୟାବଶ୍ୟକ ଔଷଧ ମହଙ୍ଗା ହୋଇଛି। ପାକିସ୍ତାନରେ ଶେହବାଜ ସରିଫଙ୍କ କ୍ୟାବିନେଟ ୨୦ଟି ଜରୁରୀ ଔଷଧର ମୂଲ୍ୟ ବୃଦ୍ଧି କରିବାକୁ ଅନୁମୋଦନ ଦେଇଛି। ଜାତୀୟ ସ୍ୱାସ୍ଥ୍ୟ ସେବା, ନିୟମାବଳୀ ଏବଂ ସମନ୍ୱୟ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଡ୍ରଗ୍ ମୂଲ୍ୟ କମିଟି (ଡିପିସି) ଦ୍ୱାରା ସୁପାରିଶ କରାଯାଇଥିବା ୧୮ଟି ନୂତନ ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ (ଏମାରପି) ସ୍ଥିର କରିବାକୁ ଅନୁମତି ଦିଆଯାଇଛି |
ପାକିସ୍ତାନୀ କ୍ୟାବିନେଟର ଅର୍ଥନୈତିକ ସମନ୍ୱୟ କମିଟି ମଧ୍ୟ ପାରାସିଟାମଲର ସର୍ବାଧିକ ଖୁଚୁରା ମୂଲ୍ୟ ପରିବର୍ତ୍ତନ କରିବାକୁ ଅନୁମୋଦନ କରିଛି। ବାସ୍ତବରେ ଜ୍ୱର, ଯନ୍ତ୍ରଣା ଭଳି ସାଧାରଣ ରୋଗର ଚିକିତ୍ସାରେ ପାରାସିଟାମଲ ବହୁଳ ବ୍ୟବହୃତ ହୁଏ | ଏହା ସମଗ୍ର ବିଶ୍ୱରେ ସର୍ବାଧିକ ବିକ୍ରି ହେଉଥିବା ଔଷଧ | ପାରାସିଟାମଲକୁ ପାକିସ୍ତାନରେ ସରକାରୀ ନିୟନ୍ତ୍ରଣରେ ରଖାଯାଇଛି | ଏଭଳି ପରିସ୍ଥିତିରେ ସରକାରୀ ଅନୁମୋଦନ ବିନା ଏହି ଔଷଧର ମୂଲ୍ୟ ବୃଦ୍ଧି କରାଯାଇପାରିବ ନାହିଁ।