ପାରାଦୀପ ପିସିପିଆଇଆର୍‌ ହେବ ଦେଶର ଶ୍ରେଷ୍ଠ ପ୍ରକଳ୍ପ, କାମ ତ୍ବରାନ୍ବିତ କରିବାକୁ ଭୁବନେଶ୍ବରରେ କେନ୍ଦ୍ର-ରାଜ୍ୟ ବୈଠକ

ପ୍ଲାଷ୍ଟିକ୍ ପାର୍କକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପାରାଦୀପରେ ବୈଠକ

ଭୁବନେଶ୍ବର/ଜଗତସିଂହପୁର: ପାରାଦୀପ ପେଟ୍ରୋକେମିକାଲ୍‌ସ୍‌ ଏବଂ ପେଟ୍ରୋଲିଅମ୍‌ ପୁଞ୍ଜିନିବେଶ ଅଞ୍ଚଳ(ପିସିପିଆଇଆର୍‌) ଦେଶର ଏକ ‌ଶ୍ରେଷ୍ଠ ପ୍ରକଳ୍ପ ଭାବେ ବିକଶିତ ହେଉଛି। ଏହାକୁ ଉଚ୍ଚମାନର ବିଶ୍ବସ୍ତରୀୟ ପ୍ରକଳ୍ପ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ରସାୟନ ଓ ପେଟ୍ରୋକେମିକାଲ୍‌ସ୍ ସଚିବ ପି ରାଘବେନ୍ଦ୍ର ରାଓ କହିଛନ୍ତି। ଆଜି ଲୋକସେବା ଭବନରେ ଏହି ପ୍ରକଳ୍ପର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀ ରାଓ ଯୋଗ ଦେଇ ପ୍ରକଳ୍ପର ସମୀକ୍ଷା କରିଥିଲେ।

ପାରାଦୀପ ପିସିପିଆଇଆର୍‌ ପ୍ରକଳ୍ପ ୨୮୪ ବର୍ଗ କିମି ଅଞ୍ଚଳକୁ ନେଇ ବିକାଶ କରାଯାଉଛି। ଏଥି ପାଇଁ ମୌଳିକ ଭିତ୍ତିଭୂମି କାର୍ଯ୍ୟ ତ୍ବରିତ ବେଗରେ କରାଯାଉଛି ବୋଲି ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା ଜଣାଇଥିଲେ। ପ୍ରକଳ୍ପ ପାଇଁ ପରିବେଶ ଅନୁମତି ସହ ଅନ୍ୟାନ୍ୟ ବୈଧାନିକ ଅନୁମତି ପ୍ରକ୍ରିୟାକୁ କେନ୍ଦ୍ର ସ୍ତରରେ ତ୍ବରାନ୍ବିତ କରାଇବାକୁ ଶ୍ରୀ ଶର୍ମା ଅନୁରୋଧ କରିଥିଲେ। ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ପାଣ୍ଠି ଯୋଗାଉଛନ୍ତି। ଏଥି ନିମନ୍ତେ କେନ୍ଦ୍ରୀୟ ଅନୁମତି ଦେବା ଓ ଏକ ନିର୍ଦ୍ଦିଷ୍ଟ ଆର୍ଥିକ ମଡେଲ୍‌ ତିଆରି କରିବା ପାଇଁ ମଧ୍ୟ ଶିଳ୍ପ ସଚିବ ଅନୁରୋଧ କରିଥିଲେ। ପେଟ୍ରୋଲିୟମ୍‌ ଓ ପେଟ୍ରୋକେମିକାଲ୍‌ସ୍‌ କ୍ଷେତ୍ରରେ ଅଧିକ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ସହ ଆନ୍ତର୍ଜାତିକ ପୁଞ୍ଜିନିବେଶକୁ ଆକର୍ଷିତ କରିବା ନିମନ୍ତେ ନଭେମ୍ବର ୧୧ ଓ ୧୨ ତାରିଖରେ ମୁମ୍ବାଇଠାରେ ଆନ୍ତର୍ଜାତିକ ସମ୍ମେଳନ ହେବ ବୋଲି କେନ୍ଦ୍ର ସଚିବ ଜଣାଇବା ସହ ଏଥିରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ପାରାଦୀପ ପ୍ଲାଷ୍ଟିକ୍ ପାର୍କ ଏବଂ ପିସିପିଆଇଆର୍‌ ପ୍ରକଳ୍ପର ବିଶେଷତ୍ବ, ଏଠାରେ ଥିବା ଭିତ୍ତିଭୂମି, ଆନୁଷଙ୍ଗିକ ଶିଳ୍ପାନୁଷ୍ଠାନ, କଞ୍ଚାମାଲ, ବଜାର ଚାହିଦା, ରପ୍ତାନୀ ସୁଯୋଗ ଆଦି ବିଷୟରେ ଏହି ସମ୍ମେଳନରେ ଉପସ୍ଥାପନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶିଳ୍ପ ବିଭାଗ ଓ ଇଡ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ।

କୋରାପୁଟ ଜିଲ୍ଲାରେ ସିପେଟ୍‌ର ଏକ କେନ୍ଦ୍ର ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ଇଡ୍‌କୋ ସିଏମ୍‌ଡି ସଞ୍ଜୟ ସିଂହ ଆଲୋକପାତ କରିଥିଲେ। ଏହି ପ୍ରସ୍ତାବକୁ ବିଚାର କରି କେନ୍ଦ୍ରୀୟ ସଚିବ ଏହାକୁ ନୀତିଗତ ଅନୁମୋଦନ କରି ଏଥଇ ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ପ୍ରସ୍ତବା ପଠାଇବା ନିମନ୍ତେ କହିଥିଲେ। ଜଟଣୀରେ ସିପେଟ୍‌ର ଏକ ଉଚ୍ଚସ୍ତରୀୟ ଶିକ୍ଷା ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସମ୍ବନ୍ଧୀୟ ବିଷୟ ବୈଠକରେ ଆଲୋଚନା ହୋଇଥିଲା। ଏଥି ପାଇଁ ରାଜ୍ୟ ସରକାର ୧୫ ଏକର ଜମି ଯୋଗାଇ ଦେଇଛନ୍ତି। ସିପେଟ୍‌ର ସ୍ନାତକ ଓ ସ୍ନାତକୋତର ସ୍ତରରେ ସମସ୍ତ ସିଟ୍‌ ପୂରଣ କରିବା ଏବଂ ଜଟଣୀରେ ନୂଆ କେନ୍ଦ୍ର ପ୍ରତିଷ୍ଠା ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ କେନ୍ଦ୍ର କେମିକାଲ୍‌ସ୍‌ ଓ ପେଟ୍ରୋକେମିକାଲ୍‌ସ୍‌, ସିପେଟ୍‌, ଫିକି, ଇଡ୍‌କୋ, ଇପିକଲ୍‌ ଓ ଆଇଓସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଲୋକସେବା ଭବନରେ ବୈଠକ ପୂର୍ବରୁ ଶ୍ରୀ ରାଓ ପାରାଦୀପ ଗସ୍ତରେ ଯାଇଥିଲେ। ପାରାଦୀପ ଗଡ଼ରେ ନିର୍ମିତ ପ୍ଲାଷ୍ଟିକ୍ ପାର୍କର ଅଗ୍ରଗତିର ସମୀକ୍ଷା କରିଛନ୍ତି। ବିଶେଷ କରି ଏହି ପାର୍କ ପ୍ରତି କାହିଁକି ଶିଳ୍ପାନୁଷ୍ଠାନଗୁଡ଼ିକ ଆଗ୍ରହ ପ୍ରକାଶ କରୁନାହାନ୍ତି, ସେ ନେଇ ଆଲୋଚନା ହୋଇଥିଲା। ବୈଠକରେ ଓଡ଼ିଶାର ବିଭିନ୍ନ ପ୍ଲାଷ୍ଟିକ୍ ଶିଳ୍ପ ସଂସ୍ଥାକୁ ଡାକି ଶ୍ରୀ ରାଓ ସେମାନଙ୍କ ସମସ୍ୟା ସମ୍ପର୍କରେ ସଚିବ ପଚାରି ବୁଝିଥିଲେ। ଯାହା ବି ସମସ୍ୟା ଥାଉ ନା କାହିଁକି, ଏ ଦିଗରେ ଆଲୋଚନା କରାଯାଇ ତୁରନ୍ତ ଏହାର ସମାଧାନ କରାଯିବ। ଜାନୁଆରୀ ୧ ସୁଦ୍ଧା ପୂର୍ଣ୍ଣ ମାତ୍ରାରେ ଏହି ପ୍ଲାଷ୍ଟିକ୍ ପାର୍କକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ରାଓ କହିଥିଲେ। ଏହି ଅବସରରେ ପ୍ଲାଷ୍ଟିକ୍ ପାର୍କ ପରିସରରେ ୬ ଦିନିଆ ପ୍ରଶିକ୍ଷଣ ଶିବିରକୁ ସଚିବ ଉଦ୍‌ଘାଟନ କରିଥିଲେ। ବିଭାଗୀୟ ଯୁଗ୍ମ ସଚିବ ଏସ୍‌ ବିଶ୍ବାସ, ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ, ଇଡକୋ ସିଏମଡି ସଂଜୟ ସିଂହ, ଜେଏସ୍‌ଡବ୍ଲ୍ୟୁ ଓଏସ୍‌ଡି ସତ୍ୟ କୁମାର ମଲ୍ଲିକଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

ପାରାଦୀପରେ ଖୋଲିବାକୁ ଥିବା ଏହି ପ୍ଲାଷ୍ଟିକ୍ ପାର୍କ ବର୍ଷକ ପୂର୍ବରୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ପାର୍କରେ ୮୦ଟି ଷ୍ଟଲ ରହିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ତିନିଟି ଶିଳ୍ପ ସଂସ୍ଥା ଏଥିପ୍ରତି ଆଗ୍ରହ ପ୍ରକାଶ କରି ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ବାକି ଖାଲି ପଡ଼ିଥିବା ଅନ୍ୟ ଷ୍ଟଲଗୁଡ଼ିକ ପ୍ରତି ଶିଳ୍ପ ସଂସ୍ଥାଗୁଡ଼ିକ ଆଗ୍ର୍ରହ ପ୍ରକାଶ କରୁନାହାନ୍ତି, ଯାହାକି ବେଶ୍ ଚିନ୍ତାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ କିଛି ଶ୍ରମିକ ନେତାଙ୍କ ଦାଦାଗିରି ଯୋଗୁଁ ଏହି ପାର୍କ ପ୍ରତି ଶିଳ୍ପ ଅନୁଷ୍ଠାନଗୁଡ଼ିକ ଆଗ୍ରହ ପ୍ରକାଶ କରୁନାହାନ୍ତି। ବ୍ୟବସାୟରେ କ୍ଷତି ଭୟରେ ଶିଳ୍ପ ସଂସ୍ଥାଗୁଡ଼ିକ ପ୍ଲାଷ୍ଟିକ୍ ପାର୍କରେ ବ୍ୟବସାୟ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ପାର୍କ ଅବସ୍ଥାରେ ସୁଧାର ଆସିବା ସମ୍ଭାବନା କ୍ଷୀଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର