ମାତ୍ର ୫ମାସ ପାଇଁ ଚମକିଥିଲା କି ପରାଗଙ୍କ ଭାଗ୍ୟ? ମସ୍କଙ୍କ ହାତକୁ ଟ୍ବିଟର ଯିବା ପରେ କିଏ ହେବ ନୂଆ ସିଇଓ?

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଟ୍ୱିଟରର ନୂଆ ମାଲିକ ହୋଇଛନ୍ତି ଟେସଲା ସିଇଓ ଏଲୋନ୍ ମସ୍କ। ଏଲୋନ୍ ମସ୍କ ଟ୍ୱିଟରକୁ ସେୟାର ପିଛା ୫୪.୨୦ ଡଲାରରେ କିଣିବାକୁ ଅଫର୍ ଦେଇଥିଲେ, ଯାହାକୁ ସୋମବାର ବିଳମ୍ବିତ ରାତିରେ ଟ୍ୱିଟର ବୋର୍ଡ ଗ୍ରହଣ କରିନେଇଛି। ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ ମସ୍କ ୪୪ ବିଲିୟନ ଆମେରିକୀୟ ଡଲାର ଦେଇ କମ୍ପାନିକୁ କିଣିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ମାଲିକ ବଦଳିବା ପରେ କମ୍ପାନିର ନୂଆ ସିଇଓ କିଏ ହେବ? ମାତ୍ର ୫ମାସ ପାଇଁ ଚମକିଥିଲା କି ପରାଗଙ୍କ ଭାଗ୍ୟ? ମସ୍କଙ୍କ ହାତକୁ ଟ୍ବିଟର ଯିବା ପରେ ପରାଗଙ୍କୁ ହଟାଇ ଆଉ କାହାକୁ ସିଇଓ କରିବେ କି ମସ୍କ? ଏଭଳି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପରାଗଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

କୁହାଯାଉଛି କି, ମସ୍କଙ୍କ ହାତକୁ ଟ୍ବିଟର ଯିବା ପୂର୍ବରୁ ପରାଗ ଟ୍ବିଟର କର୍ମଚାରୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ଡିଲ୍ ଶେଷ ନହେବା ପର୍ଯ୍ୟନ୍ତ ମୁଁ ଟ୍ବିଟରର ସିଇଓ ରହିବି। ହେଲେ କମ୍ପାନି ମସ୍କଙ୍କ ହାତକୁ ଯିବା ପରେ କ’ଣ ହେବ, ସେ ବିଷୟରେ ପରାଗ କୌଣସି ପ୍ରତିକ୍ରିୟା ଦେଇନଥିଲେ। ତେବେ ଆଗକୁ କିଏ ଟ୍ବିଟରର ସିଇଓ ହେବ ସେ ନେଇ ଏବେ ବି ଦ୍ବନ୍ଦ୍ବ ଲାଗିରହିଛି।

Elon Musk's Twitter acquisition: What's next for CEO Parag Agrawal - BusinessToday
businesstoday

ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭମ୍ବରରେ ସୋସିଆଲ୍ ମିଡିଆ ସଂସ୍ଥା ଟ୍ବିଟର୍‌ର ସହ ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ଡୋର୍ଜି ନିଜ ପଦରୁ ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ୍‌ କମ୍ପାନିର ନୂଆ ସିଇଓ ହୋଇଥିଲେ। ମାତ୍ର ୩୭ ବର୍ଷ ବୟସରେ ଟ୍ବିଟର୍‌ ଭଳି କମ୍ପାନିର ସିଇଓ ଭାବେ ନିଯୁକ୍ତ ହେବା ପରେ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଥିଲା। ଏତେ କମ୍ ବୟସରେ ଏକ ବିଶାଳ କମ୍ପାନିର ସିଇଓ ହେବାରେ ସେ ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ଦେଇଥିଲେ। ସମ୍ମାନଜନକ ଏସ୍‌ଆଣ୍ଡ୍‌ପି ୫୦୦ ତାଲିକାରେ ଥିବା କମ୍ପାନିଗୁଡ଼ିକ ମଧ୍ୟରୁ କୌଣସି କମ୍ପାନିର ମଙ୍ଗ ସମ୍ଭାଳିବାରେ ପରାଗ ଥିଲେ ସର୍ବକନିଷ୍ଠ।

୧୯୮୪ ପରେ ପରାଗଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ତାଙ୍କ ମା’ ଜଣେ ସ୍କୁଲ ଶିକ୍ଷୟିତ୍ରୀ ହୋଇଥିବା ବେଳେ ବାପା ଆଣବିକ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। ତାଙ୍କ ପତ୍ନୀ ବିନିତା ଏକ ଭେଞ୍ଚର କ୍ୟାପିଟାଲ୍‌ର ପାର୍ଟନର୍ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ପୁଅ ନାମ ହେଉଛି ଅଂଶ। ପରାଗ ମୁମ୍ବାଇର ଆଟମିକ୍ ଏନର୍ଜି ସେଣ୍ଟ୍ରାଲ୍ ସ୍କୁଲ୍‌ରେ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ। ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଭା‌ବେ ସେ ପରିଚିତ ଥିଲେ। ତାଙ୍କ ଗଣିତ ଜ୍ଞାନ ବେଶ ଚମତ୍କାର ଥିଲା। ସ୍କୁଲ ପାଠପଢ଼ା ଶେଷ କରିବା ପରେ ସେ ଆଇଆଇଟି-ମୁମ୍ବାଇରେ କମ୍ପ୍ୟୁଟର ସାଇନ୍ସ ବିଷୟରେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଥିଲେ। ୨୦୦୫ରେ ସେ ଆମେରିକା ଚାଲିଯାଇଥିଲେ। ୨୦୧୧ରେ ଟ୍ବିଟର୍‌ରେ ଯୋଗ ଦେବା ବେଳେ ସେ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରେ ନିଜ ପିଏଚ୍‌ଡି ‌ଶେଷ କରିବାକୁ ଉଦ୍ୟମ କରୁଥିଲେ। ଟ୍ବିଟର୍‌ରେ ଯୋଗ ଦେବା ପୂର୍ବରୁ ପିଏଚ୍‌ଡି କରୁଥିବା ବେଳେ ସେ ମାଇକ୍ରୋସଫ୍ଟ, ଏଟିଆଣ୍ଡ୍‌ଟି ଓ ୟାହୁ ଭଳି ସଂସ୍ଥାରେ କାର୍ଯ୍ୟ କରିଥିଲେ। ୨୦୧୭ରେ ଟ୍ବିଟର୍‌ରେ ତାଙ୍କୁ ସିଟିଓ ଭାବେ ନିଯୁକ୍ତି ମିଳିଥିଲା।

ସମ୍ବନ୍ଧିତ ଖବର