ବଟି ଆଦାୟ ମାମଲାରେ ବୟାନ ରେକର୍ଡ କରାଇବାକୁ ଥାନେ ପୁଲିସ ଆଗରେ ହାଜର ହେଲେ ପରମବୀର

ମୁମ୍ବାଇ: ବଟି ଆଦାୟ ମାମଲାରେ ବୟାନ ରେକର୍ଡ କରାଇବା ନିମନ୍ତେ ଆଜି ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ପରମବୀର ସିଂହ ଥାନେସ୍ଥିତ ଏକ ଥାନାରେ ହାଜର ହୋଇଛନ୍ତି। ସେଠାରେ ତାଙ୍କ ନାମରେ ଏକ ବଟି ଆଦାୟ ମାମଲା ପଞ୍ଜିକୃତ ହୋଇଥିଲା।

ପରମବୀର ସିଂହ, ଡେପୁଟି ପୁଲିସ କମିସନର୍‌ ଦୀପକ ଦେବରାଜ, ସହକାରୀ ପୁଲିସ କମିସନର୍‌ ଏନ୍‌ଟି କଦମ, ସେବାନିବୃତ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା, ବରିଷ୍ଠ ପୁଲିସ ଇନ୍‌ସ୍‌ପେକ୍ଟର୍‌ ରାଜକୁମାର କୋଠମିରେ ଏବଂ ଗ୍ୟାଙ୍ଗ୍‌ଷ୍ଟର୍‌ ରବି ପୂଜାରୀ ତାଙ୍କ ଠାରୁ ଏବଂ ତାଙ୍କ ବନ୍ଧୁ ସୋନୁ ଜଲନଙ୍କ ଠାରୁ କୋଟି କୋଟି ଟଙ୍କା ବଟି ଆକାରରେ ନେଇଥିବା କଥା ଉଲ୍ଲେଖ କରି ୫୪ ବର୍ଷିୟ ବ୍ୟବସାୟୀ କେତନ ତନ୍ନା ଥାନାରେ ଅଭିଯୋଗ କରିଥିଲେ। ୨୦୧୮ରେ ଏକ ‘ବେଟିଙ୍ଗ୍‌ ରାକେଟ୍‌’ ମାମଲାରେ ଜଲନଙ୍କୁ ଗିରଫ କରାଯାଇଥିଲା।

Image Courtesy of Oneindia

ଥାନ‌େ ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଆଜି ସକାଳ ପ୍ରାୟ ୧୦.୩୦ରେ ସିଂହ ଥାନରେ ପହଞ୍ଚବା ପରେ ତାଙ୍କ ବୟାନ ରେକର୍ଡ କରାଯାଇଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ତାଙ୍କ ବିରୋଧରେ ଜାରି ଜାମିନବିହିନ ପର୍‌ୱାନା ଏବଂ ଘୋଷିତ ଅପରାଧୀ ଆଦେଶ ରଦ୍ଦ କରିବା ଲାଗି ସିଂହ ଏସ୍‌ପ୍ଲାନେଡ୍‌କୋର୍ଟରେ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର