ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂଙ୍କ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ, ମାମଲା ଅତ୍ୟନ୍ତ ଗମ୍ଭୀର । ହେଲେ ପ୍ରଥମେ ଏନେଇ ବମ୍ବେ ହାଇକୋର୍ଟରେ ଆବେଦନ କରିବା ଜରୁରୀ । ଏହାସହ ସୁପ୍ରିମକୋର୍ଟ ପରମବୀର ସିଂଙ୍କୁ କହିଥିଲେ ଯେ, ଏହି ମାମଲାରେ ତୁମେ ଏକ ଅଭିଯୋଗ ଆଣୁଥିବା ବେଳେ ମନ୍ତ୍ରୀ ଅଲଗା କିଛି ଅଭିଯୋଗ ଆଣୁଛନ୍ତି । ତୁମର ଯାହା ଦାବି ଅଛି ତାହା ତୁମେ ହାଇକୋର୍ଟଙ୍କ ନିକଟରେ ଉପସ୍ଥାପନ କରିପାରିବ ବୋଲି ସୁପ୍ରିମକୋର୍ଟ ପରମବୀର ସିଂଙ୍କୁ ଉପଦେଶ ଦେଇଛନ୍ତି ।
ଅନ୍ୟପଟେ ଏହି ମାମଲାର ଉଚିତ୍ ତଦନ୍ତ କରିବା ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟିଛନ୍ତି । ସେଠାରୁ ଫେରିବା ପରେ ମହାରାଷ୍ଟ୍ର ବିଜେପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି ଯେ, ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କାହିଁକି ଚୁପ୍ ଅଛନ୍ତି ? କଂଗ୍ରେସକୁ ଟାର୍ଗେଟ କରି ଫଡନଭିସ୍ କହିଛନ୍ତି ଯେ, ଏହି ମାମଲାରେ କଂଗ୍ରେସ ଯେଭଳି ଭାବେ ଚୁପ୍ ରହିଛି ଏଥିରୁ ସ୍ପଷ୍ଟ ହୋଇଯାଉଛି କି ଆଦାୟ ଅର୍ଥରୁ ଏକ ବଡ଼ ଭାଗ କଂଗ୍ରେସ ଖାତାକୁ ଯାଇଛି ।
/sambad/media/post_attachments/0d34866ff509c371dc4592124d6a08a309498ab3e217801b82b170f523c718e7.jpg)